ଶନିବାର ଜିମ୍ବାଓ୍ଵେ ବିପକ୍ଷ ପ୍ରଥମ ଟି-୨୦, ଭାରତ ପାଖରେ ଇତିହାସ ରଚିବାର ସୁଯୋଗ

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ବିଜୟର ଉତ୍ସବ ଏବେ ଏବେ ପୁରା ହୋଇଛି। ସିନିୟର ଟିମ୍ ଏବେ ନିଜ ନିଜର ଘରେ ବିଶ୍ରାମ ନେବେ। ଏହା ସତ୍ତ୍ଵେ ଭାରତୀୟ ପ୍ରଶଂସକଙ୍କ କ୍ରିକେଟ୍ ପ୍ରତି କ୍ରେଜ  କମିବ ନାହିଁ। କାରଣ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ ଦଳର ଜିମ୍ବାଓ୍ଵେ ସିରିଜ୍। ଏହି ଗସ୍ତରେ ଟିମ୍ ଇଣ୍ଡିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସିରିଜ୍‌ର ପ୍ରଥମ ମୁକାବିଲା ଶନିବାର ହରାରେ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜ୍‌ରେ ଭାରତୀୟ ଟିମ୍ ପକ୍ଷରୁ ଅନେକ ଖେଳାଳିଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ମିଳିବ । 

ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଏହି ସିରିଜ୍ ଲାଗି ପୂର୍ବରୁ ଟିମ୍ ଘୋଷଣା କରିସାରିଛି । ଶୁଭମନ ଗିଲଙ୍କ ନେତୃତ୍ବାଧୀନ ଏହି ଟି-୨୦ ଦଳରେ ଋତୁରାଜ ଗାଏକ୍ବାଡ ଏବଂ ସଞ୍ଜୁ ସାମସନଙ୍କ ଭଳି ଅନୁଭବୀ ଖେଳାଳି ସାମିଲ। ଏହି ସିରିଜରେ ଶୁଭମନ ଗିଲଙ୍କ ପାଖରେ ଏକ ବଡ ରେକର୍ଡ କରିବା ପାଇଁ ସୁଯୋଗ ରହିଛି । ଯଦି ଭାରତୀୟ ଟିମ୍ ପ୍ରଥମ ମ୍ୟାଚ୍ ଜିତିଯାଏ ଯେଉଁ ଦଳ ସେହି ରେକର୍ଡ କରିବ ଯାହା ଏ ପର୍ଯ୍ୟନ୍ତ  ଟେଷ୍ଟ ଖେଳୁଥିବା କୌଣସି ଟିମ୍ କରି ନାହାନ୍ତିଁ। 

ଉକ୍ତ ରେକର୍ଡ ହେଉଛି ଟି-୨୦ ଅନ୍ତର୍ଜାତୀୟ ସର୍ବାଧିକ କ୍ରମାଗତ ମ୍ୟାଚ୍ ଜିତିବାର ରେକର୍ଡ। ଲଗାତାର ସବୁଠୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବା ରେକର୍ଡ ବରମୁଡା ନାଁରେ ରହିଛି । ବରମୁଡା ୨୦୨୧ରୁ ୨୦୨୩ ମଧ୍ୟରେ ଲଗାତାର ୧୩ଟି ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ଜିତିବାରେ ସଫଳ ହୋଇଛି। ମାଲେସିଆ ନାଁରେ ମଧ୍ୟ ଏହି ରେକର୍ଡ ରହିଛି। ମାଲେସିଆ ୨୦୨୨ରେ ଲଗାତାର ୧୩ଟି ମ୍ୟାଚ୍ ଜିତିଥିଲା। କିନ୍ତୁ ଏହି ଦୁଇଟି ଟିମ୍ ଟେଷ୍ଟ ମ୍ୟାଚ୍ ଖେଳୁନାହାନ୍ତି ।  ଯଦି ଟେଷ୍ଟ ମ୍ୟାଚ୍ ଖେଳୁଥିବା ଦେଶମାନଙ୍କ ମଧ୍ୟରେ ଆଫଗାନିସ୍ତାନ ଟିମ୍ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଲଗାତାର ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିଥିଲା ।

ଭାରତୀୟ ଦଳ ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ଲଗାତାର ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ରେକର୍ଡ କରିଛି। ଯଦି ଜିମ୍ବାଓ୍ଵେ ବିପକ୍ଷ ପ୍ରଥମ ଟି-୨୦ ଭାରତ ଜିତିଯାଏ ତେବେ ଏହି ତାଲିକାରେ ଭାରତ ଶୀର୍ଷରେ ପହଞ୍ଚିଯିବ। ଏମିତି ହେଲେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ପ୍ରଥମ ଦେଶ ଭାବେ ଭାରତ ଲଗାତାର ୧୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ରେକର୍ଡ କରିବ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.