ଭୂକମ୍ପରେ ଛାରଖାର୍ ମିଆଁମାରରେ ପୁଣିଥରେ ଝଟ୍‌କା, ୧୦୦୦ ରୁ ଅଧିକ ମୃତ

Published By : Prameya-News7 Bureau | March 29, 2025 IST

ନୂଆଦିଲ୍ଲୀ ୨୯/୦୩: ମିଆଁମାର ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୦୦୦ ପାର ହୋଇଛି । ୨୩୦୦ ଶହରୁ ଅଧିକ ଆହତ ହୋଇଛନ୍ତି । ଏହି ପ୍ରଳୟଙ୍କାରୀ ବିପର୍ଯ୍ୟୟରେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ। ଏବେବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ନେଇ ଅନୁମାନ କରାଯାଉଛି। 

ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜଧାନୀ ନାପିଦା ମଶାଣି ଭୂଇଁ ସଦୃଶ ରୂପ ନେଇଛି। ଗତକାଲିର ଏ ପ୍ରଳଙ୍କକାରୀ ବିପର୍ଯ୍ୟୟ ପରେ ମିଆଁମାରର ଜୁଣ୍ଟା ସରକାର ମୁଖ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ବିଶ୍ବର ଯେ କୌଣସି ରାଷ୍ଟ୍ର ଯେ କୌଣସି ପ୍ରକାର ସହାୟତା ପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି। 

ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପ ଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । କେନ୍ଦ୍ରୀୟ ମିଆଁମାରର ମାଣ୍ଡଲେ ନିକଟରେ ଶୁକ୍ରବାର ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା ୭.୭ ରହିଥିଲା  । ଏହାର ୧୧ ମିନିଟ୍‌ ପରେ ଆସିଥିବା ଦ୍ବିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା ।

ଏହାର କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ ୧୦ରୁ ୩୦ କିମି ଗଭୀରତାରେ ଥିଲା ବୋଲି ଜଣାପଡ଼ିଛି । ଭୂକମ୍ପର ଭୀଷଣ ଝଟ୍‌କାରେ ଥାଇଲ୍ୟାଣ୍ଡରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି । ବ୍ୟାଙ୍କକ୍‌ରେ ଏକ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.