ନିଜ ସମ୍ପତ୍ତି କମିବାରୁ ଶୁଳ୍କ କମାଇବାକୁ ଅନୁରୋଧ କଲେ ମସ୍କ: ପ୍ରତ୍ୟାକ୍ଷାନ କଲେ ଟ୍ରମ୍ପ

Published By : Prameya-News7 Bureau | April 08, 2025 IST

INTERNET

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ ଯୋଗୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତ୍ତି କମିବାରେ ଲାଗିଛି। ଏଥିପାଇଁ ମସ୍କ ଟ୍ରମ୍ପଙ୍କୁ ଟାରିଫ ନୀତି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ହେଲେ ଟ୍ରମ୍ପଙ୍କ ତାଙ୍କ ଅନୁରୋଧକୁ ପ୍ରତ୍ୟାକ୍ଷାନ କରି ଦେଇଥିବା ସୂଚନା ମିଳିଛି। ଟ୍ରମ୍ପଙ୍କ ମନ୍ତ୍ରଣାଳୟ ସୂତ୍ରରୁ ଖବର ନେଇ ଆମେରିକା ଗଣମାଧ୍ୟମ ୱାଶିଂଟନ ପୋଷ୍ଟ ଏଭଳ ରିପୋର୍ଟ ପ୍ରକାଶ କରିଛି। 

ସୋମବାର ପ୍ରକାଶିତ ୱାଶିଂଟନ ପୋଷ୍ଟର ରିପୋର୍ଟ ଅନୁଯାୟୀ, ମସ୍କ ଟ୍ରମ୍ପଙ୍କୁ ଟାରିଫ୍ ନୀତିରେ କିଛି ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ। ବିଶେଷ କରି ଚୀନ ଉପରେ ଶୁଳ୍କ ହ୍ରାସ କରିବାକୁ ସେ ରାଷ୍ଟ୍ରପତିଙ୍କ ପାଖରେ ଅନୁରୋଧ କରିଥିଲେ, କିନ୍ତୁ ଟ୍ରମ୍ପ ଏଥିରେ କୌଣସି ପ୍ରକାର ବୁଝାମଣା କରିବାକୁ ମନା କରିଦେଇଛନ୍ତି।

ପଢନ୍ତୁ- ଟ୍ରମ୍ପ ଟାରିଫ୍‌କୁ ଚେକ୍‌ ଦେବାକୁ ମୋଦୀ ସରକାରଙ୍କ ପଦକ୍ଷେପ ! ୟୁରୋପ ସହ ବାଣିଜ୍ୟ ପାଇଁ ଆଲୋଚନା

ଏହା ପୂର୍ବରୁ ମଧ୍ୟ ଟ୍ରମ୍ପ ଟାରିଫ ବିରୋଧରେ ମସ୍କ ଶ୍ୱର ଉତ୍ତୋଳନ କରି ସାରିଛନ୍ତି।  ଇଟାଲୀରେ ଏକ ସମ୍ମିଳନୀରେ ମସ୍କ କହିଥିଲେ ଯେ ଆମେରିକା ଏବଂ ୟୁରୋପ ଶୂନ୍ୟ ଶୁଳ୍କ ନୀତି ଗ୍ରହଣ କରିବା ଉଚିତ। ସେ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ଅବାସ୍ତବ ବୋଲି ମଧ୍ୟ କହିଥିଲେ। 

ଖର୍ଚ୍ଚ କାଟ ନାଁରେ ବିଭାଗ ଖୋଲି ସମସ୍ତଙ୍କୁ ଚାକିରିରୁ ବିଦା କରୁଥିବା ଏଲନ ମସ୍କ ନିଜେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଟ୍ରମ୍ପଙ୍କ ପାଲଟା ଶୁଳ୍କର ଘୋଷଣା ପରେ, ଏଲନ ମସ୍କଙ୍କ ନେଟ୍ ସମ୍ପତ୍ତି ପ୍ରାୟ ୯୪ ହଜାର କୋଟି ଟଙ୍କା ହ୍ରାସ ପାଇଛି। ୨୦୨୫ ଆରମ୍ଭରୁ ଏହା ୯.୪ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ନଭେମ୍ବର ୨୦୨୪ ପରେ ପ୍ରଥମ ଥର ପାଇଁ ମସ୍କଙ୍କ ସମ୍ପତ୍ତି ୩୦୦ ବିଲିୟନ ଡଲାର ସ୍ତର ତଳକୁ ଖସିଯାଇଛି।

ବ୍ଲୁମବର୍ଗ ବିଲିୟନର୍ସ ଇଣ୍ଡେକ୍ସ ଅନୁଯାୟୀ, ମାର୍ଚ୍ଚ ୨୦୨୫ ସୁଦ୍ଧା ମସ୍କଙ୍କ ମୋଟ ସମ୍ପତ୍ତି ୩୩୦ ବିଲିୟନ ଡଲାର ଥିଲା। ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହେବାରେ ନିଜର ପୂର୍ବ ସ୍ଥିତି କାଏମ ରଖିଥିଲେ। 

ପଢନ୍ତୁ- ଭାରତରୁ ରପ୍ତାନୀରେ ରେକର୍ଡ ଭାଙ୍ଗିଲା ଆପଲ: କେବଳ ମାର୍ଚ୍ଚ ମାସରେ ୧୩% ବୃଦ୍ଧି

ସେପଟେ ଆମେରିକା ସରକାର ଚୀନ ଉପରେ ୫୦ ପ୍ରତିଶତରୁ ବି ଅଧିକ ଶୁଳ୍କ ଲଗାଇଥିବା ବେଳେ ଆମେରିକାର ଅଧିକାଂଶ କମ୍ପାନୀ ଚୀନରେ ଉତ୍ପାଦାନ କରୁଛନ୍ତି। ଏଭଳି ସ୍ଥଳରେ ଚୀନ ଉପରେ ଏତେ ଶୁଳ୍କ ଲାଗିଲେ ସେଠାରୁ ରପ୍ତାନୀ ହ୍ରାସ ପାଇବ। ଯେଉଁଥିରେ ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲାର୍ ମଧ୍ୟ ଏକ ବଡ଼ ଉତ୍ପାଦନ କେନ୍ଦ୍ର ରହିଛି। ତେଣୁ ଚୀନ ଠାରୁ ଶୁଳ୍କ ହ୍ରାସ କରିବାକୁ ମସ୍କ ଟ୍ରମ୍ପଙ୍କୁ ବ୍ୟକ୍ତିଗତ ଭାବେ କହିଥିବା ଜଣାପଡ଼ିଛି। 

ଅନ୍ୟପଟେ ଟ୍ରମ୍ପ ନିର୍ବାଚନ ରାଲିରେ ଆମେରିକାବାସୀଙ୍କୁ ଦରଦାମ କମ୍ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ନିଜେ ପାଲଟା ଶୁଳ୍କ ଲଗାଇବା ପରେ ଆମେରିକା ଶେୟାର ମାର୍କେଟ୍‌ର ହ୍ରାସ ହେବା ସହିତ ଦରଦାମ ବଢ଼ିବାରେ ଲାଗିଛି। ଯଦି ଟ୍ରମ୍ପଙ୍କ ଏଭଳି ଧାରା ଜାରି ରହିଲା ତେବେ ଟ୍ରମ୍ପ ସରକାର ଆମେରିକାବାସୀଙ୍କ ଆକ୍ରୋସର ଶିକାର ହୋଇପାରନ୍ତି। ସେପଟେ ଅର୍ଥନୀତିଜ୍ଞାମାନେ କିନ୍ତୁ ଟ୍ରମ୍ପଙ୍କର ଏଭଳି ଟାରିଫ ବୃଦ୍ଧି କରିବାକୁ ସମାଲୋଚନା କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.