ନୂଆଦିଲ୍ଲୀ: ରବିଚନ୍ଦ୍ରନ ଅଶ୍ୱିନ ବର୍ଡର-ଗାଭାସ୍କାର ଟ୍ରଫିର ଅଧାରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି ଦେଶକୁ ଫେରିସାରିଛନ୍ତି । ତେବେ ଅଶ୍ୱିନଙ୍କ ସନ୍ନ୍ୟାସ ଘୋଷଣା ଅନେକ ପୂର୍ବତନ କ୍ରିକେଟର ଆଶ୍ଚର୍ଯ୍ୟ କରିଛି । ତାଙ୍କ ବାପା ମଧ୍ୟ ଏହି ଘୋଷଣାରେ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାରି ଭିତରେ ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ ଅଶ୍ୱିନଙ୍କ ବାପା ବକ୍ସିଂ ଡେ’ ଟେଷ୍ଟ ଏବଂ ସିଡନୀ ଟେଷ୍ଟ ପାଇଁ ବିମାନ ଟିକଟ୍ ବୁକ୍ କରିଥିଲେ । କିନ୍ତୁ ଅଶ୍ୱିନଙ୍କ ଅବସର ଘୋଷଣା ପରେ ସେ ଟିକଟ କ୍ୟାନ୍ସଲ କରିଥିଲେ ।
ଦ ଇଣ୍ଡିଅନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ ବର୍ଡର-ଗାଭାସ୍କର ଟ୍ରଫି ସମୟରେ ସନ୍ନ୍ୟାସ ନେବେ ବୋଲି ଅଶ୍ୱିନ ଭାରତରେ ହିଁ ସ୍ଥିର କରିଥିଲେ । ତେବେ ଏନେଇ ଅଷ୍ଟ୍ରେଲିଆରେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ, କାରଣ ଏହାପରେ ଭାରତୀୟ ଟିମ ଦୀର୍ଘ ଦିନ ଯାଏ ରେଡ୍ ବଲ୍ ଫର୍ମାଟରେ ନଜର ଆସିବ ନାହିଁ ।
ରିପୋର୍ଟରେ କୁହାଯାଇଛି, 'ଆଣ୍ଠୁରେ ସମସ୍ୟା ଯୋଗୁଁ ସନ୍ନ୍ୟାସ ନେବା କଥା ସେ ବିଚାର କରିଥିଲେ । ତାଙ୍କ ପାଖ ଲୋକଙ୍କ କହିବା ଅନୁସାରେ ଅଷ୍ଟ୍ରେଲିଆ ଯିବା ପୂର୍ବରୁ ହିଁ ସନ୍ନ୍ୟାସ ନେବା ଉପରେ ତାଙ୍କ ମନରେ ଦୁଇଟି ବିଚାର ଥିଲା । ଅଷ୍ଟ୍ରେଲିଆ ପାଇଁ ସେ ଉଡାଣ ଭରିବା ପରେ ପୂରା ସିରିଜ୍ ଖେଳିବେ ବୋଲି ସମସ୍ତେ ଭାବିଥିଲେ । ଏପରିକି ଅଶ୍ୱିନଙ୍କ ବାପା ବକ୍ସିଂ ଡେ ଏବଂ ନୂଆ ବର୍ଷର ଟେଷ୍ଟ ମ୍ୟାଚ୍ ଦେଖିବା ପାଇଁ ଫ୍ଲାଇଟ୍ ଟିକଟ ବୁକ୍ କରିସାରିଥିଲେ । ଡିସେମ୍ୱର ୧୮ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଭାବେ ତାଙ୍କର ଶେଷ ଦିନ ହେବ ବୋଲି ମଙ୍ଗଳବାର ରାତିରେ ଅଶ୍ୱିନ ଫୋନ କରି କହିଥିଲେ ।'
ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଅଶ୍ୱିନଙ୍କ ପରିବର୍ତ୍ତେ ୱାଶିଂଟନ ସୁନ୍ଦରଙ୍କୁ ସ୍ଥାନ ମିଳିଥିଲା । ତେବେ ଆଡିଲେଡ୍ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୩୮ ବର୍ଷୀୟ ଅନୁଭବୀ ସ୍ପିନରଙ୍କୁ ଖେଳିବାର ସୁଯୋଗ ମିଳିଥିଲା । ତେବେ ଗାବା ଟେଷ୍ଟରେ ପୁଣି ଥରେ ଅଶ୍ୱିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନଥିଲା ।