ନୂଆଦିଲ୍ଲୀ: ଯୁଦ୍ଧରେ ୟୁକ୍ରୋନକୁ ସହଯୋଗ କରିବା ପାଇଁ ୟୁରୋପୀୟ ଦେଶ ସାମନାକୁ ଆସିଛନ୍ତି । ଅନେକ ୟୁରୋପୀୟ ଦେଶ ଶୁକ୍ରବାର ୟୁକ୍ରେନକୁ ବିଲିୟନ ଡଲାରର ଅତିରିକ୍ତ ସୈନ୍ୟ ସହାୟତା ଦେବା ପାଇଁ ସଂକଳ୍ପ ନେଇଛନ୍ତି । ଏହାରି ଭିତରେ ଆମେରିକା ରାଷ୍ଟ୍ରଦୂତ ଷ୍ଟିଭ୍ ବିଟକାଫ୍ ଯୁଦ୍ଧ ରୋକିବା ଇଚ୍ଛା ବାବଦରେ ଜାଣିବା ପାଇଁ ରୁଷ ପହଞ୍ଚିଛନ୍ତି । ଏଠାରେ ସେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ।
ବ୍ରିସେଲ୍ସରେ ଶୁକ୍ରବାର ୟୁକ୍ରେନର ପାଶ୍ଚାତ୍ୟ ସହଯୋଗୀ ଦେଶଙ୍କ ବୈଠକ ହୋଇଥିଲା । ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରୀ ଜନ୍ ହିଲି ଏହାର ଅଧ୍ୟକ୍ଷତା କରିଥିଲେ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେସ୍କି ଏହି ବୈଠକରେ ଭିଡିଓ କନଫରେନ୍ସି ଜରିଆରେ ସାମିଲ ହୋଇଥିଲେ । ବୈଠକ ପରେ ହିଲି କହିଛନ୍ତି ଯେ ୟୁକ୍ରେନକୁ ସୈନ୍ୟ ସହାୟତା ରୂପେ ଦିଆଯାଉଥିବା ନୂଆ ଆର୍ଥିକ ସହାୟତାର ମୋଟ ପରିମାଣ ୨୧ ବିଲିୟନ ୟୁରୋ (୨୪ ବିଲିୟନ ଆମେରିକୀୟ ଡଲାର)ରୁ ଅଧିକ ।
ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହା ୟୁକ୍ରେନକୁ ଦିଆଯାଇଥିବା ଆଜି ଯାଏର ସବୁଠାରୁ ବଡ଼ ସୈନ୍ୟ ସହାୟତା । ତେବେ ଏହି ସହାୟତା କେବେ ଓ କିପରି ଦିଆଯିବ ହିଲି ତାହା ସ୍ପଷ୍ଟ କରିନାହାନ୍ତି । ସେପଟେ ୟୁକ୍ରେନ ଅଭିଯୋଗ କରିଛି ଯେ କିଛି ଦେଶ ଏପରି ସମ୍ମିଳନୀରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଥାନ୍ତି । କିନ୍ତୁ ପ୍ରତିଶ୍ରୁତି ଅନୁସାରେ ବାସ୍ତବିକ ରୂପେ ହତିଆର ଗୋଳା-ବାରୁଦ ଯୋଗାଉ ନାହନ୍ତି ।
ଏହାରି ଭିତରେ କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭା କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୂତ ଷ୍ଟିଭ୍ ବିଟକାଫ୍ ରୁଷ ଆସିଛନ୍ତି । ସେଣ୍ଟ ପିଟର୍ସବର୍ଗରେ ସେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ । ଏହା ପୂର୍ବରୁ ବିଟକାଫ୍ ପୁଟିନଙ୍କ ଦୂତ କିରିଲ ଦିମିତ୍ରୀଭଙ୍କୁ ଭେଟିଥିଲେ । ଉଲ୍ଲେଖଯୋଗ୍ୟ ଯେ ବିଟକାଫଙ୍କୁ ରୁଷ ଉପରେ ଯୁଦ୍ଧବିରତିକୁ ସ୍ୱୀକାର କରିବା ପାଇଁ ଚାପ ପକାଇବା ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।