ମେସିଙ୍କୁ ମିଳିଲାନି ଆର୍ଜେଣ୍ଟିନା ଟିମରେ ସ୍ଥାନ, ଅଲିମ୍ପିକ୍ସ ପାଇଁ ଏହି ଖେଳାଳିଙ୍କୁ କରାଗଲା ଚୟନ

Published By : Prameya-News7 Bureau | July 03, 2024 IST

ନୂଆଦିଲ୍ଲୀ: ଅଲିମ୍ପିକ୍ସ ୨୦୨୪ ଚଳିତ ବର୍ଷ ପ୍ୟାରିସରେ ଆୟୋଜନ କରାଯିବ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଧୀରେ ଧୀରେ ଖେଳାଳି ଏବଂ ଟିମ ନାଁ ଘୋଷଣା କରାଯାଉଛି । ଏହାରି ଭିତରେ ଅଲିମ୍ପିକ୍ସ ୨୦୨୪ରେ ଆର୍ଜେଣ୍ଟିନା ନିଜ ଟିମ୍ ଘୋଷଣା କରିଛି । ତେବେ ଏହି ଟିମ୍‌ରେ ଆର୍ଜେଣ୍ଟିନାର ସବୁଠାରୁ ବଡ଼ ଖେଳାଳି ଲିଓନେଲ ମେସିଙ୍କ ନାଁ ନାହିଁ । ଆର୍ଜେଣ୍ଟିନାର କୋଚ୍ ଜେଭିୟର ମାଶେରାନୋ ଟିମ୍ ଘୋଷଣା କରିଛନ୍ତି । ଏହି ଟିମରେ ବିଶ୍ୱକପ ବିଜେତା ଦଳର କେବଳ ୪ ଜଣଙ୍କୁ ସ୍ଥାନ ଦିଆଯାଇଛି । ଏହି ଚାରି ଖେଳାଳିଙ୍କ ମଧ୍ୟରେ ଷ୍ଟ୍ରାଇକର ଜୁଲିୟନ ଅଲଭାରେଜ ଏବଂ ଡିଫେଣ୍ଡର ନିକୋଲସ ଓଟାମେଣ୍ଡିଙ୍କ ନାଁ ସାମିଲ ରହିଛି ।

ମେସି ଚଳିତ ବର୍ଷ ଶାରୀରିକ ଆଘାତର ସାମନା କରୁଛନ୍ତି ଏବଂ ବର୍ତ୍ତମାନ ସମୟରେ ସେ କୋପା ଆମେରିକାରେ ଆର୍ଜେଣ୍ଟିନାର ପ୍ରତିନିଧିତ୍ୱ କରୁଛନ୍ତି । ଟିମର ଲକ୍ଷ୍ୟ ୨୦୨୧ରେ ଜିତିଥିବା କୋପା ଆମେରିକା ଟାଇଟଲକୁ ବଜାୟ ରଖିବା । ଆର୍ଜେଣ୍ଟିନା ୨୦୨୧ରେ କୋପା ଆମେରିକା ଜିତିବା ପରେ ୨୦୨୨ରେ ବିଶ୍ୱକପ ଜିତିଥିଲା । ମେସି ନିଜର ଏକମାତ୍ର ଅଲିମ୍ପିକ ଅଭିଯାନରେ ୨୦୦୮ରେ ବେଜିଂରେ ଟିମକୁ ସ୍ୱର୍ଣ୍ଣ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଅଲିମ୍ପିକ ପୁରୁଷ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅଣ୍ଡର-୨୩ ଟିମ୍ ପାଇଁ ହୋଇଥାଏ, କିନ୍ତୁ ସବୁ ଟିମରେ ତିନି ବୟସ୍କ ଖେଳାଳିଙ୍କୁ ଖେଳିବା ପାଇଁ ଅନୁମତି ଦିଆଯାଇଥାଏ । କୋପା ଆମେରିକା ଶେଷ ହେବା ପରେ ଗୋଲକିପର ଗେରୋନିମୋ ରୁଲି, ଓଟାମେଣ୍ଡି ଏବଂ ଅଲଭାରେଜକୁ ଟିମରେ ସାମିଲ କରାଯିବ । ନିକଟରେ ରିଭର ପ୍ଲେଟରୁ ମାଞ୍ଚେଷ୍ଟର ସିଟିରେ ସାମିଲ ହୋଇଥିବା ମିଡଫିଲ୍ଡର କ୍ଲାଡିଓ ଏଚେଭେରି ମଧ୍ୟ ଟିମରେ ସାମିଲ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.