ମହିଳା ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ, ନ୍ୟୁଜିଲାଣ୍ଡଠାରୁ ୫୮ ରନ୍‌ରେ ହାରିଲା

Published By : Prameya-News7 Bureau | October 04, 2024 IST

ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପରେ ଶୁକ୍ରବାର ଭାରତ ନିଜର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡଠାରୁ ୫୮ ରନ୍‌ରେ ପରାସ୍ତ ହୋଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୬୦ ରନ୍ କରିଥିଲା । ଏହାର ଜବାବରେ ଭାରତୀୟ ଟିମ୍ ୧୯ ଓଭର ଖେଳି ନିଜର ସମସ୍ତ ୱିକେଟ୍ ହରାଇ କେବଳ ୧୦୨ ରନ୍ କରିବାରେ ସକ୍ଷମ ହେଲା । 

ନ୍ୟୁଜିଲାଣ୍ଡର କ୍ୟାପ୍ଟେନ ସୋଫି ଡିଭାଇନ ବିଶ୍ୱକପର ଗ୍ରୁପ୍ ଏ'ର ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ନ୍ୟୁଜିଲାଣ୍ଡ ବ୍ୟାଟର ଆରମ୍ଭରୁ ହିଁ ଆକ୍ରାମକ ବ୍ୟାଟିଂ କରିଥିଲେ । ଦୁଇ ଓପନର ଜର୍ଜିଆ ଏବଂ ବେଟ୍ସଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୬୭ ରନର ପାର୍ଟନରଶିପ ହୋଇଥିଲା । ତେବେ କ୍ୟାପ୍ଟେନ ଡିଭାଇନଙ୍କ ୫୭ ରନର ବିସ୍ଫୋରକ ବ୍ୟାଟିଂ ବଳରେ କିୱି ଟିମ୍ ନିର୍ଦ୍ଧାରିତ ଓଭରରେ ମାତ୍ର ୪ ୱିକେଟ୍ ହରାଇ ୧୬୦ ରନର ବଡ଼ ସ୍କୋର କରିଥିଲା । ହେଲେ ଆଜିର ମ୍ୟାଚ୍‌ରେ ଭାରତର ବୋଲିଂ ଆଟାକ୍ ନିରାଶ କରିଥିଲା । କେବଳ ରେଣୁକା ଏବଂ ଆଶାଙ୍କୁ ଛାଡ଼ି ଦେଲେ ଅନ୍ୟ ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଟିମ୍ ପାଇଁ ରେଣୁକା ସିଂ ଦୁଇଟି ଏବଂ ଆଶା ଶୋଭାନା ଗୋଟିଏ ୱିକେଟ୍ ନେଇଥିଲେ ।

୧୬୧ ରନ୍‌ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା । କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ । ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ନ୍ୟୁଜିଲାଣ୍ଡ ହାତକୁ ଦେଇ ଚାଲିଥିଲେ । ଟିମ୍ ପାଇଁ କ୍ୟାପ୍ଟେନ ହରମନପ୍ରିତ ସିଂ ସର୍ବାଧିକ ୧୫ ରନ୍ କରିଥିବା ବେଳେ ଜେମିମା ରୋଡ୍ରିଗ୍ସ ୧୩, ଦିପ୍ତୀ ଶର୍ମା ୧୩, ରିଚା ଘୋଷ ୧୨ ଏବଂ ସ୍ମୃତି ମନ୍ଦନା ୧୨ ରନ୍ କରି ପାଭେଲିୟନ ଫେରିଥିଲେ । ନ୍ୟୁଜିଲାଣ୍ଡ ପାଇଁ ରୋଜମେରୀ ମୈୟର ୪ ଏବଂ ଲି ତାହୁହୁ ୩ ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.