ହରିୟାଣାରେ ବିଜେପିକୁ ଝଟକା, କଂଗ୍ରେସକୁ ଫେରିଲେ ଅଶୋକ ତନୱର; କିଛି ଘଣ୍ଟା ପୂର୍ବରୁ ପଦ୍ମ ଦଳ ପାଇଁ କରୁଥିଲେ ପ୍ରଚାର

Published By : Prameya-News7 Bureau | October 03, 2024 IST

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ପୂର୍ବରୁ ଶାସକ ବିଜେପିକୁ ବଡ଼ ଝଟକା ଲାଗିଛି । ଭୋଟିଂର ଠିକ୍ ଦୁଇ ଦିନ ପୂର୍ବରୁ ପୂର୍ବତନ ସାଂସଦ ଏବଂ ଦଳିତ ନେତା ଅଶୋକ ତନୱର କଂଗ୍ରେସକୁ ଫେରିଛନ୍ତି । ମହେନ୍ଦ୍ରଗଡ଼ ନିର୍ବାଚନ ରାଲିରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ ଅଶୋକ ତନୱର କିଛି ଘଣ୍ଟା ପୂର୍ବରୁ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଥିଲେ କିନ୍ତୁ କିଛି ସମୟ ପରେ ତାଙ୍କ ହୃଦୟ ପରିବର୍ତ୍ତନ ହୋଇଛି । ଅଶୋକ ତନୱର ଗତ ୫ ବର୍ଷରେ ୪ଟି ପାର୍ଟି ପରିବର୍ତ୍ତନ କରିଛନ୍ତି ।

ଅଶୋକଙ୍କ ଘର ବାହୁଡ଼ାକୁ ପରେ କଂଗ୍ରେସ ଏକ୍ସରେ ଏକ ପୋଷ୍ଟ କରିଛି । ଏଥିରେ କୁହାଯାଇଛି, 'କଂଗ୍ରେସ ଲଗାତାର ଶୋଷିତ, ବଞ୍ଚିତଙ୍କ ହକ୍ ପାଇଁ ସ୍ୱର ଉଠାଇଛି ଏବଂ ସମ୍ୱିଧାନର ରକ୍ଷା ପାଇଁ ସଚ୍ଚୋଟତା ସହ ଲଢେଇ କରୁଛି । ଆମର ଏହି ସଂଘର୍ଷ ଏବଂ ସମର୍ପଣରେ ପ୍ରଭାବିତ ହୋଇ ଆଜି ବିଜେପିର ବରିଷ୍ଠ ନେତା, ପୂର୍ବତନ ସାଂସଦ, ହରିୟାଣାରେ ବିଜେପିର କ୍ୟାମ୍ପେନ କମିଟିର ସଦସ୍ୟ ଏବଂ ଷ୍ଟାର ପ୍ରଚାରକ ଶ୍ରୀ ଅଶୋକ ତନୱର କଂଗ୍ରେସରେ ସାମିଲ ହୋଇଛନ୍ତି । ଦଳିତଙ୍କ ହକର ଲଢେଇକୁ ଆପଣଙ୍କ ଯୋଗଦାନରେ ମଜଭୁତି ମିଳିବ । କଂଗ୍ରେସ ପରିବାରରେ ଆପଣଙ୍କୁ ପୁନଃ ସ୍ୱାଗତ, ଭବିଷ୍ୟତ ପାଇଁ ଶୁଭ କାମନା ।'

ଉଲ୍ଲେଖଯୋଗ୍ୟ ଯେ ଅଶୋକ ତନୱର ହିସାରରୁ ଲୋକସଭା ସାଂସଦ ରହି ସାରିଛନ୍ତି । ସେ ହରିୟାଣା କଂଗ୍ରେସର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ୨୦୧୯ ଅକ୍ଟୋବରରେ ହୁଡ୍ଡାଙ୍କ ସହ କଥିତ ମତଭେଦ ଯୋଗୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ । କିନ୍ତୁ ଆପ୍ ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ କଥା ସାମନାକୁ ଆସିବା ପରେ ସେ ୨୦୨୪ ଜାନୁଆରୀରେ ଆମ ଆଦମୀ ପାର୍ଟି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ନିଜେ ମନୋହର ଲାଲ ଖଟ୍ଟର ତାଙ୍କୁ ପାର୍ଟିରେ ସାମିଲ କରାଇଥିଲେ । ଅଶୋକ ତନୱର ହରିୟାଣାରେ ବିଜେପି ନିର୍ବାଚନ ଅଭିଯାନ ସମିଟିର ସଦସ୍ୟ ଏବଂ ପ୍ରମୁଖ ପ୍ରଚାରଙ୍କ ମଧ୍ୟରେ ସାମିଲ ଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.