ୱାଶିଂଟନ ଡିସି,୨୬/୦୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ‘ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ତା’ ପୂର୍ବରୁ ଏହାକୁ କିଣିବା ପାଇଁ ବିଦେଶୀ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ଦିନକରେ ଲୋକେ ୧ ହଜାର ଗୋଲ୍ଡ କାର୍ଡ କିଣିନେଇଛନ୍ତି । ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟ୍ନିକ୍ ଏହି ସୂଚନା ଦେଇଛନ୍ତି ।
ଚଳିତବର୍ଷ ଜାନୁଆରୀରେ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ୍ ଆମେରିକାରେ ବେଆଇନ ଭାବେ ରହୁଥିବା ବିଦେଶୀଙ୍କୁ ବିଦା କରୁଛନ୍ତି । ଏମିତି କି ସ୍ଥାୟୀ ନାଗରିକତା ଦେବା ନେଇ କଠୋର ନିୟମ ମଧ୍ୟ ଆଣୁଛନ୍ତି । ଏଭଳି ସ୍ଥିତିରେ ଟ୍ରମ୍ପ୍ଙ୍କ ଗୋଲ୍ଡ କାର୍ଡ ଭିସା ବିଦେଶୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଅତ୍ୟଧିକ ବ୍ୟୟବହୁଳ ହୋଇଥିଲେ ସୁଦ୍ଧା ଏହାକୁ ଆପଣାଇବାକୁ ସେମାନେ ବାଧ୍ୟ ହେଉଛନ୍ତି । ଆମେରିକାର ସ୍ଥାୟୀ ନାଗରିକତା ହାସଲ ଲାଗି ଗୋଲ୍ଡ କାର୍ଡ ଭିସା ବର୍ତ୍ତମାନର ଇବି-୫ ନିବେଶକ ଭିସା କାର୍ଯ୍ୟକ୍ରମର ସ୍ଥାନ ନେଇପାରେ ବୋଲି କୁହାଯାଉଛି ।
ହାୱର୍ଡ ଲୁଟ୍ନିକ୍ କହିଛନ୍ତି, ଟ୍ରମ୍ପ୍ ଗୋଲ୍ଡ କାର୍ଡର ଚାହିଦା ଏବେଠାରୁ ଜବରଦସ୍ତ ରହିଛି । ଗୋଟିଏ କାର୍ଡର ମୂଲ୍ୟ ୫ ନିୟୁତ ଡଲାର (୪୪ କୋଟି ଟଙ୍କା) ରହିଛି । ଅର୍ଥାତ ୪୪ କୋଟି ଟଙ୍କା ଦେଇ ଆମେରିକାର ନାଗରିକତା ହାସଲ କରାଯାଇ ପାରିବ । ଦିନକୁ ଲୋକେ ୪୪ ହଜାର କୋଟି ଟଙ୍କାର ୧ ହଜାର କାର୍ଡ କିଣୁଛନ୍ତି । ଏହାକୁ କିଣିବା ପାଇଁ ବିଦେଶୀମାନେ ଧାଡ଼ି ଲଗାଉଛନ୍ତି । ତେବେ ଏହି ଭିସା କାର୍ଯ୍ୟକ୍ରମ ଦୁଇ ସପ୍ତାହ ପରେ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଛି ।
ସରକାରୀ ଦକ୍ଷତା ବିଭାଗ(ଡିଓଜିଇ)ର ମୁଖ୍ୟ ଏଲନ୍ ମସ୍କ ଏଥିପାଇଁ ସଫ୍ଟୱେର ପ୍ରସ୍ତୁତ କରୁଛନ୍ତି । ଟ୍ରମ୍ପ୍ ପ୍ରଶାସନ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି ନେଇ ଲକ୍ଷ୍ୟ ରଖିଛି । ପ୍ରଶାସନର କହିବା କଥା ହେଉଛି ଏହି ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ନୁହେଁ । କାରଣ ବିଶ୍ୱରେ ୩.୭ କୋଟି ଲୋକ ଏଭଳି ଅଛନ୍ତି, ଯେଉଁମାନେ ଏହାକୁ କିଣିପାରିବେ । ଏହି କାର୍ଯ୍ୟକ୍ରମ ଦ୍ୱାରା ହାସଲ
ହେବାକୁ ଥିବା ଆୟକୁ ସରକାର ଦେଶର ଋଣ ପରିମାଣ କମାଇବା ଲାଗି ବ୍ୟବହାର କରିବେ । ହାୱର୍ଡ ଲୁଟ୍ନିକ୍ କହିଛନ୍ତି, ଗୋଲ୍ଡ କାର୍ଡ କିଣୁଥିବା ଲୋକମାନେ ଆମେରିକାରେ ଅନିର୍ଦ୍ଦିଷ୍ଟ କାଳ ରହିବାକୁ ଅଧିକାର ପାଇବେ । କାର୍ଡ କିଣୁଥିବା ଲୋକଙ୍କ ବାବଦରେ ଯାଞ୍ଚ ବି କରାଯିବ । ଯାହାଦ୍ୱାରା ଜଣାପଡ଼ିବ ସେମାନେ ଆମେରିକାର ଆଇନ ପାଳନ କରିବେ କି ନାହିଁ । ଲୋକେ ଯଦି ବେଆଇନ କାର୍ଯ୍ୟରେ ଲିପ୍ତ ରୁହନ୍ତି, ତେବେ ତାଙ୍କ କାର୍ଡକୁ ସବୁଦିନ ପାଇଁ ରଦ୍ଦ କରାଯିବ ।
ହାୱର୍ଡ କହିଛନ୍ତି, ଯଦି ମୁଁ ଆମେରିକୀୟ ହୋଇ ନ ଥାନ୍ତି, ତେବେ ୬ଟି କାର୍ଡ କିଣିଥାଆନ୍ତି । ଗୋଟିଏ ମୋ ପାଇଁ, ଗୋଟିଏ ପତ୍ନୀଙ୍କ ପାଇଁ ଓ ୪ଟି ସନ୍ତାନଙ୍କ ଲାଗି । ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ମୁତାବକ, ଗୋଲ୍ଡ କାର୍ଡ ନାଗରିକଙ୍କୁ ଗ୍ରୀନ କାର୍ଡ ଭଳି ସ୍ୱତନ୍ତ୍ର ଅଧିକାର ପ୍ରଦାନ କରିବ । ଏହି ନୂଆ କାର୍ଯ୍ୟକ୍ରମ ଦ୍ୱାରା ଦେଶରେ ନିବେଶ ବଢ଼ିବ । ଏଥିସହ ଇବି-୫ ସହ ଜଡ଼ିତ ହେରଫେର ଘଟଣା ବି ବନ୍ଦ ହୋଇଯିବ । ଚାକିରିଆଙ୍କ ଉପରେ ଲଗାମ କଷାଯିବ ।
ଡୋନାଲ୍ଡ ଟ୍ରମ୍ପ୍ ‘ଗୋଲ୍ଡ କାର୍ଡ’କୁ ଇବି-୫ ଭିସା କାର୍ଯ୍ୟକ୍ରମର ବିକଳ୍ପ ଦର୍ଶାଇଛନ୍ତି ଏବଂ କହିଛନ୍ତି, ଭବିଷ୍ୟତରେ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି କରାଯିବା ସମ୍ଭବ । ତେବେ ଆମେରିକାର ନାଗରିକତା ପାଇଁ ଇବି-୫ ଭିସା କାର୍ଯ୍ୟକ୍ରମ ସବୁଠୁ ସହଜ ରାସ୍ତା । ଏଥିପାଇଁ ଲୋକଙ୍କୁ ୧ ମିଲିୟନ ଡଲାର (୮.୭୫ କୋଟି ଟଙ୍କା) ଦେବାକୁ ହୋଇଥାଏ । ଇବି-୫ ଭିସା କାର୍ଯ୍ୟକ୍ରମ ବିଦେଶୀଙ୍କୁ ସ୍ଥାୟୀ ବାସିନ୍ଦା ସୁବିଧା ପ୍ରଦାନ କରିଥାଏ । ଗୋଲ୍ଡ କାର୍ଡ ଉଭୟ ଆବାସିକ ଓ ନାଗରିକତା ସୁବିଧା ପ୍ରଦାନକୁ ତ୍ୱରାନ୍ୱିତ କରିବ । ତେବେ ଏ ନେଇ ଅଧିକ ମାର୍ଗଦର୍ଶିକା ଜାରି ହେବା ବାକି ରହିଛି ।
ଇବି-୫ କାର୍ଯ୍ୟକ୍ରମରେ ବର୍ଷକୁ ୧୮ ହଜାର ୭୮୬ ଭିସା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି । କିନ୍ତୁ ଗୋଲ୍ଡ କାର୍ଡ ଭିସା ଅସୀମିତ । ଅତି ଧନୀ ବା ‘ଅଲ୍ଟ୍ରା-ହାଇନେଟ୍ୱର୍ଥ’ ବ୍ୟକ୍ତିଙ୍କ ପାଇଁ ଏହା ସୁହାଇବ । ଅନ୍ୟ ଏକ ରିପୋର୍ଟ ଦର୍ଶାଇଛି ଯେ ସବୁ ଧନୀକ ଶ୍ରେଣୀର ଲୋକମାନେ ଗୋଲ୍ଡ କାର୍ଡକୁ ଆପଣାଇ ନ ପାରନ୍ତି । ଫୋର୍ବସ ଏ ବାବଦରେ ବିଶ୍ୱର ୧୮ ଅରବପତିଙ୍କ ସହ କଥା ହୋଇ ସେମାନଙ୍କ ମତାମତ ନେବାରେ ୧୩ ଜଣ ଟ୍ରମ୍ପ୍ କାର୍ଡ ପାଇଁ ଆଗ୍ରହୀ ନ ଥିବା ଦର୍ଶାଇଛନ୍ତି ।
କାନାଡାର ଜଣେ ଅରବପତି କହିଛନ୍ତି, ଯଦି ଆପଣ ଜଣେ ବିଲିୟନେୟାର, ତେବେ ଏହି କାର୍ଡ ଆବଶ୍ୟକ ହିଁ ନାହିଁ । ରୁଷ୍ର ଜଣେ ଅରବପତି କହିଛନ୍ତି, କିଏ ଏହି କାର୍ଡ କିଣିବାକୁ ୫ ନିୟୁତ ଡଲାର ଦେବ, ତାହା ମୁଁ ବୁଝିପାରୁ ନାହିଁ । ଭାରତର ଦ୍ୱିତୀୟ ବୃହତ ହସ୍ପିଟାଲ ଶୃଙ୍ଖଳର ଅଧ୍ୟକ୍ଷ ଅଭୟ ସୋଏ କହିଛନ୍ତି, ମୁଁ ଭାରତ ଛଡ଼ା ଅନ୍ୟ କୌଣସି ଦେଶର ନାଗରିକ ହେବାକୁ ଚାହେଁନାହିଁ । ଅନ୍ତତଃ ଚଳିତ ଶତାବ୍ଦୀ ପାଇଁ ନୁହେଁ ।