ରୋହିତ-ସୂର୍ଯ୍ୟଙ୍କ ଦମଦାର ବ୍ୟାଟିଂ, ଇଂଲଣ୍ଡକୁ ୧୭୨ ରନର ଚ୍ୟାଲେଞ୍ଜିଂ ଲକ୍ଷ୍ୟ ଦେଲା ଭାରତ

Published By : Prameya-News7 Bureau | June 28, 2024 IST

ଗୁଏନା: ଟି-୨୦ ବିଶ୍ଵକପ୍‌ରେ ଆଜି ଖେଳା ଯାଉଥିବା ବର୍ଷା ବାଧାପ୍ରାପ୍ତ ଦ୍ଵିତୀୟ ସେମି ଫାଇନାଲ୍‌ ମୁକାବିଲାରେ ଭାରତ  ୭ ଓ୍ଵିକେଟ୍ ହରାଇ ୧୭୧ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୭ ରନ ଓ ସୂର୍ଯ୍ୟକୁମାର ଯାଦବଙ୍କ ୪୭ ରନର ଇନିଂସ ବଳରେ ଏହି ସ୍କୋର କରି ପାରିଛି। ଧିମା ପିଚ୍‌ରେ ଏହି ମୁକାବିଲା ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ରହିଛି ୧୭୧ ରନର ବିଜୟ ଲକ୍ଷ୍ୟ। ବୋଲିଂରେ ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଦ୍ଵିତୀୟ ସେମିର ବିଜେତା ଦଳ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୧୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ବିରାଟ କୋହଲି ନିଜର ଖରାପ ଫର୍ମ ବଜାୟ ରଖି ୯ ରନ କରି ଆଉଟ୍ ହୋଇଥିଲେ। ଏହାପରେ ରୋହିତ ଶର୍ମା ଓ ଋଷଭ ପନ୍ତ ୨ୟ ଓ୍ଵିକେଟ୍ ପାଇଁ ୨୧ ରନ ଯୋଡ଼ିଥିଲେ। ପନ୍ତ(୪) ଆଜି ନିରାଶ କରିଥିଲେ। ତେବେ ରୋହିତ ଶର୍ମା ନିଜର ଫର୍ମ ଜାରି ରଖି ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରି ଚାଲିଥିଲେ। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରିଥିଲେ। ତେବେ ବର୍ଷା ଯୋଗୁଁ ପିଚ୍ ଓ ଆଉଟ୍ ଫିଲ୍ଡ ଧିମା ରହିଥିବାରୁ ଦୁଇ ବ୍ୟାଟର ଆଶାନୁରୂପ ବଡ଼ ସଟ୍ ଖେଳି ପାରି ନ ଥିଲେ। ତଥାପି ଦମଦାର ବ୍ୟାଟିଂ କରି ୩ୟ ଓ୍ଵିକେଟ୍‌ରେ ୭୩ ରନ ଯୋଡ଼ିଥିଲେ। 

ଅର୍ଦ୍ଧଶତକ ହାସଲ କରିଥିବା ରୋହିତ ଶର୍ମା ୩୯ ବ୍‌ରୁ ୬ ଚୌକା ଓ ୨ ଛକା ସହ ୫୭ ରନ କରି ପାଭିଲିୟନ ଫେରିଥିଲେ। ତାଙ୍କ ପରେ ପରେ ସୂର୍ଯ୍ୟକୁମାର ୩୬ ବଲରୁ ୪ ଚୌକା ଓ ୨ ଛକା ସହ ୪୭ ରନର ଉଲ୍ଲେଖନୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଉପ ଅଧିନାୟକ  ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜରେ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରି ୧୩ ବଲରୁ ୨୩ ରନ କରିଥିଲେ। ଫଳରେ ଭାରତର ରନ  ହାର ବଜାୟ ରହିଥିଲା। ଶେଷ ଆଡ଼କୁ ରବୀନ୍ଦ୍ର ଜାଡ଼େଜା ୯ ବଲରୁ ୧୭ ରନ ଓ ଅକ୍ଷର ୬ ବଲରୁ ୧୦ ରନର ବହୁମୂଲ୍ୟ ଇନିସ ଖେଳିବାରୁ ଭାରତ ୭ ଓ୍ଵିକେଟ୍ ହରାଇ ୧୭୧ ରନର ଚ୍ୟାଲେଞ୍ଜିଂ ସ୍କୋର କରି ପାରିଛି।  

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.