ଟିମ୍ ଇଣ୍ଡିଆର ମହାରାଷ୍ଟ୍ର ଖେଳାଳିଙ୍କୁ ସମ୍ମାନୀତ କଲେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ବଡ଼ ଘୋଷଣା

Published By : Prameya-News7 Bureau | July 05, 2024 IST

ମୁମ୍ବାଇ ୫।୭: ଟି-୨୦ବିଶ୍ୱକପ୍ ୨୦୨୪ ବିଜେତା ଟିମରେ ସାମିଲ ମହାରାଷ୍ଟ୍ରର ଖେଳାଳିଙ୍କୁ ଶୁକ୍ରବାର ସମ୍ମାନୀତ କରାଯାଇଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଶ୍ୱ ବିଜେତା ଟିମ୍ ନିମନ୍ତେ ବଡ଼ ଘୋଷଣା କରିଛନ୍ତି। ସିନ୍ଦେ ଭାରତୀୟ ଟିମ୍‌ ନିମନ୍ତେ ୧୧ କୋଟି ଟଙ୍କା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟିମର ସହଯୋଗୀ ସଦସ୍ୟ ପାରସ ମାହମ୍ବ୍ରେ ଓ ଅରୁଣ କନାଡେଙ୍କ ଯୋଗଦାନକୁ ପ୍ରଶଂସା କରି ସେମାନଙ୍କୁ ସମ୍ମାନୀତ କରିଛନ୍ତି। 

ଏହା ଛଡା ମୁଖ୍ୟମନ୍ତ୍ରୀ ଗୁରୁବାର ବିଜୟ ପରେଡ କାଳରେ ଶାନ୍ତିଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ପାଇଁ ମୁମ୍ବାଇ ପୋଲିସର ପ୍ରବନ୍ଧନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଓ ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଏହି ଘୋଷଣା ବିଧାନଭବନରେ କରିଛନ୍ତି, ଯେଉଁଠି ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ , ୟଶସ୍ୱୀ ଜୟସ୍ୱାଲ ଓ ଶିବମ ଦୁବେଙ୍କୁ ସମ୍ମାନିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିଶ୍ୱକପରେ ଟିମ୍‌ର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଉପରେ ମିଳିଥିବା ବିଜୟ ବ୍ୟତୀତ ସୂର୍ଯ୍ୟକୁମାରଙ୍କ କ୍ୟାଚ୍‌କୁ ପ୍ରଶଂସା କରିଛନ୍ତି। 

ତେବେ ମହାରାଷ୍ଟ୍ର ସରକାରଙ୍କ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସାଧାରଣ ସମ୍ପାଦକ ଜୟଶାହ ଭାରତୀୟ ଟିମ୍‌ ନିମନ୍ତେ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ବିସିସିଆଇ ଗୁରୁବାର ୱାଙ୍ଖଡେ ଷ୍ଟାଡିୟମରେ ହୋଇଥିବା କାର୍ଯ୍ୟକ୍ରମ କାଳରେ ଭାରତୀୟ ଟିମ୍‌ ସଦସ୍ୟଙ୍କୁ ୧୨୫ କୋଟି ଟଙ୍କାର ଚେକ୍‌ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.