ବାରିପଦା ୧୬।୧୧ : ଏନକ୍ଲୋଜୋରରେ ପ୍ରଥମ ଶିକାର କଲା ଶିମିଳିପାଳର ଦ୍ୱିତୀୟ ବାଘୁଣୀ ଜୀନତ୍ । ଶୁକ୍ରବାର ରାତି ପ୍ରାୟ ୧୦ ଟା ବେଳେ ଏକ ବାର୍ହାକୁ ଭିତରେ ଛଡ଼ା ଯାଇଥିଲା। ସେହି ବାର୍ହାକୁ ଜୀନତ୍ ତାର ପ୍ରଥମ ଶିକାର କରିଥିଲା । ବାର୍ହାକୁ ଶିକାର କରି ସାରିବା ପରେ ପେଟ ଭରି ଖାଇଥିଲା ବାଘୁଣୀ । ଖାଇ ସାରିବା ପରେ ପାଣି ପିଇ ବିଶ୍ରାମ କରିଥିଲା । ଏନେଇ ଏସଟିଆର ପକ୍ଷରୁ ସୂଚନା ମିଳିଛି ।
ଗୁରୁବାର ସନ୍ଧ୍ୟାରେ ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜରେ ପହଞ୍ଚିଥିଲା ବାଘୁଣୀ ଜୀନତ୍ । ଶୁକ୍ରବାର ସକାଳ ୯ ଟା ୩୦ ସମୟରେ ତାକୁ ଏନକ୍ଲୋଜରରେ ଛଡ଼ା ଯାଇଥିଲା । ଜୀନତ୍ ୩ ବର୍ଷ ବୟସର ବାଘୁଣୀ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟ ଅଛି । କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ବାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସଟିଆର୍ ପକ୍ଷରୁ ସୂଚନା ମିଳିଛି ।