ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି ୨୦୨୪-୨୫ ଆରମ୍ଭ ହୋଇ ଯାଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳର ବରିଷ୍ଠ ବ୍ୟାଟର ଶ୍ରେୟସ ଆୟର ଦମଦାର ଶତକ ହାସଲ କରିଛନ୍ତି। ଆୟର ବିଜୟ ହଜାରେ ଟ୍ରଫିରେ ମୁମ୍ବାଇର ନେତୃତ୍ଵ ନେଉଛନ୍ତି। ମୁମ୍ବାଇ ନିଜର ପ୍ରଥମ ମୁକାବିଲାରେ କର୍ଣ୍ଣାଟକକୁ ଭେଟିଛି। ଆଉ ଏହି ମୁକାବିଲାରେ ଶ୍ରେୟସ ୧୧୪ ରନର ଶତକୀୟ ଇନିଂସ ଖେଳି ଚାମ୍ପିଅନ୍ସ ଟ୍ରଫି ପାଇଁ ନିଜର ଦାବି ବଳିଷ୍ଠ କରିଛନ୍ତି। ତାଙ୍କ ସହିତ ବାମହାତୀ ବିସ୍ଫୋରକ ବ୍ୟାଟର ଶିବମ ଦୁବେ ମଧ୍ୟ ୬୩ ରନ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ଦୁଇ ବ୍ୟାଟରଙ୍କ ୧୪୮ ରନର ଅବିଭାଜିତ ଭାଗିଦାରୀ ବଳରେ ମୁମ୍ବାଇ ୫୦ ଓଭରରେ ୪ ଓ୍ଵିକେଟ୍ ହରାଇ ୩୮୨ ରନ କରି ପାରିଛି।
୩୦ତମ ଓଭରର ପଞ୍ଚମ ବଲରେ ଆୟୁଷ ମହାତ୍ରେ(୭୮)ଙ୍କ ଓ୍ଵିକେଟ୍ ପତନ ପରେ ଶ୍ରେୟସ ଆୟର ମଇଦାନକୁ ଓହ୍ଲାଇଥିଲେ। ସେହି ସମୟରେ ମୁମ୍ବାଇର ସ୍କୋର ୧୪୮ ରନ ଥିଲା। ଲାଗୁଥିଲା ଆଗାମୀ ୨୦ ଓଭରରେ ୧୫୦ ରନ କରି ମୁମ୍ବାଇ ୫୦ ଓଭରରେ ୩୦୦ ରନ ପାଖାପାଖି ସ୍କୋର କରିବ।
Also read: ରବିନ୍ ଉଥାପ୍ପାଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ ଓ୍ୱାରେଣ୍ଟ, କଡା କାର୍ଯ୍ୟାନୁଷ୍ଠାନ ନେବ ପୋଲିସ
ହେଲେ ଶ୍ରେୟସ ଆୟର କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୩୧ ବଲ୍ରେ ଅର୍ଦ୍ଧଶତକ ହାସଲ କରିବା ପରେ ଆହୁରି ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ପରବର୍ତ୍ତୀ ୧୯ ବଲ୍ରେ ନିଜର ଶତକ ପୂରା କରିଥିଲେ। ଏହିପରି ଶ୍ରେୟସ ୫୫ ବଲ୍ରେ ୫ ଚୌକା ଓ ୧୦ ଛକା ସହ ୧୧୪ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି। ଏଥିରୁ ସେ ୮୦ ରନ କେବଳ ବାଉଣ୍ଡରୀରୁ ସଂଗ୍ରହ କରିଛନ୍ତି।
ଅନ୍ୟପଟେ ଶିବମ ଦୁବେ ୩୬ ବଲ୍ରୁ ୬୩ ରନର ଅପରାଜିତ ଇନିଂସ ଖେଳିଛନ୍ତି।ଏଥିରେ ୫ ଚୌକା ଓ ୫ ଛକା ସାମିଲ। ଆୟରଙ୍କ ସହିତ ଶିବମ ଦୁବେ ମଧ୍ୟ ଚାମ୍ପିଅନ୍ସ ଟ୍ରଫି ପାଇଁ ନିଜର ଦାବିଦାର ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ଘରୋଇ କ୍ରିକେଟ୍ରେ ଶ୍ରେୟସ ଆୟରଙ୍କ ବ୍ୟାଟ୍ରୁ ଖୁବ୍ ରନ ବର୍ଷା ହେଉଛି। ରଣଜୀ ଟ୍ରଫିରେ ୯୦ରୁ ଅଧିକ ହାରରେ ୪୫୨ ରନ କରିଥିଲେ। ଏହା ପରେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପାଖାପାଖି ୫୦ ହାରରେ ୧୮୮ ଷ୍ଟ୍ରାଇକ ରେଟ୍ରେ ୩୪୫ ରନ କରିଛନ୍ତି। ଆଉ ଏବେ ବିଜୟ ହଜାରେ ଟ୍ରଫିର ପ୍ରଥମ ମୁକାବିଲାରେ ଶତକ ଅର୍ଜନ କରିଛନ୍ତି।