ଆଠଗଡ଼: ସତ କେବେ ଲୁଚି ରହେନା। ପ୍ରଥମେ ଅପମୃତ୍ୟୁ ଅଭିଯୋଗ ଆଉ ଏବେ ଜଣାପଡ଼ିଲା ହତ୍ୟାକାଣ୍ଡ। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବଡ଼ ଖୁଲାସା। ଭୁଲିଗଲେ ରକ୍ତର ସମ୍ପର୍କ। ହତ୍ୟା କରି ଆତ୍ମହତ୍ଯାର ରୂପଦେଇଥିଲେ ବାପା ଓ ଦୁଇ ଭାଇ। ଅସଲି କାରନାମା ଉପରୁ ପରଦା ଉଠାଇ ଗିରଫ କରି କୋର୍ଟ ଚାଲାଣ କରିଛି ତିଗିରିଆ ପୋଲିସ୍। ଗିରଫ୍ ଅଭିଯୁକ୍ତମାନେ ହେଲେ ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ା ଗ୍ରାମର ବର୍ଷୀୟ ସୁରେଶ ସାହୁ ଏବଂ ଦୁଇ ଭାଈ ପ୍ରଶାନ୍ତ କୁମାର ସାହୁ ଓ ପର୍ଶୁରାମ ସାହୁ।
ସୂଚନା ଥାଉକି ଗତ ୨୦୨୩ ମସିହା ନଭେମ୍ବର ୨୦ ତାରିଖରେ ତିଗିରିଆ ଥାନା ଅନ୍ତର୍ଗତ ସୋମପଡା ଗ୍ରାମରେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିବାର ଲୋକ ସୂଚନା ଦେଇଥିଲେ। ମୃତକ ହେଲେ ୨୫ ବର୍ଷୀୟ ଗୋପବନ୍ଧୁ ସାହୁ। ମୃତ ଗୋପବନ୍ଧୁଙ୍କୁ ଶୋଇବା ଘରେ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l
ମୃତ ଯୁବକ ବିବାହିତ ଥିଲେ। ନିକଟସ୍ଥ କଲରାଗଡ଼ ଛକରେ ଗୁପଚୁପ ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ତେବେ ପରିବାର ଲୋକଙ୍କ ସୂଚନା ଅନୁଯାୟୀ ପୁଲିସ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହା ଥିଲା ଏକ ହତ୍ୟାକାଣ୍ଡ। ଆଉ ବାପା ଓ ଦୁଇ ଭାଇ ମିଶି ହତ୍ୟା କରିଥିଲେ।
ମୃତକର ମୃତ୍ୟୁ ଅତ୍ୟଧିକ ମାଡ ଯୋଗୁ ରକ୍ତସ୍ରାବ ପରେ ମୃତ୍ୟୁ ହୋଇଥିବା ବୋଲି ଜଣାପଡ଼ିବା ପରେ ପୋଲିସ୍ ନିଜ ତରଫରୁ ଏକ ହତ୍ୟା ମାମଲା ଅଭିଯୁକ୍ତମାନଙ୍କୁ ନିଜ ଘରୁ ଗିରଫ କରିଥିଲା। ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି।