ମୁମ୍ଵାଇ ୧୭।୧୧; ଠକେଇର ଶିକାର ହେଲେ ଅଭିନେତ୍ରୀ ଦିଶା ପଟାନୀଙ୍କ ବାପା । ତାଙ୍କ ବାପା ଅବସରପ୍ରାପ୍ତ ଡିଏସ୍ପି ଜଗଦୀଶ ସିଂହ ପଟାନୀ। ସରକାରଙ୍କ କୌଣସି କମିଶନରେ କୌଣସି ବଡ଼ ପଦବୀରେ ନିଯୁକ୍ତି କରାଇ ଦେବା ନେଇ ୫ ଜଣ ବ୍ୟକ୍ତି ତାଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଏନେଇ ଉତ୍ତର ପ୍ରଦେଶର ବରେଲୀର କୋତୱାଲୀ ଥାନାରେ ମାମଲା ରୁଜୁ ହୋଇଛି ।ବରେଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ରହୁଥିବା ଦିଶା ପଟାନୀଙ୍କ ବାପା କହିଛନ୍ତି ଯେ ଅଭିଯୁକ୍ତ ଶିବେନ୍ଦ୍ର ପ୍ରତାପ ସିଂହଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଛନ୍ତି। ଶିବେନ୍ଦ୍ର ତାଙ୍କୁ ଅନ୍ୟ ଅଭିଯୁକ୍ତ ଦିବାକର ଗର୍ଗ ଓ ଆଚାର୍ଯ୍ୟ ଜୟପ୍ରକାଶଙ୍କ ସହିତ ପରିଚିତ କରାଇଥିଲେ। ଅଭିଯୁକ୍ତମାନେ କହିଥିଲେ ଯେ ସେମାନଙ୍କ ରାଜନୀତିକ ସଂପର୍କ ବହୁତ ଭଲ। ସେମାନେ ତାଙ୍କୁ ସରକାରଙ୍କ କୌଣସି କମିଶନର କିଛି ବଡ଼ ପଦବୀରେ ନିଯୁକ୍ତ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଅଭିଯୁକ୍ତମାନେ ଜଗଦୀଶଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ୫ ଲକ୍ଷ ଟଙ୍କା ସେମାନେ ନଗଦ ନେଇଥିଲେ। ବାକି ୨୦ ଲକ୍ଷ ଟଙ୍କା ସେ ତିନିଟି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। କିନ୍ତୁ ଟଙ୍କା ନେବାର ୩ ମାସ ବିତିଯିବା ସତ୍ତ୍ୱେ ଅଭିଯୁକ୍ତମାନେ ଜଗଦୀଶଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ କରିନଥିଲେ। ଏହାପରେ ଅଭିଯୁକ୍ତମାନେ ତାଙ୍କୁ କହିଥିଲେ ଯେ ସେମାନେ ତାଙ୍କ ଟଙ୍କା ସୁଧ ସହିତ ଫେରାଇ ଦେବେ।
ଏହା ପରେ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେବା ସହିତ ଖରାପ ବ୍ୟବହାର କରିଥିଲେ। ଆଉ ଏକ ବଡ଼ ଠକେଇର ଶିକାର ହୋଇଥିବା ସନ୍ଦେହରେ ଥାନାକୁ ଯାଇଥିଲେ । ସେ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ଏହି ଘଟଣାକୁ ନେଇ ଥାନାଧିକାରୀ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କ ନାଁରେ ଠକେଇ କରିବା ଓ ଧମକ ଦେବା ଭଳି ମାମଲା ରୁଜୁ ହୋଇଛି। ସେମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।