ନୂଆଦିଲ୍ଲୀ: ଜଷ୍ଟିସ୍ ବିଆର୍ ଗବାଇ ଦେଶରେ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ । ବର୍ତ୍ତମାନ ସିଜେଆଇ ସଞ୍ଜୀବ ଖନ୍ନାଙ୍କ ଦ୍ୱାରା ଜଷ୍ଟିସ୍ ଗବାଇଙ୍କ ନାଁ ସୁପାରିଶ କରାଯିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଗବାଇଙ୍କୁ ଶପଥ ପାଠ କରାଇବେ । ଆସନ୍ତା ମେ ୧୪ ତାରିଖରେ ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ନେବେ । ତାଙ୍କ କାର୍ଯ୍ୟକାଳ ୨୦୨୫ ନଭେମ୍ୱର ୨୩ ଯାଏ ରହିବ ।
ଜାଣନ୍ତୁ ଜଷ୍ଟିସ୍ ବିଆଇ ଗବାଇଙ୍କ ବିଷୟରେ
ଜଷ୍ଟିସ ଗବାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗବାଇ । ୧୯୬୦ ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ତାଙ୍କ ଜନ୍ମ ହୋଇଥିଲା । ୧୯୮୫ ମସିହାରେ ସେ ନିଜର ଆଇନଗତ ବୃତ୍ତି ଆରମ୍ଭ କରିଥିଲେ । କ୍ୟାରିୟର ଆରମ୍ଭରେ ସେ ଜଣାଶୁଣା ଆଇନଜୀବୀ ତଥା ତତ୍କାଳୀନ ଏଜି ସ୍ୱର୍ଗତ ରାଜା ଏସ୍. ଭୋନଲେଙ୍କ ପାଖରେ ଲ’ ପ୍ରାକ୍ଟିସ୍ କରିଥିଲେ । ଏହାପରେ ୧୯୮୭ ମସିହାରେ ସେ ବମ୍ୱେ ହାଇକୋର୍ଟରେ ଏକାକୀ ଓକିଲାତି ଆରମ୍ଭ କରିଥିଲେ ।
ଜଷ୍ଟିସ୍ ଗବାଇଙ୍କ ଫୋକସ୍ ସାମ୍ୱିଧାନିକ ଓ ପ୍ରଶାସନିକ ଆଇନ ଉପରେ ଅଧିକ ରହିଛି । ୧୯୯୨ ଅଗଷ୍ଟରେ ବମ୍ୱେ ହାଇକୋର୍ଟଙ୍କ ନାଗପୁର ବେଞ୍ଚରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ପରେ ୨୦୦୦ ମସିହାରେ ନାଗପୁର ବେଞ୍ଚରେ ହିଁ ପବ୍ଲିକ୍ ପ୍ରୋସିକ୍ୟୁଟର ହୋଇଥିଲେ ।
୨୦୦୩ ନଭେମ୍ୱର ୧୪ରେ ବମ୍ୱେ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୦୫, ନଭେମ୍ବର ୧୨ରେ ସେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ । ୨୦୧୯ ମେ ୨୪ ତାରିଖରେ ତାଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି କରାଯାଇଥିଲା । ସେବେଠାରୁ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ସେ ଅଂଶ ଅଟନ୍ତି, ଯେଉଁମାନେ ଅନେକ ଐତିହାସିକ ରାୟ ଦେଇଛନ୍ତି ।
ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ସଦସ୍ୟ ଥିଲେ ଜଷ୍ଟିସ ଗବାଇ । ରାଜନୈତିକ ଦଳକୁ ମିଳୁଥିବା ଇଲେକ୍ଟୋରାଲ୍ ବଣ୍ଡ ଯୋଜନାର ବୈଧତା ଉପରେ ଶୁଣାଣି କରିଥିବା ଖଣ୍ଡପୀଠର ସଦସ୍ୟ ଥିଲେ । ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଯୋଜନାକୁ ୪-୧ରେ ରଦ୍ଦ କରିଥିଲେ ।