ୟୁରୋ ଚାମ୍ପିଅନସିପ୍‌; କ୍ୱାର୍ଟର ଫାଇନାଲ୍‌ରେ ଫ୍ରାନ୍ସ ଓ ପର୍ତ୍ତୁଗାଲ୍, ବେଲଜିୟମ୍ ବିଦା

Published By : Prameya-News7 Bureau | July 02, 2024 IST

ବର୍ଲିନ,୨/୭: ବେଲଜିୟମର ଭାଙ୍ଗିଲା ୟୁରୋ ଟାଇଟଲ ସ୍ବପ୍ନ । ଫିଫା ମାନ୍ୟତାର ତୃତୀୟ ସ୍ଥାନରେ ରହିଥିବା ବେଲଜିୟମ ୟୁରୋ ଚାମ୍ପିଅନସିପ୍‌ରୁ ବାଦ ପଡ଼ିଛି ।  ଡୁସେଲଡର୍ଫରେ ଅନୁଷ୍ଠିତ ରାଉଣ୍ଡ-୧୬ର ଏକ ମ୍ୟାଚ୍‌ରେ ବେଲ୍‌ଜିୟମ୍‌  ୦-୧ ଗୋଲ୍‌ରେ ଫ୍ରାନ୍ସ ଠାରୁ ପରାସ୍ତ ହୋଇଛି । ଏହି ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲେ ମଧ୍ୟ ଶେଷରେ ବେଲ୍‌ଜିୟମ୍‌ ଖେଳାଳି ଜାନ୍‌ ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ଫ୍ରାନ୍ସ ବିଜୟ ହାସଲ କରିଥିଲା । ଫ୍ରାନ୍ସ ଏହି ବିଜୟ ସହ ଷଷ୍ଠ ଥର ପାଇଁ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଫ୍ରାନ୍ସ । କେବଳ ସେତିକି ନୁହେଁ, ବିଶ୍ୱକପ୍‌ ଏବଂ ୟୁରୋକୁ  ମିଶାଇ ବେଲ୍‌ଜିୟମ୍‌ ବିପକ୍ଷରେ ଏହା ଫ୍ରାନ୍ସର ପଞ୍ଚମ ବିଜୟ।

୮୫ତମ ମିନିଟ୍‌ରେ ଫ୍ରାନ୍ସ ଖେଳାଳି କୋଲୋ ମୁଆନି ଗୋଲ ପାଇଁ ପ୍ରୟାସ  କରିଥିଲେ । ଡିଫେନ୍ସରେ ରହିଥିବା  ଭର୍ତୋଙ୍ଗେନ ବଲ୍‌ ଅଟକାଇବା ପାଇଁ ପ୍ରୟାସ କରୁଥିବାବେଳେ ତାଙ୍କ ଗୋଡରେ ବଲ୍‌ ବାଜି ନିଜ ଦଳର ଗୋଲ୍‌ ପୋଷ୍ଟ  ଭିତରକୁ ଚାଲିଯାଇଥିଲା । ମ୍ୟାଚ୍‌କୁ  ଫେରିବା ପାଇଁ ବେଲ୍‌ଜିୟମ୍‌ ନିକଟରେ ଆଉ ସମୟ ନଥିଲା ।  ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ପେନ୍‌ ଘନ ଘନ ଆକ୍ରମଣ କରିଥିଲା । ସମ୍ପୂର୍ଣ୍ଣ ୯୦ମିନିଟ୍‌ ମଧ୍ୟରେ ଦଳ ମୋଟ୍‌ ୧୯ଟି ସୁଯୋଗ ସୃଷ୍ଟି କରିଥିଲା । ମାତ୍ର  ଗୋଟିଏ ହେଲେ ଗୋଲ୍‌ କରିପାରି ନଥିଲା ।  କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚି ସାରିଥିଲେ ହେଁ ଫ୍ରାନ୍ସର କୌଣସି ଖେଳାଳି ଏପର୍ଯ୍ୟନ୍ତ ଗୋଲ୍‌ କରିନାହାନ୍ତି । ଅଷ୍ଟ୍ରିୟା ବିପକ୍ଷ ଲିଗ୍ ମ୍ୟାଚ୍‌ରେ ଫ୍ରାନ୍ସ ଆତ୍ମଘାତୀ ଗୋଲ୍‌ ବଳରେ ଜିତିଥିଲା । ଏହାପରେ ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ  ରହିଥିଲା । ସେହିପରି ପୋଲାଣ୍ଡ ବିପକ୍ଷ ମ୍ୟାଚ୍‌ ମଧ୍ୟ ୧-୧ ଗୋଲ୍‌ରେ   ଡ୍ର’ ରହିଥିଲା । ଉଭୟ ଦଳ ପେନାଲ୍ଟି ବଳରେ ଗୋଲ୍‌ କରିଥିଲେ ।

ସେପଟେ ଅନ୍ୟ ଏକ ମ୍ୟାଚ୍‌ରେ  ପର୍ତ୍ତୁଗାଲ୍‌ ୩-୦ ପେନାଲ୍ଟି ସୁଟ୍‌ ଆଉଟ୍‌ ଗୋଲ୍‌ରେ ସ୍ଲୋଭେନିଆକୁ ହରାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା । ମ୍ୟାଚ୍‌ର ନିର୍ଦ୍ଧାରିତ ୯୦ ମିନିଟ୍‌ ଓ ଅତିରିକ୍ତ ୩୦ ମିନିଟ୍‌ ମଧ୍ୟରେ ଗୋଲ୍‌ ହୋଇ ନଥିଲା ।  ପ୍ରଥମ କରି ରାଉଣ୍ଡ-୧୬ରେ ପ୍ରବେଶ କରିଥିବା ସ୍ଲୋଭେନିଆ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା । କେବଳ ପତ୍ତୁର୍ଗାଲକୁ  ଅଟକାଇବାରେ ସ୍ଲୋଭେନିଆ ସବୁ ଶକ୍ତି ଲଗାଇଥିଲା । ୯୦ ମିନିଟ୍‌  ମଧ୍ୟରେ ପର୍ତ୍ତୁଗାଲ ଅନେକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଗୋଲ୍ ସମ୍ଭବ ହୋଇନଥିଲା । ନିର୍ଦ୍ଧାରିତ ସମୟ ଗୋଲ୍‌  ଶୂନ୍ୟ ରହିବାରୁ ଅତିରିକ୍ତ ୩୦ ମିନିଟ୍‌ ଖେଳ ହୋଇଥିଲା । ୧୦୫ତମ ମିନିଟ୍‌ରେ ପର୍ତ୍ତୁଗାଲ ପାଇଁ ଏକ ପେନାଲ୍ଟି   ଜିତିଥିଲେ ଡିଓଗୋ ଜୋଟା । ରୋନାଲ୍ଡୋଙ୍କୁ ପେନାଲ୍ଟି ମାରିବା ପାଇଁ ସୁଯୋଗ ଦିଆଯାଇଥିଲା । ମାତ୍ର ବିଶ୍ୱର ଶ୍ରେଷ୍ଠ ଖେଳାଳି ଫେଲ୍ ମାରିଥିଲେ । ତାଙ୍କ ସଟ୍‌କୁ ସ୍ଲୋଭେନିଆ ଗୋଲ୍‌ କିପର ଜାନ ଓବ୍ଲାକ୍‌ ଅଟକାଇ ଦେଇଥିଲେ ।  ୧୨୦ ମିନିଟ୍‌ର ଖେଳ ମଧ୍ୟରେ ଗୋଲ୍‌ ହୋଇନଥିଲା ।  ଶେଷରେ ଟାଇବ୍ରେକର ସହାୟତା ନିଆଯାଇଥିଲା । ପର୍ତ୍ତୁଗାଲ୍‌   ୩-୦ ପେନାଲ୍ଟି ସୁଟ୍‌ ଆଉଟ୍‌ ଗୋଲ୍‌ରେ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ।  

  • Euro Cup 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.