ଏଲନ ମସ୍କଙ୍କ SpaceX ସହ ଇସ୍ରୋର ବଡ଼ ଡିଲ, ଏକାଠି ମିଶି କରିବେ GSAT-20ର ଲଞ୍ଚିଂ

Published By : Prameya-News7 Bureau | November 16, 2024 IST

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନି ସ୍ପେସଏକ୍ସ ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ) ସହିତ ବଡ଼ ଚୁକ୍ତିନାମା କରିଛି। ଦୁଇ ଏଜେନ୍ସି ମିଶି ଜିସାଟ୍-୨୦ କମ୍ୟୁନିକେସନ ସାଟେଲାଇଟ୍ ଉତକ୍ଷେପଣ କରିବେ। ପ୍ରଥମ ଥର ଇସ୍ରୋ ଓ ସ୍ପେସଏକ୍ସ ପରସ୍ପର ସହଯୋଗରେ ଏହି ଧରଣର ଲଞ୍ଚିଂ କରିବାକୁ ଯାଉଛନ୍ତି। ଏହି ଚୁକ୍ତିନାମା ଏଥିପାଇଁ ଖାସ୍ ରହିଛି କାରଣ ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରହିଛି। ନିକଟରେ ସଂପନ୍ନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ବିଜୟୀ ହେବା ପରେ ଇସ୍ରୋ ଓ ସ୍ପେସଏକ୍ସ ମଧ୍ୟରେ ରାଜିନାମା ଚୂଡ଼ାନ୍ତ ରୂପ ନେଇଛି।

ଜିସାଟ୍-୨୦ ଉପଗ୍ରହ ୪୭୦୦ କିଲୋଗ୍ରାମର। ତେଣୁ ଭାରତୀୟ ରକେଟ୍ ଏହାକୁ ନେଇ ଯିବାକୁ ସକ୍ଷମ ହେବନି। ଏମିତିରେ ଲଞ୍ଚିଂ ପାଇଁ ସ୍ପେସଏକ୍ସର ସାହାରା ନେଇଛି ଇସ୍ରୋ। ଏହାର ଲଞ୍ଚିଂ ଆମେରିକାର କ୍ୟାପ୍ କୈନାରାବାଲରୁ  ହେବ। ଏହି ଉପଗ୍ରହ ଆଗାମୀ ୧୪ ବର୍ଷ ପର୍ଯ୍ୟନ୍ତ କାମ କରିବ। 

ଏହା ପୂର୍ବରୁ ଲଞ୍ଚିଂ ସର୍ଭିସ୍ ପାଇଁ ଇସ୍ରୋ ଫ୍ରାନ୍ସର କମର୍ସିଆଲ ଲଞ୍ଚିଂ କମ୍ପାନି ସହାୟତା ନେଉଥିଲା। ଓଜନିଆ ସାଟେଲାଇଟର ଲଞ୍ଚିଂ ପାଇଁ ଏହାର ଆବଶ୍ୟକତା ପଡ଼ିଥାଏ । କିନ୍ତୁ କମ୍ପାନି ପାଖରେ ବର୍ତ୍ତମାନ ସେହି ଧରଣର ରକେଟ୍ ନାହିଁ। ୟୁକ୍ରେନ ସହ ଚାଲିଥିବା ସଂଘର୍ଷ କାରଣରୁ ରୁଷ ମଧ୍ୟ ଉତକ୍ଷେପଣ କରି ପାରୁନି। ତେଣୁ ସ୍ପେସଏକ୍ସ ଏହାର ଫାଇଦା ଉଠାଉଛି। ସ୍ପେସଏକ୍ସର ସାଟେଲାଇଟ ପୂରା ଭାରତକୁ ସେବା ପ୍ରଦାନ କରିବ।  ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ପାଇଁ ଏହି ସାଟେଲାଇଟ୍ ଉପଲବ୍ଧ ରହିବ। 

ଇସ୍ରୋ ଅଧ୍ୟକ୍ଷ ରାଧାକୃଷ୍ଣନ ଦୁରାଇରାଜ କହିଛନ୍ତି, ଏହି ଉତକ୍ଷେପଣରେ ପାଖାପାଖି ୬୦ରୁ ୭୦ ମିଲିୟନ ଡଲାର ଖର୍ଚ୍ଚ  ହେବ। ସୂଚନାଯୋଗ୍ୟ, କମ ମୂଲ୍ୟରେ ଲଞ୍ଚିଂ କରିବାରେ ଭାରତ ଓ ସ୍ପେସଏକ୍ସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଲନ ମସ୍କ ମଧ୍ୟ ଚାହୁଁଛନ୍ତି ଭାରତରେ ତାଙ୍କର ସ୍ପେସଏକ୍ସ ଷ୍ଟାରଲିଙ୍କ ସାଟେଲାଇଟର ସେବାର ବ୍ୟବହାର ପାଇଁ ମଞ୍ଜୁରୀ ମିଳିଯାଉ। କିନ୍ତୁ ସୁରକ୍ଷା କାରଣରୁ ଭାରତ ଏହାକୁ ଅନୁମତି ଦେଇ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.