ନୂଆଦିଲ୍ଲୀ: ତାମିଲନାଡ଼ୁରେ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିବା ମାମଲାରେ ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ଗିରଫ କରାଯାଇଛି । କସ୍ତୁରୀ ଶଙ୍କରଙ୍କୁ ଶନିବାର ହାଇଦ୍ରାବାଦରେ ତାମିଲନାଡ଼ୁ ପୋଲିସ ଗିରଫ କରିଛି । ହିନ୍ଦୁ ମକ୍କଲ କାଚି ବୈଠକରେ ଅଭିନେତ୍ରୀଙ୍କ ଟିପ୍ପଣୀ ଉପରେ ବିଜେପିର ତାମିଲନାଡ଼ୁ ରାଷ୍ଟ୍ରୀୟ ସହ-ପ୍ରଭାରୀ ଡ.ପୋଙ୍ଗୁଲେଟି ସୁଧାକର ରେଡ୍ଡୀ କଡ଼ା ଆପତ୍ତି ଉଠାଇବା ସହ କ୍ଷମା ମାଗିବା ପାଇଁ ଦାବି କରିଥିଲେ ।
ବିଜେପି ନେତା ପିଟିଆଇକୁ ବୟାନ ଦେଇ କହିଥିଲେ ଯେ ଅଭିନେତ୍ରୀଙ୍କ ଟିପ୍ପଣୀ ତାମିଲନାଡ଼ୁର ଲୋକଙ୍କ ମଧ୍ୟରେ ସୌହାର୍ଦପୂର୍ଣ୍ଣ ମାହୋଲକୁ ବିଗାଡିବ ଏବଂ ବସୁଧୈବ କୁଟୁମ୍ୱକମ୍ ଭାବନାର ବିପରୀତ ।
କସ୍ତୁରୀ ଶଙ୍କର ତାମିଲନାଡ଼ୁରେ ଆୟୋଜିତ କାର୍ଯ୍ୟକ୍ରମରେ ତେଲୁଗୁ ସମୁଦାୟ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ସେ କହିଥିଲେ ଯେ ତେଲୁଗୁ ଲୋକ ପ୍ରାଚୀନ ସମୟରେ ରାଜାଙ୍କ ସେବା କରୁଥିବା ମହିଳାଙ୍କ ବଂଶଜ । ଅଭିନେତ୍ରୀଙ୍କ ଏହି ବୟାନ ପରେ ତେଲୁଗୁ ସମୁଦାୟର ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା । ଏହାସହ ମଦୁରାଇରେ କସ୍ତୁରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲ ।
ବିବାଦ ବଢିବା ପରେ କସ୍ତୁରୀ ଶଙ୍କର ନଭେମ୍ୱର ୬ରେ କହିଥିଲେ, ‘ନିଜ ଭାଷଣରେ ତେଲୁଗୁ ଲୋକଙ୍କୁ ନେଇ କରିଥିବା ଟିପ୍ପଣୀକୁ ଫେରାଇ ନେଉଛି । ତେଲୁଗୁ ବିସ୍ତାରିକ ପରିବାରକୁ ଆଘାତ ଦେବା କିମ୍ୱା ଅପମାନିତ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା ।‘
ମାମଲା ରୁଜୁ ହେବା ପରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିନେତ୍ରୀଙ୍କୁ ତଲବ କରିଥିଲେ । କିନ୍ତୁ ପୋଲିସ ତାଙ୍କ ଘରେ ପହଞ୍ଚିବା ବେଳେ ତାହା ବନ୍ଦ ଥିଲା । ଏହାପରେ ପୋଲିସ ଶନିବାର ତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ।
କସ୍ତୁରୀ ଶଙ୍କର ସାଉଥ୍ ସିନେମାର ଜଣେ ପରିଚିତ ଅଭିନେତ୍ରୀ । ୧୯୯୧ ମସିହାରେ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ତାମିଲ ଫିଲ୍ମ 'ଆଥି ଭାଗବାନ'ରୁ ଡେବ୍ୟୁ କରିଥିଲେ ଏବଂ ପରେ ଅନେକ ତାମିଲ, ତେଲୁଗୁ, କନ୍ନଡ ଏବଂ ମଲୟାଲମ ଫିଲ୍ମରେ ଅଭିନୟ କରିଛନ୍ତି ।