ମିଆଁମାର ଭୂମିକମ୍ପରେ ୧୦୦୦ ମୃତ; ଆମେରିକା କହିଲା, ସଂଖ୍ୟା ୧୦ ହଜାର ପାର କରିପାରେ

Published By : Prameya-News7 Bureau | March 29, 2025 IST

indiatoday

ବ୍ୟାଙ୍ଗକକ୍: ଶୁକ୍ରବାର(୨୮/ ୩/୨୫) ମିଆଁମାରରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଛାର୍‌ଖାର କରିଦେଇଛି। ଭୂମିକମ୍ପର କେନ୍ଦ୍ର ସ୍ଥଳ ମାଣ୍ଡଲେ ସହରରେ ଥିଲା। ଭୂମିକମ୍ପ ପରଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଲ୍ଡିଂ ଧ୍ୱାଂସାବଶେଷ ହଟାଇ ମୃତଦେହ ଉଦ୍ଧାର କରାଯାଉଛି। ମିଆଁମାରର ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୦୦ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଆମେରିକାର ଏଜେନ୍ସି କହିଛି ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିପାରେ। 

ମିଆଁମାରରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ କେନ୍ଦ୍ର ସ୍ଥଳ ଠାରୁ ୯୦୦ କିମି ଦୂର ବ୍ୟାଙ୍ଗକକ୍‌ ବି ଥରାଇ ଦେଇଥିଲା। ଫଳରେ ବଡ଼ ବଡ଼ ବିଲ୍ଡିଂ ଓ ବ୍ରିଜ୍‌ ଗୋଟିଏ ଝଟ୍‌କାରେ ଭାଙ୍ଗିପଡ଼ିଥିଲା। ଭୂମିକମ୍ପର ଝଟ୍‌କା ଭାରତର କିଛି ଅଂଶ ଯଥା ମେଘାଳୟ ଏବଂ ମଣିପୁର ସମେତ ବାଂଲାଦେଶର ବିଶେଷକରି ଢାକା ଏବଂ ଚଟ୍ଟୋଗ୍ରାମ ଏବଂ ଚୀନରେ  ଅନୁଭୂତ ହୋଇଥିଲା। 

ଭୂମିକମ୍ପ ନେଇ ମିଆଁମାରର ସରକାରୀ ଗଣମାଧ୍ୟମ ଶୁକ୍ରବାର ଥବର ପ୍ରକାଶ କରିଛି। 

ଗତକାଲିର ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା ୧,୦୦୨ ରେ ପହଞ୍ଚିଛି ଏବଂ ୨,୩୭୬ ଜଣ ଆହତ ହୋଇଛନ୍ତି ବୋଲି ମିଡିଆ କହିଛି। ବିଭିନ୍ନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି, କିନ୍ତୁ ରାସ୍ତା ଏବଂ ପୋଲ କ୍ଷତିଗ୍ରସ୍ତ ଯୋଗୁ ଏବେ ବି ଅନେକ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚିପାରି ନାହାନ୍ତି ବୋଲି ମିଡିଆ କହିଛି। 

ମିଆଁମାର ଏହି ଘଡ଼ସନ୍ଧୀ ମୁହୂର୍ତ୍ତରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଭାରତ ସହାୟତା ଦେବାକୁ ପ୍ରସ୍ତୁତ ବୋଲି ଘୋଷଣା କରିବା ପରେ, ଭାରତ ଏକ IAF C 130 J ବିମାନରେ ସୌର ଲ୍ୟାମ୍ପ, ଖାଦ୍ୟ ପ୍ୟାକେଟ ଏବଂ ରୋଷେଇ ସେଟ୍ ସମେତ ୧୫ ଟନ୍ ରିଲିଫ୍ ସାମଗ୍ରୀ ଧରି  ମିଆଁମାରରେ ଲ୍ୟାଣ୍ଡ କରିଛି। କେବଳ ସେତିକି ନୁହେଁ, ୪୦ ଜଣିଆ NDRF ଉଦ୍ଧାରକାରୀ ଦଳ, ବିଶେଷ ଉପକରଣ ଏବଂ ସନ୍ଧାନ କୁକୁର ସହିତ ମିଆଁମାରର ନାୟପିଡା ଅଭିମୁଖେ ଯାତ୍ରା କରିଛନ୍ତି। ସହାୟତା ପାଇଁ ଅଧିକ ବାୟୁସେନା ବିମାନ ପ୍ରସ୍ତୁତ ଅଛି ବୋଲି ଅଧିକାରୀମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.