ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବଶୀଘ୍ର ଦାଖଲ ହେବ: କ୍ରାଇମବ୍ରାଞ୍ଚ ଡିଜି

Published By : Prameya-News7 Bureau | April 28, 2025 IST

କଟକ: ନବ ଦାସ ହତ୍ୟା ମାମଲାର ଖିଅ ଖୋଜିବା କ୍ରାଇମବ୍ରାଞ୍ଚ ପାଇଁ ପାଲଟିଛି ଚ୍ୟାଲେଞ୍ଜ। ଅବଶ୍ୟ ଏବେବି ତଦନ୍ତ ଚାଲିଛି। ଏହାରି ମଧ୍ୟରେ ସୋମବାର ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ସେ କହିଛନ୍ତି ଅନ୍ତରୀଣ ଚାର୍ଜସିଟ୍‌ ଆଧାରରେ ମାମଲାର ବିଚାର ଚାଲିଛି। ନବ ଦାସଙ୍କ ପରିବାରର ଅଭିଯୋଗ ଓ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ତଦନ୍ତ ଜାରି ରହିଛି।  ଖୁବ ଶୀଘ୍ର ଫାଇନାଲ ରିପୋର୍ଟ ଦାଖଲ ହେବ। 


ସୂଚନାଥାଉକି, ମାର୍ଚ୍ଚ ୧୯ରେ ନବ ଦାସଙ୍କ ପୁରା ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିଥିଲେ । ଲୋକସେବା ଭବନରେ ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦିପାଳି ଓ ପୁଅ ବିଶାଳ ଦାସ ପ୍ରାୟ ଦେଢ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରକୃତ ଦୋଷୀକୁ ଧରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯିବ ବୋଲି ଭରସା ଦେଇଥିଲେ ମୁଖ୍ୟମନ୍ତ୍ରୀ । 

ଏହା ପରେ ଗତ ମାସରେ ଆରମ୍ଭ ହୋଇଥିଲା ପୁନଃ ତଦନ୍ତ। କ୍ରାଇମବ୍ରାଞ୍ଚର ୩ଜଣିଆ ଟିମ୍‌ ଝାରସୁଗୁଡ଼ା ଏବଂ ବ୍ରହ୍ମୁପୁରରେ ତଦନ୍ତ କରିଥିଲେ‌। ଅଭିଯୁକ୍ତ ଗୋପାଳ ଦାସର ବଡଭାଇ,ପୁଅ ଓ ପୁତୁରାକୁ ମଧ୍ୟ ପଚରାଉଚରା କରାଯାଇଥିଲା। 

ଉଲ୍ଲେଖଯୋଗ୍ୟ, ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ଦିନ ପ୍ରାୟ ସାଢେ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ଘଟିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.