ଆଇନ ଶୃଙ୍ଖଳାକୁ ନେଇ ସରକାରକୁ ଘେରିଲେ ବିରୋଧୀ, ଏମିତି ଜବାବ ଦେଲେ ଆଇନମନ୍ତ୍ରୀ

Published By : Prameya-News7 Bureau | March 31, 2025 IST

ଭୁବନେଶ୍ଵର: ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ରାଜଧାନୀ ସମେତ ସାରା ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ଭୁଶୁଡ଼ିଛି । କଂଗ୍ରେସ କହିଛି ସବୁ ଜିଲ୍ଲାରେ ମହିଳା ନିର୍ଯାତନା ବଢ଼ି ଚାଲିଛି । ବାରମ୍ବାର ଦାବି ପରେ ବି ସରକାର ଏନେଇ ଗୃହ କମିଟି ଗଠନ କଲେନି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ୍ ଦେଇଛି ଶାସକ ଦଳ । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବ ସରକାରରେ ଅପରାଧର ହାର ବର୍ତ୍ତମାନ ସରକାରରେ ହ୍ରାସ ପାଇବାରେ ଲାଗିଛି । ଯେଉଁଠି ବି କ୍ରାଇମ୍ ହେଉଛି ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । 

ବିରୋଧୀଙ୍କ ଅଭିଯୋଗ, ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନ୍ ଶୃଙ୍ଖଳା । ସରକାରଙ୍କ ଜବାବ୍, ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣରେ ଅଛି । ଆଇନ ଶୃଙ୍ଖଳାକୁ ନେଇ ମୁହାଁମୁହିଁ ବିରୋଧୀ ଓ ଶାସକ । ଦୁଇ ଦିନରେ ଗଡ଼ିଲାଣି ୩ ମୁଣ୍ଡ । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି । 

ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ସକକାର ଏଥିରେ ବିଫଳ ହୋଇଛନ୍ତି । ରାଜଧାନୀ ସମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ଯାଇଛି । ଭୁବନେଶ୍ବରର ଭରତପୁର ଓ କବିସୂର୍ଯ୍ୟନଗର ଘଟଣା ଏହା ପ୍ରମାଣିତ କରୁଛି । ପ୍ରତି କଥାରେ ରାଜନୈତିକ ହସ୍ତକ୍ଷେପ ରହୁଛି । ସରକାରୀ ଦଳର ସାଧାରଣ କର୍ମୀ ପୋଲିସର କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି । ସରକାର ବେଳହୁଁ ସାବଧାନ ନହେଳେ ଆଇନ୍ ଶୃଙ୍ଖଳା ଆହୁରି ବିଗିଡ଼ିଯିବ ବୋଲି ଅଭିଯୋଗ କରିଛି ବିଜେଡି ।

କଂଗ୍ରେସ କହିଛି ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି । ସରକାର ଗଣତନ୍ତ୍ରକୁ ବିଶ୍ବାସ କରୁ ନାହାନ୍ତି । ଯେଉଁଠି ମହିଳା ସୁରକ୍ଷିତ ନୁହନ୍ତି ସେଠି ରାଜ୍ୟ କିଭଳି ସୁରକ୍ଷିତ ରହିପାରିବ । ବାରମ୍ବାର ଦାବି ପରେ ବି ସରକାର ଗୃହ କମିଟି ଗଠନ କଲେ ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ୍ ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ଅପେକ୍ଷା ବର୍ତ୍ତମାନ ସରକାରରେ ରାଜ୍ୟରେ ଅପରାଧ ହାର ହ୍ରାସ ପାଇବାରେ ଲାଗିଛି । ୨୦୨୩ ଜୁନରୁ ୨୦୨୪ ଫେବ୍ରୁଆରୀ  ଏବଂ ୨୦୨୪ ଜୁନରୁ ୨୦୨୫ ଫେବ୍ରୁଆରୀ ଭିତରେ ତୁଳନାତ୍ମକ ତଥ୍ୟ ଅନୁସାରେ ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା ୨୩%ରୁ ୧୮%କୁ ହ୍ରାସ ପାଇଛି। ମହିଳା ଓ ଶିଶୁ ଅପରାଧ କମିଛି । ହତ୍ୟାକାଣ୍ଡ ୧୦୮୪ରୁ ୧୦୦୩କୁ ହ୍ରାସ ପାଇଛି । ନାବାଳିକା ଦୁଷ୍କର୍ମ ୯୯୫ରୁ ୯୪୮କୁ ହ୍ରାସ ପାଇଛି । ଦୁଷ୍କର୍ମ ୧୮୬୩ରୁ ୧୮୩୦କୁ କମିଛି । ଯୌନ ନିର୍ଯାତନା ୮୭୮ରୁ ୭୫୯କୁ ହ୍ରାସ ପାଇଛି । ଏଥି ସହ ମନ୍ତ୍ରୀ କହିଛନ୍ତି ଯେ, ବିଜେଡି ଓ କଂଗ୍ରେସ ଏବେ ଦୁଇ ଭାଇ ହୋଇଯାଇଛନ୍ତି । ସେମାନଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ । ରାଜ୍ୟରେ ଆଇନ୍ ଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ଯେଉଁଠି ବି ଅପରାଧ ଘଟୁଛି ସରକାର ତୁରନ୍ତ ତା’ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । 

ପୂର୍ବ ସରକାର ସମୟରେ ବି ରାଜ୍ୟରେ ଅପରାଧ ଘଟୁଥିଲା ଆଉ ବର୍ତ୍ତମାନ ସରକାରରେ ବି ଅପରାଧ ଘଟୁଛି । ତେବେ ଆଇନ ଶୃଙ୍ଖଳାକୁ ନେଇ ରାଜନୀତି କରିବା ଅପେକ୍ଷା କିଭଳି ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ ଓ ଅପରାଧୀଙ୍କୁ ସାବାଡ଼ କରାଯାଇପାରିବ ସେଥି ପ୍ରତି ଦୃଷ୍ଟି ଦେଲେ ହୁଏତ ରାଜ୍ୟବାସୀ ଉପକୃତ ହୋଇପାରନ୍ତେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.