ଜୀବନ ବ୍ୟାପୀ ସାଧନା ପାଇଁ ଅନନ୍ତ, ଶ୍ରୀନିବାସ ଓ ଜୟୀଙ୍କୁ ପୁରସ୍କାର

Published By : Prameya-News7 Bureau | November 17, 2024 IST

ଭୁବନେଶ୍ଵର:  ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ଆଜି ପୁରସ୍କାର ପ୍ରଦାନ କରାଯାଇଛି। ଚଳଚ୍ଚିତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ  ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀ ସାମଲଙ୍କୁ  ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍‌ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି।

ଆଜିର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ  ପୁରସ୍କାର ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଯୋଗ ଦେଇଛନ୍ତି। ୨୦୨୦ରେ ସହିଦ ରଘୁ ସର୍ଦ୍ଦାର ଫିଲ୍ମ ପାଇଁ ଦେବାଶିଷ ପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ କାବ୍ୟା କିରଣ ଶୁକ୍ଳା ପୁରସ୍କୃତ ହୋଇଛନ୍ତି। 

୨୦୨୧ରେ ଡାଲଚିନ ପାଇଁ ଅଙ୍କିତ କୁମାର ଓ   ଚଳଚ୍ଚିତ୍ର ପ୍ରତୀକ୍ଷା ପାଇଁ ଦୀପନ୍ଵିତ ଦାସ ମହାପାତ୍ର ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି। ସେହିପରି ୨୦୨୨ର ଦମନ ପାଇଁ ବାବୁଶାନ ମହାନତି ଶ୍ରେଷ୍ଠ ନାୟକ ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଲୋପାମୁଦ୍ରା ମିଶ୍ରଙ୍କୁ ‘ବୋଉର ହାତ ବାକ୍ସ’ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ମୋଟ୍ ୩୩ ବର୍ଗରେ ପୁରସ୍କୃତ କରାଯାଇଛି। 

ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରି କମିଟିରେ ଗୋପାଳ ମହାପାତ୍ର, ବନଜା ମହାନ୍ତି, ଅମରେଶ ପଟ୍ଟନାୟକ, ଶେଖର ଘୋଷ ସଦସ୍ୟ ଥିଲେ।   ପୁରସ୍କାର ରାଶି ଭାବେ ୫ ଲକ୍ଷ ଟଙ୍କା, ମାନପତ୍ର, ଟ୍ରଫି ଓ ଉପଢୌକନ ପ୍ରଦାନ କରାଯାଇଛୋ। ଶେଷ ଥର ୨୦୨୨ରେ ରାଜ୍ୟର ଏହି ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିଲା। ପୁରସ୍କାର ରାଶି ଭାବେ ୨ ଲକ୍ଷ ଟଙ୍କା ମିଳିଥିଲା, ଯାହା ଏବେ ୫ ଲକ୍ଷକୁ ବୃଦ୍ଧି ପାଇଛି। ପ୍ରତି ବର୍ଷ ରାଜ୍ୟ ସଂସ୍କୃତି ଓ ସାହିତ୍ୟ ବିଭାଗ ତରଫରୁ ଏହି ପୁରସ୍କାର ଘୋଷଣା କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.