ଭୁବନେଶ୍ଵର ବିଜେଡିରେ ମୁଣ୍ଡ ଟେକିଲାଣି ଗୋଷ୍ଠୀ କନ୍ଦଳ, ମୁହାଁମୁହିଁ ଦୁଇ ଗୋଷ୍ଠୀ

Published By : Prameya-News7 Bureau | July 03, 2024 IST

ଭୁବନେଶ୍ଵର:  ଭୁବନେଶ୍ବରରେ ବିଜେଡି କର୍ପୋରେଟରଙ୍କ ଭିତରେ ଅଲ ଇଜ୍ ନଟ୍ ଓ୍ବେଲ୍ । ସଙ୍ଗଠନକୁ ସଜାଡିବା ବିଜେଡି ନେତାଙ୍କ ପାଇଁ   ଟେନସନ ହେଲାଣି ।   ଗୋଟିଏ ପଟେ  ସଙ୍ଗଠନକୁ ସଜାଡିବାକୁ ବରିଷ୍ଠ ନେତା ଆଲୋଚନା କରୁଥିବାବେଳେ ଅନ୍ୟ ଗୋଷ୍ଠୀ  ହୋଟେଲରେ ମେଳି ବାନ୍ଧିଲେଣି । ଦଳ ଭିତରେ କିଏ ବିଭୀଷଣ ଆଉ କିଏ ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛି  ତାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଏକାମ୍ର ବିଜେପି ବିଧାୟକ ବାବୁ ସିଂ  ବୟାନ ଏବେ ବିଜେଡି କର୍ପୋରେଟରଙ୍କ  ବିଜେପି ଲିଙ୍କ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। 

Also read: ମନ୍ଦିରକୁ ଯାଇପାରିବେନି VIP, ଶୃଙ୍ଖଳିତ ରଥଯାତ୍ରା ସହ ମହିଳା ସୁରକ୍ଷାକୁ ପ୍ରାଥମିକତା

ଭୁବନେଶ୍ବର ବିଜେଡିରେ ଅଲ ଇଜ୍ ନଟ୍ ଓ୍ବେଲ୍ । ବିଜେଡି କର୍ପୋରେଟଙ୍କ ଭିତରେ କିଏ ବିଭୀଷଣ ? କିଏ  ପୁଣି ପକୃତ କର୍ମୀ ? ତାକୁ ନେଇ ଚାଲିଛି ଛକାପଞ୍ଝା । ବିଜେଡି କର୍ପୋରେଟରଙ୍କ  ଭିତରେ ଉପୁଜିଥିବା ବିବାଦ ସମାଧାନ କରିବା ପାଇଁ ଆଜି ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ଘରେ ବସିଥିଲା ବୈଠକ । ଏହି ବୈଠକରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଭୁବନେଶ୍ବର ସଙ୍ଗଠନ ସମ୍ପାଦକ ସୁଶାନ୍ତ ରାଉତ ଏବଂ କର୍ପୋରେଟର ଅମରେଶ ଜେନା ଉପସ୍ଥିତ ଥିଲେ ।  ବୈଠକରୁ ବାହାରିବା ପରେ ଦଳୀୟ କର୍ପୋରେଟର ଅମରେଶ ଜେନା କହିଛନ୍ତି   ବିଜେଡିକୁ ଭାଙ୍ଗିବା ପାଇଁ ଚେଷ୍ଟା ଚଳାଇଛନ୍ତି କିଛି ଦଳୀୟ ନେତା । ଦଳରେ ବିଭୀଷଣ ଅଛନ୍ତି । କିନ୍ତୁ ତାହା ତାଙ୍କୁ କରାଇ ଦିଆଯିବ ନାହିଁ । ବିଏମସି ଓ ସିଏମସି ହେଉ ବିଜେଡି ସବୁଠି ଏକାଠି ଅଛି ବୋଲି କହିଛନ୍ତି ଅମରେଶ ।

ଏପଟେ କର୍ପୋରେଟରଙ୍କୁ ଏକାଠି କରିବାକୁ ବିଜେଡିର ବଡ ନେତା ପ୍ରୟାସ ଚଳାଇଥିବା ବେଳେ ସେପଟେ ମଧ୍ୟ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀର   ପ୍ରାୟ ୨୪ ଜଣ କର୍ପୋରେଟର ଏକ ହୋଟେଲରେ ମେଳି ବାନ୍ଧିଥିଲେ ।   ସାମ୍ବାଦିକ ସମ୍ମିଳନୀ କରି ସେମାନେ  କିଛି କର୍ପୋରେଟରଙ୍କ ବିରୋଧରେ  ବର୍ଷିଛନ୍ତି । କହିଛନ୍ତି କିଛି ଗୋଠ ଛଡା  କର୍ପୋରେଟର ଅଛନ୍ତି ଯେଉଁମାନେ  ଏଭଳି   ମିଥ୍ୟା ଗୁଜବ କରୁଛନ୍ତି। ଟିକେଟ ଆଶାୟୀ ଥିଲେ ଟିକେଟ ନ ମିଳିବାରୁ ଏଭଳି କହୁଛନ୍ତି । ଆମ ଭିତରେ କିଛି ଫାଟ ନାହି କି ମତାନ୍ତର ନାହିଁ,  ଆମେ ଏକାଠି ଅଛୁ ।  ଆଗାମୀ ଦିନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ନେବାକୁ ସୁପାରିଶ କରାଯିବ ।

ସେପଟେ ନିକଟରେ  ବିଜେଡି କର୍ପୋରେଟର ଅମରେଶ ଜେନା, ବିରଞ୍ଚି ମହାସୁପକାର ଏବଂ ଶ୍ରୀଧର ବେହେରା ଏକାମ୍ର ବିଜେପି ବିଧାୟକ ବାବୁ ସିଂଙ୍କୁ ତାଙ୍କ ଜନ୍ମଦିନରେ ଭେଟିଥିବା ଦେଖିବାକୁ ମିଳିଥିଲା ।  ଯାହାକୁ ନେଇ ଏବେ ବିଜେଡିର କିଛି କର୍ପୋରେଟର ବିଜେପି ଲିଙ୍କରେ ଥିବା ଚର୍ଚ୍ଚା ହେଉଛି । ଏମିତିରେ ବିଜେପି ବିଧାୟକ ବାବୁ ସିଂଙ୍କ କହିବା କଥା ଯିଏ ବିଜେପିରେ ଯୋଗ ଦେବେ   ସିଏ ସଭାପତିଙ୍କ ସହ ଆଲୋଚନା କରି ଯୋଗଦେଇପାରିବେ । ଭୁବନେଶ୍ବରରେ ବିଜେଡି କର୍ପୋରେଟରଙ୍କ ଭିତରେ ମନୋମାଳିନ୍ୟ ବିଜେଡି ପାଇଁ ଭବିଷ୍ୟତରେ ବହୁତ ସମସ୍ୟା ସୃଷ୍ଟି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.