ନୂଆଦିଲ୍ଲୀ: ଫ୍ଲି୍ପକାର୍ଟର ଘରବାହୁଡ଼ା। ମାନେ ଦେଶର କମ୍ପାନୀ ଦେଶକୁ ଫେରିବ। କାରଣ କମ୍ପାନୀ ଦୀର୍ଘଦିନ ଧରି ସିଙ୍ଗାପୁରରୁ ପରିଚାଳିତ ହେବା ପରେ ଶେଷରେ ଭାରତ ଫେରିବାକୁ ନିଷ୍ପତ୍ତି ନେଇଛି। ଫ୍ଲିପ୍କାର୍ଟର ମୁଖ୍ୟାଳୟ(ହେଡ୍କ୍ୱାଟର୍ସ)କୁ ସିଙ୍ଗାପୁରରୁ ଏବେ ଭାରତ ଆସିବାକୁ ଯାଉଛି। ଏନେଇ କମ୍ପାନୀ କହିଛି “ଏହି ପଦକ୍ଷେପ ଏକ ସ୍ୱାଭିବକ ପରିବର୍ତ୍ତନ। ଭାରତୀୟ ଅର୍ଥନୀତିର ବିଶାଳ ସମ୍ଭାବନା ଏବଂ ଭାରତରେ ଡିଜିଟାଲ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ-ଚାଳିତ କ୍ଷମତା ସହାୟକ ହେବ ବୋଲି କମ୍ପାନୀ କହିଛି।
ଏନେଇ ଫ୍ଲିପ୍କାର୍ଟ ପ୍ରବକ୍ତା କହିଛନ୍ତି “ ଭାରତରେ ଜନ୍ମିତ ଏବଂ ବିକଶିତ ହୋଇଥିବା କମ୍ପାନୀ ଭାବରେ, ଏହି ପରିବର୍ତ୍ତନ ଆମ ଗ୍ରାହକ, ବିକ୍ରେତା ଓ ଅଂଶଦୀର ସମୁହର ସେବା କରିବା ଆମର ଫୋକସ ଓ ତତ୍ପରତାକୁ ବଢ଼ାଇବ। ଫଳରେ, ଆମ ଦେଶର ବୃଦ୍ଧି ପାଉଥିବା ଡିଜିଟାଲ୍ ଅର୍ଥନୀତି ଏବଂ ଉଦ୍ୟୋଗରେ ଯୋଗଦାନ ଦେବା ଜାରି ରଖିପାରିବୁ। ଆମେ ଆଗକୁ ଥିବା ସୁଯୋଗଗୁଡ଼ିକ ପାଇଁ ବେଶ୍ ଉତ୍ସାହିତ ଅଛୁ, ଏବଂ ଭାରତର ଭବିଷ୍ୟତ ପ୍ରତି ଆମର ଦୀର୍ଘଦିନରୁ ଥିବା ବିଶ୍ୱାସକୁ ପୁନଃସ୍ଥାପନ କରିବାକୁ ଯାଉଛୁ।”
ପଢନ୍ତୁ- ବିଶ୍ୱର ପ୍ରଥମ ୧୦ଜି ବ୍ରଡ୍ବ୍ୟାଣ୍ଡ ନେଟୱର୍କ ଲଞ୍ଚ୍ କଲା ଚୀନ: ଭାରତ ଠାରୁ ୧୦୦ ଗୁଣ ଅଧିକ
ସେ ଆହୁରି କହିଛନ୍ତି “ଏହି ରଣନୈତିକ ନିଷ୍ପତ୍ତି ଭାରତ ପ୍ରତି ଆମର ଗଭୀର ଏବଂ ଅଟଳ ପ୍ରତିବଦ୍ଧତା ଏବଂ ଏହାର ଉଲ୍ଲେଖନୀୟ ଅଭିବୃଦ୍ଧିକୁ ପ୍ରତିଫଳିତ କରୁଛି। ଆମେ ଭାରତ ସରକାରଙ୍କ ଦୃଢ଼ ଦୃଷ୍ଟିକୋଣ ଏବଂ ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଏବଂ ବ୍ୟବସାୟ କରିବାର ସହଜତାକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ପଦକ୍ଷେପ ଦ୍ୱାରା ଅନୁପ୍ରାଣିତ ହେଉଛି, ଯାହା ଆମର ଯାତ୍ରାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ବୃଦ୍ଧି କରିଛି। "
ସୂଚନା ଅନୁସାରେ, କମ୍ପାନୀର ଏହି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିୟାମକ ମଞ୍ଜୁରୀ ଅପେକ୍ଷାରେ ରହିଛି। କିନ୍ତୁ ଏହା ଭାରତୀୟ ଷ୍ଟାର୍ଟଅପ୍ ମଧ୍ୟରେ ବୃଦ୍ଧି ପାଉଥିବା ଆଗ୍ରହର ଧାରା ପ୍ରତିଫଳିତ କରୁଛି। ଗତ କିଛି ମାସ ମଧ୍ୟରେ, ଜେପ୍ଟୋ, ଗ୍ରୋ, ଏବଂ ଫୋନପେ ଭଳି କମ୍ପାନୀଗୁଡ଼ିକ ସେମାନଙ୍କର ମୁଖ୍ୟାଳୟକୁ ଭାରତକୁ ଫେରାଇ ଆଣିଛନ୍ତି। ଏହି କମ୍ପାନୀଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତରେ କମ୍ପାନୀଗୁଡ଼ିକର ଅଭିବୃଦ୍ଧି ହାସଲ କରିବା ଏବଂ ଘରୋଇ ଷ୍ଟକ୍ ବଜାର ତାଲିକାଭୁକ୍ତ ପାଇଁ ପ୍ରସ୍ତୁତ କରିବା।
୨୦୦୭ ମସିହାରେ ବେଙ୍ଗାଲୁରୁରେ ଫ୍ଲିପକାର୍ଟର ପ୍ରତିଷ୍ଠା ହୋଇଥିଲା। ସଚିନ ବଂଶଲ ଏବଂ ବିନି ବଂଶଲଙ୍କ ଏହାର ପ୍ରତିଷ୍ଠା କରିଥିଲେ। ଆରମ୍ଭରେ ଏହି କମ୍ପାନୀ କେବଳ ଅନଲାଇନରେ ବହି ବିକ୍ର ଉପରେ ଧ୍ୟାନ ଦେଉଥିଲେ। ହେଲେ ଏହାର ଦ୍ରୁତ ସଫଳତା ଯୋଗୁ କମ୍ପାନୀ ଧୀରେ ଧୀରେ ଇଲେକ୍ଟ୍ରୋନିକ୍ସ, ଫ୍ୟାଶନ ଏବଂ ତେଜରାତି ସାମଗ୍ରୀରେ ଯୋଗାଇବା ଆରମ୍ଭ କରିଥିଲା। ତେବେ ୨୦୧୧ ମସିହାରେ କମ୍ପାନୀ ଏହାର ମୁଖ୍ୟାଳୟକୁ ସିଙ୍ଗାପୁର ସ୍ଥାନାନ୍ତର କରିଥିଲା। ବିଦେଶୀ ନିବେଶକୁ ଆକର୍ଷିତ କରିବା, ଟିକସରୁ ଲାଭ ପାଇବା ଏବଂ ଭାରତର ଜଟିଳ ନିୟାମକ ବ୍ୟବସ୍ଥାର ମୁକାବିଲା କରିବା ପାଇଁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିଲା।
ପଢ଼ନ୍ତୁ- ଆମେରିକା-ଭାରତ ମଧ୍ୟରେ ଡିଲ୍ ଫାଇନାଲ୍! ଉପରାଷ୍ଟ୍ରପତି ଜେଡି ଭେନ୍ସ କହିଲେ, ମୋଦୀ ଭଲ ବାର୍ଗେନିଂ କରୁଛନ୍ତି
କମ୍ପାନୀର ଏହି ରଣନୈତିକ ଯୋଗୁ ଏହାର ଅଭିବୃଦ୍ଧି ଏବଂ ବିଶ୍ୱ ନିବେଶକଙ୍କ ଧ୍ୟାନ ଆକର୍ଷଣ କରିବାର ସହାୟ ହୋଇଥିଲା। ୨୦୧୮ ମସିହାରେ, ଆମେରିକୀୟ ରିଟେଲ କମ୍ପାନୀ ୱାଲମାର୍ଟ ୧୬ ବିଲିୟନ ଡଲାର ନିବେଶ କରି ଫ୍ଲିପକାର୍ଟର ୭୭ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିଥିଲା। ଯାହା ବିଶ୍ୱସ୍ତରରେ ସବୁଠାରୁ ବଡ଼ ଇ-କମର୍ସ ଚୁକ୍ତି ମଧ୍ୟରୁ ଗୋଟିଏ ଥିଲା। ଏବଂ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍ ବଜାରରେ ୱାଲମାର୍ଟର ପ୍ରବେଶକୁ ସୁଦୃଢ଼ କରିଥିଲା।