ବାର୍ବାଡୋସରେ ଆନନ୍ଦର ଅଶ୍ରୁ; ବିଶ୍ବ ବିଜୟୀ ପରେ ଭାବବିହ୍ବଳ ହେଲେ କୋଚ୍ ଏବଂ ଖେଳାଳି

Published By : Prameya-News7 Bureau | June 30, 2024 IST

ମୁମ୍ବାଇ: କାନ୍ଦିଲେ ରୋହିତ୍, କାନ୍ଦିଲେ ବିରାଟ୍, ହାର୍ଦ୍ଦିକ୍ ଓ ସିରାଜ୍ । ଏ ଅଶ୍ରୁ ଆନନ୍ଦର, ଏ ଅଶ୍ରୁ ବିଜୟ । ଜୋହାନ୍ସବର୍ଗ ପରେ ଭାରତୀୟ ଖେଳାଳି ଓ ଫ୍ୟାନ୍ସଙ୍କ ଲୁହରେ ଭିଜିଲା ବ୍ରିଜଟାଉନ୍ । ଓ୍ବେଷ୍ଟଇଣ୍ଡିଜର ବାରବାଡୋସରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବ ବିଜେତା ହେବା ପରେ ଆନନ୍ଦରେ ଆତ୍ମହରା ହୋଇଥିଲେ ଖେଳାଳି । ଅଧିନାୟକ ରୋହିତ୍ ଶର୍ମା ମ୍ୟାଚ୍ ଜିତିବା ପରେ ଭାବବିହ୍ବଳ ହୋଇଯାଇଥିଲେ । ଆଉ ପଡ଼ିଆରେ ମୁହିଁ ପୋତି ଶୋଇ କାନ୍ଦିବାକୁ ଲାଗିଥିଲେ । ଶେଷ ଓଭର ଶେଷ ବଲ ପରେ ବିଜୟ ଖୁସିରେ ଉପ-ଅଧିନାୟକ ପାଣ୍ଡ୍ୟାଙ୍କ ଅଖିରୁ ନିଗିଡି ଯାଇଥିଲା ଆନନ୍ଦର ଲୁହ । ତାଙ୍କୁ ଖୁସିରେ ଚିମ୍ବନ କରିଥିଲେ ରୋହିତ୍ । ଇଣ୍ଟରଭ୍ୟୁ ସମୟରେ ହାର୍ଦ୍ଦିକ୍ ଏହାକୁ ଶବ୍ଦରେ ବର୍ଣ୍ଣନା କରିପାରୁନଥିଲେ ।  

ଅହମ୍ମଦାବାଦ ଦିନିକିଆ ବିଶ୍ବକପ୍ ପରାଜୟ ଲୁହକୁ ପୋଛି ଦେଇଛି ବ୍ରିଜଟାଉନର ଆନନ୍ଦର ଅଶ୍ରୁ । ଟି-୨୦ ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆ ୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବାରବାଡୋସରେ ବିଜୟ ତ୍ରିରଙ୍ଗା ପୋତିଛି । ୧୭ ବର୍ଷ ପରେ ଅଧିନାୟକ ରୋହିତ୍ ଶର୍ମାଙ୍କ ନେତୃତ୍ବରେ ଇତିହାସ ରଚିଛି ଭାରତ । ଫାଇନାଲ୍ ଟ୍ରଫି ହତେଇବା ପରେ ଏକ ଭିନ୍ନ ଷ୍ଟାଇଲରେ ସେଲିବ୍ରିସନ କରିଥିଲେ ହିଟ୍ ମ୍ୟାନ୍ । ଫୁଟବଲ୍ ଷ୍ଟାର୍ ମେସିଙ୍କ ଭଳି ବିଶ୍ବକପ୍ ଟ୍ରଫି ଉଠାଇଥିଲେ ରୋହିତ୍ ଆଣ୍ଡ-କୋ । ଟ୍ରଫିକୁ ଧରି ପୁରା ଷାଡ଼ିୟମ ବୁଲିଥିଲେ କୋଚ୍, ଖେଳାଳି ଓ ଟିମ୍ ଷ୍ଟାପ୍ । ଖାଲି ଏତିକିରେ ଥମି ନଥିଲା ବିଜୟ ଉଲ୍ଲାସ । ବିରାଟ୍, ଅର୍ଶଦୀପ୍, ରିଙ୍କୁ ସିଂହ, ଅକ୍ଷର ପଟେଲ୍ ପଡ଼ିଆ ନାଚ ଗୀତର ଆସର ଜମାଇଦେଇଥିଲେ । ପଞ୍ଜାବି ବିଟ୍‌ରେ ନାଚି ଥିଲେ ସମସ୍ତେ । ରୋହିତ୍ ଶର୍ମା ବିଜୟ ପରେ ଦର୍ଶକଙ୍କୁ ହାତ ଯୋଡ଼ି ନମସ୍କାର କରିବା ସହିତ ବାରବାଡୋସ୍ ପିଚ୍ ମାଟିକୁ ଆନନ୍ଦରେ ଖାଇବାକୁ ଲାଗିଥିଲେ । 


୧୭ ବର୍ଷ ପରେ ଇତିହାସ ଦୋହରାଇଛି ଟିମ୍ ଇଣ୍ଡିଆ । ଦିନିକିଆ ବିଶ୍ବକପ୍ ପରାଜୟ ଶୃଙ୍ଖଳକୁ ଭାଙ୍ଗି ଟି-୨୦ରେ ବିଶ୍ବକପରେ ଅପରାଜେୟ ରହିଛି । ଏପଟେ କୋଚ୍ ରାହୁଲ ଦ୍ରାବିଡଙ୍କୁ ବିଦୟୀ ବେଳେ ସର୍ବଶ୍ରେଷ୍ଠ ଉପହାର ମିଳିଛି । ଡ୍ରେସିଂ ରୁମ୍‌ରେ ବସିଥିବା ରାହୁଲ ଦ୍ରାବିଡ଼ ଉତ୍ସାହରେ ଲମ୍ଫ ମାରିଥିଲେ। ବିଜୟରେ ଆତ୍ମହରା ହେବାର ଏହା ଥିଲା ପ୍ରକୃତ ମୁହୂର୍ତ୍ତ । ଏପଟେ ଭାରତରେ ମୌସୁମୀ ବର୍ଷାରେ ଦୀପାବଳି ହୋଇଥିଲା । ରାତି ୧୧ଟା ପରେ ବି ଚେଇଁ ଥିଲା ଦେଶ । ଆତସବାଜି କରିବା ସହିତ ବିଶ୍ବକପ୍ ବିଜୟରେ ଖୁସି ମନାଉଥିଲେ । 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.