ବିବାଦରେ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ, ଏହି କାରଣ ପାଇଁ ନୋଟିସ୍ ପଠାଇଲା ପ୍ରଶାସନ

Published By : Prameya-News7 Bureau | December 21, 2024 IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏବଂ ଷ୍ଟାର୍ ବ୍ୟାଟର ବିରାଟ କୋହଲି ଅଷ୍ଟ୍ରେଲିଆରେ ଅଛନ୍ତି । ଟିମ୍ ଇଣ୍ଡିଆ ସହ ବର୍ଡର-ଗାଭାସ୍କର ଟ୍ରଫିରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ସିରିଜରେ କୋହଲିଙ୍କ ପ୍ରଦର୍ଶନ ନିରାଶଜନକ ରହିଛି । ତାଙ୍କ ବ୍ୟାଟରୁ ରନ୍ ବାହାରୁ ନାହିଁ । ଅନ୍ୟପଟେ ବିମାନ ବନ୍ଦରରେ ଅଷ୍ଟ୍ରେଲିଆର ଜଣେ ମହିଳା ସାମ୍ୱାଦିକଙ୍କ ସହ ତାଙ୍କର କଥା କଟାକଟି ଚର୍ଚ୍ଚାରେ ରହିଥିଲା । ଏହାରି ଭିତରେ ବିରାଟ କୋହିଲଙ୍କ ରେସ୍ତୋଁରା ମଧ୍ୟ ବିବାଦକୁ ଆସିଛି । ବେଙ୍ଗାଲୁରୁରେ ଥିବା ବିରାଟଙ୍କ ରେସ୍ତୋଁରା ୱାନ୍ ୮ କମ୍ୟୁନକୁ ନିୟମ ଉଲ୍ଲଂଘନ ମାମଲାରେ ନଗର ନିଗମ ପକ୍ଷରୁ ନୋଟିସ ପଠାଯାଇଛି ।

ସୂଚନା ଅନୁସାରେ, ବେଙ୍ଗାଲୁରୁ ବୃହତ ମହାନଗର ପାଳିକା (BBMP) କୋହଲିଙ୍କ ଏହି ରେସ୍ତୋଁରାକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନଥିବା କାରଣରୁ ନୋଟିସ୍ ପଠାଇଛି । କୋହଲି ଏବଂ ତାଙ୍କ ପାର୍ଟନରଙ୍କ ଜଏଣ୍ଟଭେଞ୍ଚରେ ଚାଲିଥିବା ଏହି ଟେଷ୍ଟୁରାଣ୍ଟ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ରହିଛି । ନିଜେ କୋହଲି ଅନେକ ସମୟରେ ନିଜ ସାଥୀ ଖେଳାଳିଙ୍କୁ ଏହି ରେଷ୍ଟୁରାଣ୍ଟ ନେଇ ଯାଇଥିବାର ନଜିର ରହିଛି ।

ବେଙ୍ଗାଲୁରୁର ଜଣେ ସାମାଜିକ କର୍ମୀ ଭେଙ୍କଟେଶଙ୍କ ଅଭିଯୋଗ ପରେ ବିବିଏମପି ୱାନ୍ ୮ କମ୍ୟୁନକୁ ଏହି ନୋଟିସ୍ ଜାରି କରିଛି । ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ରେଷ୍ଟୁରାଣ୍ଟ ଚାଲିଥିବା ନୋଟିସରେ କୁହାଯାଇଛି । ବେଙ୍ଗାଲୁରୁର ଏମଜି ରୋଡ୍ ସ୍ଥିତ ରତ୍‌ନାମ କମ୍ପ୍ଲେକ୍ସର ଷଷ୍ଠ ମହଲାରେ ବିରାଟଙ୍କ ଏହି ରେଷ୍ଟୁରାଣ୍ଟ ରହିଛି । ବିବିଏମପିର ଶାନ୍ତିନଗର ଡିଭିଜନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଏକି ନୋଟିସ୍ ଜାରି କରାଯାଇଛି । ଏହାସହ ଆଗାମୀ ୭ ଦିନ ଭିତରେ ନୋଟିସ୍ ଉପରେ ଜବାବ ଦେବା ପାଇଁ କୁହାଯାଇଛି । ନୋଟିସ୍ ଉପରେ ଜବାବ ନଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ କୁହାଯାଇଛି । ଏହା ପୂର୍ବରୁ ନଭେମ୍ୱର ୨୯ରେ ସମାନ ରେଣ୍ଟୁରାଷ୍ଟକୁ ନୋଟିସ୍ ଜାରି କରାଯାଇଥିଲା, କିନ୍ତୁ କୌଣସି ଜବାବ ମିଳି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.