ମୁମ୍ବାଇ ୨୧।୧୨ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ । ଆଇପିଏଲ୍ର ୧୮ ତମ ସିଜିନ ଲାଗି ବାଜିସାରିଲାଣି ବିଗୁଲ୍। ପ୍ରାଞ୍ଚାଇଜ୍ ନିଜ ନିଜର ଅଧିନାୟକ ନାଁ ଘୋଷଣା କରିଥିବା ବେଳେ କିଛି ଟିମ୍ ବାକି ଅଛନ୍ତି । ଏହିକ୍ରମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ମଧ୍ୟ ଅଧିନାୟକ ନାଁ ଘୋଷଣା କରିନାହିଁ । ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବ, ସେନେଇ ଅନେକଙ୍କ ନାଁ ଚର୍ଚ୍ଚା ଚାଲିଛି । ପ୍ରଥମେ ବିରାଟ କୋହଲି, ପରେ ରଜତ ପାଟିଦାର, ଏବେ ଆଉ ଜଣେ ଯୁବ ଖେଳାଳିଙ୍କ ନାଁ ଏହି ରେସ୍ରେ ସାମିଲ ହୋଇଛନ୍ତି । ଆସନ୍ତୁ ଜାଣିବା ପୁରା ରିପୋର୍ଟ ସଂପର୍କରେ...
ଜାତୀୟ ଗଣମାଧ୍ୟମରେ କିଛି ଦିନ ତଳେ ବିରାଟ କୋହଲି ୨୦୨୫ ଆଇପିଏଲ୍ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ର ଅଧିନାୟକ ହେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ହଠାତ୍ ବିରାଟଙ୍କ ନାଁ ଚର୍ଚ୍ଚାରୁ ହଟିଯାଇ ରଜତ ପଟିଦାରଙ୍କ ନାଁ ସାମ୍ନାକୁ ଆସିଥିଲା । ପ୍ରାଞ୍ଚାଇଜ୍ କୁଆଡେ ରଜତ ପଟିଦାରଙ୍କୁ ଆଇପିଏଲ୍ ୨୦୨୫ ସିଜିନ୍ ଲାଗି ଅଧିନାୟକ କରିବାକୁ ପ୍ଲାନ କରୁଛି ।ହେଲେ ଏବେ ଆଉ ଜଣେ ଖେଳାଳିଙ୍କ ନାଁ ଅଧିନାୟକ ହେବା ନେଇ ଚର୍ଚ୍ଚା ହେଉଛି । ବିରାଟ ଏବଂ ରଜତଙ୍କ ବଦଳରେ ଜଣେ ନୂଆ ଖେଳାଳିଙ୍କ ନାଁ ଚର୍ଚ୍ଚାକୁ ଆସିଛି । ସେ ହେଉଛନ୍ତି କୃଣାଲ ପାଣ୍ଡ୍ୟା । ଆଇପିଏଲ୍ର ମେଗା ଅକ୍ସନରେ ବାଙ୍ଗାଲୋର ପ୍ରାଞ୍ଚାଇଜ୍ କୃଣାଲ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସ ଠାରୁ ୫ କୋଟି ୭୫ ଲକ୍ଷ ଟଙ୍କାରେ କିଣିଥିଲା । ଆଉ ଏବେ ଅଧିନାୟକ କରିବାକୁ ଯୋଜନା କରୁଛି ଆରସିବି ପ୍ରାଞ୍ଚାଇଜ୍ । ହେଲେ ଏନେଇ ପ୍ରାଞ୍ଚାଇଜ୍ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ସୂଚନାଯୋଗ୍ୟ ଯେ, କୃଣାଲ ପାଣ୍ଡ୍ୟା ବର୍ତ୍ତମାନ ଯାଏଁ ୧୨୭ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୧୬୪୭ ରନ୍ ସଂଗ୍ରହ କରିଥିବା ବେଳେ ୭୬ଟି ଓ୍ୱିକେଟ୍ ନେଇଛନ୍ତି । ଜଣେ ଅଲ୍ରାଉଣ୍ଡର ଭାବେ ୮୬ ତାଙ୍କର ସର୍ବାଧିକ ସ୍କୋର ରହିଥିବା ବେଳେ ବୋଲିଂରେ ୧୧ ରନ୍ ଦେଇ ୩ଟି ଓ୍ୱିକେଟ୍ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ।