ପୁଞ୍ଛ ୨୭।୧: ମେଣ୍ଢରସ୍ଥିତ ଭାରତ-ପାକ୍ ନିୟନ୍ତ୍ରଣ ରେଖା (ଏଲଓସି)ର ବାଲାକୋଟ ସେକ୍ଟରରେ ପାକିସ୍ତାନ ନିୟନ୍ତ୍ରଣାଧୀନ କ୍ଷେତ୍ରରୁ ବ୍ୟାପୁଥିବା ନିଆଁ ଏବେ କାଶ୍ମୀର ସୀମାକୁ ଗ୍ରାସିଲାଣି। ନିୟନ୍ତ୍ରଣ ରେଖା ଅପରପାର୍ଶ୍ୱରୁ ବ୍ୟାପିଥିବା ନିଆଁ ଭାରତ ସୀମାକୁ ପହଞ୍ଚିବା ପରେ ବିଛାଯାଇଥିବା ଲ୍ୟାଣ୍ଡମାଇନରେ ଭୀଷଣ ବିସ୍ଫୋରଣ ହେଉଛି। ଫଳରେ ନିଆଁ ଅଣାୟତ୍ତ ହୋଇପଡିଛି। ନିଆଁ ଯୋଗୁ ଲ୍ୟାଣ୍ଡମାଇନରେ ହେଉଥିବା ବିସ୍ପୋରଣର ଶବ୍ଦ ଏବେ ସୀମାକୁ ଥରହର କରୁଛି।
ଲ୍ୟାଣ୍ଡମାଇନ ବିସ୍ଫୋରଣ ଜଙ୍ଗଲ ନିଆଁକୁ ଅଧିକ ଭୟାବହ କରିଛି। ଜଙ୍ଗଲରେ ବ୍ୟାପୁଥିବା ନିଆଁ ଉପରେ ଭାରତୀୟ ସେନା ନଜର ରଖି ରହିଛି ଓ ନିଆଁ ଯେପରି ଅଗ୍ରୀମ ପୋଷ୍ଟକୁ ନ ପହଞ୍ଚେ ସେଥି ପାଇଁ ଉପାୟ କରୁଛି। କୁହାଯାଉଛି ପାକିସ୍ତାନ ନିୟନ୍ତ୍ରିତ କ୍ଷେତ୍ରରେ ନିଆଁ ଲଗାଇ ଆତଙ୍କବାଦୀ ପ୍ରାୟତଃ ଭାରତ ପଟ ଜଙ୍ଗଲରେ ନିଆଁ ଲଗାନ୍ତି। ଯେପରି ବିଛା ଯାଇଥିବା ଲ୍ୟାଣ୍ଡମାଇନଗୁଡିକ ନଷ୍ଟ ହୋଇଯିବ ଓ ସେମାନଙ୍କ ଅନୁପ୍ରବେଶ ସୁଗମ ହେବ।
ତେବେ ଭାରତୀୟ ସେନା ସେମାନଙ୍କ ଉଦ୍ୟମକୁ ଏ ପର୍ଯ୍ୟନ୍ତ ବିଫଳ କରିଆସିଛି ଓ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବାରେ ସଫଳ ହୋଇଛି। ଏଥର ଲାଗିଥିବା ନିଆଁ ପୂର୍ବବର୍ଷଙ୍କ ଅପେକ୍ଷା ଭୀଷଣ ରୂପ ଧାରଣ କରିଛି। ଏଣୁ ଭାରତୀୟ ସେନା ପକ୍ଷରୁ ଅଞ୍ଚଳର ସୁରକ୍ଷା ବଢାଇ ଦିଆଯାଇଛି ଓ ବ୍ୟାପୁଥିବା ନିଆଁ ଉପରେ ନଜର ରଖିବାକୁ ଅତିରିକ୍ତ ଉଦ୍ୟମ କରାଯାଉଛି, ଯେପରି ନିଆଁ ନିୟନ୍ତ୍ରଣ ରେଖାରୁ ଅଗ୍ରୀମ ପୋଷ୍ଟକୁ ନ ପହଞ୍ଚିବ ସେଥି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି।