ଏମିତି ହୋଇପାରେ ଚାମ୍ପିଅନ୍ସ ଟ୍ରଫିର ସିଡ୍ୟୁଲ, ଜାଣନ୍ତୁ କେବେ ହେବ ଭାରତ-ପାକିସ୍ତାନ ମ୍ୟାଚ୍

Published By : Prameya-News7 Bureau | December 21, 2024 IST

livehindustan

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ହାଇବ୍ରିଡ ମଡେଲ୍‌ରେ ଖେଳାଯିବ। ଭାରତକୁ ବାଦ୍ ଦେଇ ବାକି ସବୁ ଦେଶ ପାକିସ୍ତାନରେ ନିଜ ନିଜର ମ୍ୟାଚ୍ ଖେଳିବେ। ଚାମ୍ପିଅନ୍ସ ଟ୍ରଫିର ମୁକାବିଲା ପାକିସ୍ତାନର ଲାହୋର, କରାଚି ଓ ଇସଲାମାବାଦରେ ଖେଳାଯିବ। ତେବେ ଭାରତ ନିଜର ମ୍ୟାଚ୍ କେଉଁଠି ଖେଳିବ ତାକୁ ନେଇ ଏବେ ବି ସଂଶୟ ଲାଗି ରହିଛି। ଏହା ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବଡ଼ ସୂଚନା ଆସିଛି। ଅନେକ ରିପୋର୍ଟ ମୁତାବକ, ଚାମ୍ପିଅନ୍ସ ଟ୍ରଫିରେ ଭାରତ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ଖେଳିପାରେ।

ରେଭସ୍ପୋର୍ଟ୍ସ ଅନୁଯାୟୀ, ଚାମ୍ପିଅନ୍ସର ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହୋଇ ପାରନ୍ତି ଭାରତ ଓ ବାଂଲାଦେଶ। ଏହା ପରେ ଏହି ଟ୍ରଫିର ସବୁଠୁ ହାଇଭୋଲଟେଜ୍ ମ୍ୟାଚ୍ ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀ ୨୩ରେ ନିରପେକ୍ଷ ସ୍ଥାନରେ ଖେଳାଯିବ। ଭାରତର ପରବର୍ତ୍ତୀ ମ୍ୟାଚ୍ ମାର୍ଚ୍ଚ ୨ ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। 

ଆଠଟି ଦଳକୁ ନେଇ ଖେଳା ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଟି ଗ୍ରୁପ ରହିଛି। ପ୍ରତ୍ୟେକ ଗ୍ରୁପରୁ ଶୀର୍ଷ ଦୁଇ ଦଳ ସେମି ଫାଇନାଲ୍‌ରେ ପହଞ୍ଚିବ। ଗ୍ରୁପ ଏରେ ପାକିସ୍ତାନ, ଭାରତ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ରହିପାରେ। ସେହିପରି ଗ୍ରୁପ ବିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ ଓ ଇଂଲଣ୍ଡ ରହିପାରେ। 

Also read: ଆୟରଙ୍କ ଧୂଆଁଧାର ଶତକ, ଚାମ୍ପିଅନ୍ସ ଟ୍ରଫି ପାଇଁ ଚୟନକର୍ତ୍ତାଙ୍କୁ ଦେଲେ ବଡ଼ ସନ୍ଦେଶ

ତେବେ ଆଇସିସି ପକ୍ଷରୁ ଖୁବ୍ ଶୀଘ୍ର ଚାମ୍ପିଅନ୍ସ ଟ୍ରଫିର କ୍ରୀଡ଼ାସୂଚୀ ଜାରି ହୋଇପାରେ। ସିଡ୍ୟୁଲ ଘୋଷଣାରେ ବିଳମ୍ବ ହେବାର କାରଣ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦ। ତେବେ ଏହି ବିବାଦର ଅନ୍ତ ଘଟି ସାରିଛି।ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ ମଡେଲ୍ ଲାଗୁ ହେବା ସହ ଆଗାମୀ ୨୦୨୭ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ। ଭାରତୀୟ ଦଳ ପରି ପାକିସ୍ତାନ ଟିମ୍ ମଧ୍ୟ ଭାରତ ଗସ୍ତ କରିବ ନାହିଁ। ଦଳ ନିରପେକ୍ଷ ସ୍ଥାନରେ ନିଜର ମ୍ୟାଚ୍ ଖେଳିବ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.