ଦିନକ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ବଡ଼ଦାଣ୍ଡରେ ପ୍ରସ୍ତୁତ ରଥତ୍ରୟ

Published By : Prameya-News7 Bureau | July 06, 2024 IST

ପୁରୀ ୦୬।୦୭ : ଦିନକ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡରେ ପ୍ରସ୍ତୁତ ହେଲାଣି ରଥତ୍ରୟ । ଠାକୁରଙ୍କ ଆଜ୍ଞାମାଳ ବିଜେକୁ ଅପେକ୍ଷା କରିଛନ୍ତି ନିର୍ମାଣକାରୀ । ଶନିବାର ତିନି ରଥରେ ପ୍ରଭା ସ୍ଥାପନ ହେବ । ଠାକୁରଙ୍କ ସିଂହାସନର ଏକ ଅଂଶ ହେଉଛି ପ୍ରଭା । ଠାକୁରେ ପ୍ରଭାକୁ ଆଉଜି ଅବସ୍ଥାନ କରିଥାନ୍ତି । ତିନି ରଥରେ କନାମଣ୍ଡଣି କାର୍ଯ୍ୟ ଶେଷ ହୋଇ ଅଳଙ୍କରଣ ସରିଲେ ରଥ କାର୍ଯ୍ୟ ସରିବ । ଶନିବାର ସକାଳ ୮ଟା୪୫ମିନିଟ୍‌ରେ ଠାକୁରଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବ ବୋଲି ପ୍ରଶାସନିକ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । 

ଶୁକ୍ରବାର ତିନି ରଥରେ ଠେକରା ବାଡ଼ ବୁଲିଛି । ତାଳଧ୍ୱଜ ରଥରେ ସବୁଜ ରଙ୍ଗର, ନନ୍ଦିଘୋଷ ରଥରେ ହଳଦିଆ ଓ ଦର୍ପଦଳନ ରଥରେ କମଳା ରଙ୍ଗର ଠେକରା ବାଡ଼ ଲାଗିଛି। ଗୁରୁବାର ପ୍ରଭା କାର୍ଯ୍ୟ ମଧ୍ୟ ଶେଷ କରିଛନ୍ତି ଚିତ୍ରକାର । ଶନିବାର ପ୍ରଭା ସ୍ଥାପନ ହେଲେ ରଥରେ ଠାକୁରଙ୍କ ଅବସ୍ଥାନ ପାଇଁ ବେଦି ସିଂହାସନ କାର୍ଯ୍ୟ ଶେଷ ହେବ। ଧମକ ଉପରେ ଜଗତପୃଷ୍ଠଶେଣୀ ରଖାଯାଇ ତା’ଉପରେ ପଟା ପଡି ସିଂହାସନ ପରିଛା ପଡିଥିଲା । ଭୋଇ ସେବକମାନେ ପ୍ରଭା ରଖିବେ । ପରେ ପ୍ରଭା କଣ୍ଟା ପଡ଼ିବ। ଶେଷରେ ପଟା ପଡି ଚକା ରଖାଯିବ ।ରଥଯାତ୍ରା ଅବସରରେ  ଚକାବେଦିରେ ଠାକୁରେ ବସିବେ। ସିଂହାସନରେ ଚକା ବସାଇବା ପରେ ରଥ ନିର୍ମାଣ ଶେଷ ହେବ ବୋଲି ନିର୍ମାଣକାରୀ କହିଛନ୍ତି । ସିଂହାସନ ଉପରେ କନକମୁଣ୍ଡି କାମ ଶେଷ ହୋଇଛି । କନକମୁଣ୍ଡିରେ ପିତଳ ଚାଦର ବୁଲିଛି । ରଥରେ ପିତ୍ତଳର ଅଳଙ୍କାରମାନ ଲଗାଯାଉଛି। ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗୁଛି। ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯାଇ ପ୍ରସ୍ତୁତ ହୋଇଯିବ ରଥତ୍ରୟ । 

ଶନିବାର ଶ୍ରୀମନ୍ଦିରରେ ସକାଳ ଧୂପ ପରେ ରଥ ଆଜ୍ଞା ମାଳ ବିଜେ ନୀତି ରହିଛି । ଚଳିତ ବର୍ଷ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ  ଆସି ରଥ ଖଳାରେ ପହଞ୍ଚିବ । ଏହାପରେ ରଥଖଳାରୁ  ତିନି ରଥକୁ ଟଣାଯାଇ ସିଂହଦ୍ୱାରରେ ପହଞ୍ଚାଯିବ ।

 

  • puri
  • puri news
  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.