ହିନ୍ଦୁ ସମାଜରୁ ଜାତିବାଦ ସମାପ୍ତ ହେବା ଆବଶ୍ୟକ, ଆର୍ଥିକ ଆଧାରରେ ଲାଗୁ ହେଉ ସଂରକ୍ଷଣ: ରାମଭଦ୍ରାଚାର୍ଯ୍ୟ

Published By : Prameya-News7 Bureau | November 16, 2024 IST

ଜୟପୁର ୧୬।୧୧: ରାଜସ୍ଥାନର ଜୟପୁରକୁ ପ୍ରବଚନ ପାଇଁ ଆସିଥିବା ଜଗତଗୁରୁ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଶନିବାର ସଂରକ୍ଷଣ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ‘ସରକାର ଜାତି ଆଧାରରେ ସଂରକ୍ଷଣ ସମାପ୍ତ କରି ଏହାକୁ ଆର୍ଥିକ ଆଧାରରେ ଦେବା ଦରକାର’। ସେ କହିଛନ୍ତି ଯେ ଏହି ପଦକ୍ଷେର ଯେତେ ଶୀଘ୍ର ନିଆଯିବ ସମାଜରୁ ଜାତିବାଦ ସେତେ ଶୀଘ୍ର ସମାପ୍ତ ହେବ। ଜାତିବାଦ ସମାପ୍ତ କରିବା ଉପରେ ମଧ୍ୟ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। 

ସେ କହିଛନ୍ତି ‘ଆମେ ସବର୍ଣ୍ଣ ଜାତିରେ ଜନ୍ମ ହୋଇ କୌଣସି ପାପ କରିନୁ, ଯଦି ଜଣେ ସବର୍ଣ୍ଣ ପିଲା ୧୦୦ ପ୍ରତିଶତ ନମ୍ବର ରଖି ଜୋତା ସିଲେଇ କରେ ଓ ୪୦ ପ୍ରତିଶତ ନମ୍ବର ପାଇ ଜଣେ ଏସସିଙ୍କ ପିଲା ଚାକିରୀ କରେ ଏପରି ଧାରାକୁ ସମାପ୍ତ କରିବାକୁ ପଡିବ’। ସେ ତର୍କ ଦେଇଛନ୍ତି ଯେ ଜାତି ଆଧାରରେ ସଂରକ୍ଷଣ ସମାପ୍ତ କରି ଆର୍ଥିକ ଆଧାରରେ ଦିଆଯାଉ। ଏହା ଦ୍ୱାରା ଜାତିବାଦ ଓ ଗୃହଯୁଦ୍ଧ ଭଳି ପରିସ୍ଥିତି ଦେଶରେ ସମାପ୍ତ ହୋଇଯିବ। 

ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ତାଙ୍କ ବିଚାରକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ କହିଛନ୍ତି କେହିବି ଏସସି, ଏସଟି କି ଓବିସି ନୁହନ୍ତି ସମସ୍ତେ ହିନ୍ଦୁ ଏକ ଓ ସବୁ ଭାରତୀୟ ଏକ। ଆର୍ଥିକ ଆଧାରରେ ସଂରକ୍ଷଣ ଲାଗୁ କରିଦିଅ ତେବେ ଏହି ଜାତିବାଦ ପ୍ରସଙ୍ଗ ସମାପ୍ତ ହୋଇଯିବ। ସେ ଏହା ମଧ୍ୟ କହିଛନ୍ତି ଯେ ହିନ୍ଦୁ ଧର୍ମରେ ଛୁଆଁଛୁତି ନାହିଁ। ସେ କହିଛନ୍ତି କୌଣସି ଜାତି ମଧ୍ୟରେ ଅନ୍ତର ରହିବା ଉଚିତ ନୁହେଁ ଓ ହିନ୍ଦୁ ଧର୍ମରେ ସମାନତାକୁ ପ୍ରୋତ୍ସାହନ ଦିଆଯିବା ଦରକାର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.