ବାଂଲାଦେଶରେ କେବେ ହେବେ ନିର୍ବାଚନ ? ଜାଣନ୍ତୁ ଅନ୍ତରୀଣ ସରକାର ମୁଖ୍ୟ ୟୁନୁସ ଖାନଙ୍କ ଜବାବ

Published By : Prameya-News7 Bureau | March 25, 2025 IST

ନୂଆଦିଲ୍ଲୀ: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଚର୍ଚ୍ଚା ଓ ରାଜନୈତିକ ଅସ୍ଥିରତା ଭିତରେ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଦେଶରେ ନିର୍ବାଚନ କଥା କହିଛନ୍ତି । ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ ନିର୍ବାଚନ ଚଳିତ ବର୍ଷ ଡିସେମ୍ୱରରୁ ଆଗାମୀ ବର୍ଷ ଜୁନ୍ ମଧ୍ୟରେ କରାଯିବ । ମଙ୍ଗଳବାର ରାଷ୍ଟ୍ରକୁ ସମ୍ୱୋଧିତ କରି ସେ କହିଛନ୍ତି ଯେ ସରକାର ନିର୍ଦ୍ଧାରିତ ସମୟ ଭିତରେ ନିରପେକ୍ଷ ଓ ପାରଦର୍ଶୀ ନିର୍ବାଚନ କରାଇବେ ।

ୟୁନୁସ କହିଛନ୍ତି, ଆମେ ଚାହୁଁ ଯେ ଏହି ନିର୍ବାଚନ ବାଂଲାଦେଶର ଇତିହାସର ସବୁଠୁ ନିରପେକ୍ଷ ଓ ଗ୍ରହଣୀୟ ନିର୍ବାଚନ ହେଉ । ନିର୍ବାଚନ ଆୟୋଗ ଏଥିପାଇଁ ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି ଓ ଆମେ ଆଶା କରୁଛୁ ଯେ ସବୁ ରାଜନୈତିକ ଦଳ ଯୋଶ ଓ ଉତ୍ସାହ ସହ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବେ ।

ନିଜ ସମ୍ୱୋଧନରେ ସେ ଭୁଲ ସୂଚନା ଓ ଗୁଜବକୁ ଦେଶକୁ ଅସ୍ଥିର କରିବା ପଡ଼ଯନ୍ତ୍ର ବୋଲି କହିଛନ୍ତି । ସେ କହିଛନ୍ତି ଯେ ସୋସିଆଲ୍ ମିଡିଆ ଓ ମିଡିଆ ଜରିଆରେ ଗୋଟିଏ ପରେ ଗୋଟିଏ ଫେକ୍ ନ୍ୟୁଜ୍ ପ୍ରଚାର କରାଯାଉଛି । ସେ କହିଛନ୍ତି, ଗୋଟିଏ ଫଟୋ ସହ ଅନ୍ୟ ଫଟୋକୁ ଯୋଡ଼ି ମିଛ ନେରେଟିଭ୍ କରାଯାଉଛି । ଅନ୍ୟ କୌଣସି ଦେଶର ଘଟଣାର ବାଂଲାଦେଶର କୁହାଯାଉଛି । ନିର୍ବାଚନ ତାରିଖ ପାଖେଇ ଆସିବା ସହ ଏହି ଅଭିଯାନ ଆହୁରି ମାରାତ୍ମକ ହେବ ।

ୟୁନୁସ କହିଛନ୍ତି, ଆମେ ଯୁଦ୍ଧ ସ୍ଥିତିରେ ଅଛୁ, ଏହା ନଭୁଲିବା ଦରକାର । ଆମ ବିରୋଧୀ ଗୁଜବକୁ ନିଜର ସବୁଠୁ ବଡ଼ ହତିଆର ରୂପେ ବ୍ୟବହାର କରୁଛନ୍ତି । ଏହି ଅଭିଯାନ ପଛରେ ବହୁ ବିଶେଷଜ୍ଞ ଓ ପ୍ରଚୁର ଆର୍ଥିକ ସହାୟତା ଦିଆଯାଉଛି । ଏହାର ଉଦ୍ଦେଶ୍ୟ ଆମ ସରକାରକୁ ଅସଫଳ କରିବା । କିନ୍ତୁ ଆମେ ଏହି ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦେବୁ ନାହିଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.