ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଏକ ବିରଳ ରେକର୍ଡ କରିଛନ୍ତି ଇଂଲଣ୍ଡ ବ୍ୟାଟର ଜୋ ରୁଟ୍। ଟେଷ୍ଟ ଇତିହାସରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିବା ବ୍ୟାଟର ଭାବରେ ୮୦୦୦ରୁ ଅଧିକ ସ୍କୋର କରିଥିବା ସେ ଚତୁର୍ଥ ବ୍ୟାଟର ହୋଇଛନ୍ତି। ଲଣ୍ଡନର ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତ ବିପକ୍ଷରେ ତୃତୀୟ ଟେଷ୍ଟର ଚତୁର୍ଥ ଦିନରେ ରୁଟ ଏହି ସଫଳତା ହାସଲ କରିଛନ୍ତି। ରୁଟଙ୍କ ପୂର୍ବରୁ ଏହି ରେକର୍ଡ କରିଥିବା ଅନ୍ୟ ଖେଳାଳିମାନେ ହେଲେ ସଚିନ ତେନ୍ଦୁଲକର, ମାହେଲା ଜୟବର୍ଦ୍ଧନେ ଏବଂ ଜ୍ୟାକ୍ କାଲିସ୍।
ଚତୁର୍ଥ ଦିନ ମଧ୍ୟାହ୍ନ ଭୋଜନ ସୁଦ୍ଧା, ଚତୁର୍ଥ ସ୍ଥାନରେ ବ୍ୟାଟିଂ କରୁଥିବା ରୁଟ୍ କ୍ୟରିୟର ୯୯ ଟେଷ୍ଟରେ ୧୭୦ ଇନିଂସରୁ ୮୦୦୯ ରନ୍ କରିଥିଲେ। ଏହି ଦୃଷ୍ଟିରୁ ଦେଖିଲେ ସେ ୫୧.୬୭ ହାରରେ ସେ ରନ ସଂଗ୍ରହ କରିଥିବା ସହ କ୍ୟାରିୟରରେ ୨୫ ଶତକ ଏବଂ ୩୭ ଅର୍ଦ୍ଧଶତକ ହାସଲ କରିଛନ୍ତି।
ପଢ଼ନ୍ତୁ- ଅଗ୍ରଣୀ ହାସଲ କରିବାରେ ବିଫଳ ହେଲା ଭାରତ, ତୃତୀୟ ଦିନରେ ଚମକିଲେ କେଏଲ ରାହୁଲ
ଏହି ରେକର୍ଡ କରିଥିବା ଏଲିଟ୍ ଗ୍ରୁପ୍ ମଧ୍ୟରେ, ସଚିନ ଏକମାତ୍ର ବ୍ୟାଟର ଭାବରେ ଏହି ସ୍ଥାନରେ ୧୦,୦୦୦ରୁ ଅଧିକ ରନ୍ ସ୍କୋର କରିଛନ୍ତି। ସେ ୧୭୯ଟି ମ୍ୟାଚ୍ ରୁ ୧୩,୪୯୨ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ୪୪ଟି ଶତକ ଏବଂ ୫୮ଟି ଅର୍ଦ୍ଧଶତକ ରହିଛି।
ଚତୁର୍ଥ ସ୍ଥାନରେ ୮୦୦୦ ରୁ ଅଧିକ ଟେଷ୍ଟ ରନ୍ କରିଥିବା ବ୍ୟାଟରମାନେ ହେଲେ
ସଚିନ ତେନ୍ଦୁଲକର (ଭାରତ) – ମ୍ୟାଚ୍: ୧୭୯, ରନ୍: ୧୩,୪୯୨
ମହେଲା ଜୟବର୍ଦ୍ଧନେ (ଶ୍ରୀଲଙ୍କା) – ମ୍ୟାଚ୍: ୧୨୪, ରନ୍: ୯,୫୦୯
ଜ୍ୟାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା) – ମ୍ୟାଚ୍: ୧୧୧, ରନ୍: ୯୦୩୩
ଜୋ ରୁଟ୍ (ଇଂଲଣ୍ଡ) – ମ୍ୟାଚ୍: ୯୯, ରନ୍: ୮,୦୦୯*
ବିରାଟ କୋହଲି (ଭାରତ) – ମ୍ୟାଚ୍: ୯୯, ରନ୍: ୭,୫୬୪
ବ୍ରାଏନ୍ ଲାରା (ୱେଷ୍ଟଇଣ୍ଡିଜ୍/ଆଇସିସି ଏକାଦଶ) – ମ୍ୟାଚ୍: ୯୧, ରନ୍: ୭,୫୩୫
ଏହା ପୂର୍ବରୁ, ଲର୍ଡସରେ ଦ୍ୱିତୀୟ ଦିନରେ ରୁଟ୍ ତାଙ୍କ ଟେଷ୍ଟ କ୍ୟାରିୟରରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଥିଲେ। ଇଂଲଣ୍ଡର ଏହି ବ୍ୟାଟର ତାଙ୍କର ୩୭ ତମ ଟେଷ୍ଟ ଶତକ ହାସଲ କରି, ରାହୁଲ ଦ୍ରାବିଡଙ୍କ ୩୬ ଶତକକୁ ପଛରେ ପକାଇ ସର୍ବାଧିକ ଟେଷ୍ଟ ଶତକ ହାସଲକାରୀ ବ୍ୟାଟରଙ୍କ ତାଲିକାରେ ପଞ୍ଚମ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଥିଲେ।