ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ରାଜ୍ୟ ଅର୍ଥନୀତି ପାଇଁ କାଳ ସାଜିଛି। ଘଟଣା ପରେ ପାଖାପାଖି ୧୫ ହଜାର ଫ୍ଲାଇଟ୍ କ୍ୟାନ୍ସଲ୍ କିମ୍ବା ବଦଳି ପାଇଁ ଆବେଦନ କରାଯାଇଛି। ଯେଉଁ ପର୍ଯ୍ୟଟକମାନେ ଜାମ୍ମୁ-କାଶ୍ମୀରରେ ଖରାଦିନ କାଟିବେ ବୋଲି ଫ୍ଲାଇଟ୍ ବୁକ୍ କରୁଥିଲେ ସେମାନେ ଏବେ ଫ୍ଲାଇଟ୍ କ୍ୟାନସଲ କରୁଛନ୍ତି। ଜାମ୍ମୁ-କାଶ୍ମୀର ଠାରୁ ପର୍ଯ୍ୟଟକ ମୁହଁ ଫେରାଇ ନେବା ରାଜ୍ୟ ପାଇଁ କାଳ ହୋଇପାରେ।
ଭୂସ୍ୱର୍ଗ ବୋଲାଉଥିବା ଜାମ୍ମୁ-କାଶ୍ମୀର ଆଜି ରକ୍ତ ରଞ୍ଜିତ। ଧର୍ମ ପଚାରିଲେ, ହିନ୍ଦୁ ବୋଲି ଜାଣି ଗୁଳି ମାରିଦେଲେ। ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି। ଆତଙ୍କବାଦୀଙ୍କର ଏଭଳି ଅଚାନକ ଆକ୍ରମଣ ଅନ୍ୟ ପର୍ଯ୍ୟଟକଙ୍କୁ ଡରାଇ ଦେଇଛି। ତେଣୁ ଯେଉଁ ପର୍ଯ୍ୟଟକମାନେ ଜାମ୍ମୁ-କାଶ୍ମୀର ଆସିବାକୁ ଯୋଜନା କରୁଥିଲେ, ସେମାନେ ଏବେ ଯାତ୍ରା କ୍ୟାନ୍ସଲ କରି ହିମାଚଳ ପ୍ରଦେଶ କିମ୍ବା ଅନ୍ୟ ଆଡ଼କୁ ମୁହାଉଁଛନ୍ତି। ମନିକଣ୍ଟ୍ରୋଲର ରିପୋର୍ଟ ଅନୁସାରେ ଆତଙ୍କବାଦୀ ଆକ୍ରମଣ ଭୟରେ ଭାରତର ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀଙ୍କୁ ପାଖାପାଖି ୧୫ ହଜାର ଫ୍ଲାଇଟ୍ କ୍ୟାନ୍ସଲ୍ କିମ୍ବା ବଦଳି ପାଇଁ ଆବେଦନ କରାଯାଇଛି।
ଘରୋଇ ଏୟାରଲାଇନ୍ସର ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ମନିକଣ୍ଟ୍ରୋଲକୁ କହିଛନ୍ତି ଯେ ପ୍ରତି ସପ୍ତାହରେ ସାରା ଭାରତରୁ ପ୍ରାୟ ୬୦,୦୦୦ ରୁ ୭୦,୦୦୦ ଯାତ୍ରୀ ଶ୍ରୀନଗରକୁ ବିମାନ ଯାତ୍ରା କରନ୍ତୁ। ହେଲେ ପହଲଗାମରେ ହୋଇଥିବା ଘାତକ ଆତଙ୍କବାଦୀ ଆକ୍ରମଣ ପରେ, ଅତି କମରେ ଆଗାମୀ ଦୁଇ ଦିନ ପାଇଁ କାଶ୍ମୀର ପର୍ଯ୍ୟଟନ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ଘରୋଇ ବିମାନ ସେବା ପ୍ରଦାନକାରୀଙ୍କ ଦ୍ୱାରା ସେୟାର କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଇଣ୍ଡିଗୋ ପ୍ରାୟ ୭,୫୦୦ ବିମାନ ଟିକେଟକୁ ଅନ୍ୟତ୍ର ବଦଳି କିମ୍ବା ବାତିଲ କରିବା ପାଇଁ ଅନୁରୋଧ ଆସିଛି। ସେହିପରି ଏୟାର ଇଣ୍ଡିଆ ଗ୍ରୁପ ଅଧୀନରେ ଥିବା ବିମାନ ସେବା ପ୍ରଦାନକାରୀମାନେ ପ୍ରାୟ ୫,୦୦୦ ଟିକେଟର ବଦଳି ଅନୁରୋଧ ପାଇଛନ୍ତି, ସେହିପରି ସ୍ପାଇସଜେଟ୍ ପ୍ରାୟ ୨,୫୦୦ ଟିକେଟ ପାଇଁ ବଦଳି ଓ କିମ୍ବା ବାତିଲ୍ ଅନୁରୋଧ ପାଇଛି। କେବଳ ଫ୍ଲାଇଟ୍ କ୍ୟାନ୍ସଲ ନୁହେଁ, ହୋଟେଲ ମଧ୍ୟ ବହୁ ସଂଖ୍ୟାରେ କ୍ୟାନସଲ କରାଯାଉଥିବା ସୂଚନା ମିଳିଛି।
ସେପଟେ ୩୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଶ୍ରୀନଗରକୁ ଫ୍ଲାଇଟ୍ ବୁକ୍ କରିଥିବା ସମସ୍ତ ପାସେଞ୍ଜରଙ୍କ ଫ୍ଲାଇଟ୍ ଅନ୍ୟ ସ୍ଥାନକୁ ବଦଳି କିମ୍ବା କ୍ୟାନ୍ସଲ ପାଇଁ କୌଣସି ଚାର୍ଜ ନିଆଯିବ ନାହିଁ। ଗ୍ରାହକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ଫ୍ରି କରାଯିବ ବୋଲି ଉଭୟ କମ୍ପାନୀ କହିଛନ୍ତି।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ମଧ୍ୟ ଏପ୍ରିଲ ୨୨ ତାରିଖରେ ସମସ୍ତ ବିମାନ କମ୍ପାନୀ ଅପରେଟରଙ୍କ ସହ ଏକ ଜରୁରୀ ବୈଠକ କରିଛନ୍ତି। ଏଭଳି ମୁହୂର୍ତ୍ତତରେ ବିମାନ କମ୍ପାନୀଗୁଡ଼ିକ ଯେମିତି ଭଡ଼ା ବୃଦ୍ଧି ନ କରନ୍ତି ସେଥିପାଇଁ ମନ୍ତ୍ରୀ ଦୃଢ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର(ଏପ୍ରିଲ ୨୩) ଏକ ବିବୃତ୍ତି ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି “ଏହି ସମ୍ବେଦନଶୀଳ ସମୟରେ କୌଣସି ଯାତ୍ରୀଙ୍କ ଉପରେ ବୋଝ ନ ପଡ଼ିବା ନିଶ୍ଚିତ କରି ବିମାନ କମ୍ପାନୀଗୁଡ଼ିକୁ ନିୟମିତ ଭଡ଼ା ସ୍ତର ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।” କେବଳ ସେତିକି ନୁହେଁ ପୀଡ଼ିତ ପରିବାରକୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସମସ୍ତ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି, EaseMyTripର ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା ନିଶାନ୍ତ ପିଟି ମଧ୍ୟ ଏଭଳ ମୁହୂର୍ତ୍ତରେ ଦେଶବାସୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ତାଙ୍କ କମ୍ପାନୀ ଏପ୍ରିଲ ୨୨ କିମ୍ବା ପୂର୍ବରୁ କରାଯାଇଥିବା ସମସ୍ତ ବୁକିଂ ପାଇଁ ବିମାନ ଅନ୍ୟତ୍ର ପରିବର୍ତ୍ତନ କିମ୍ବା ବାତିଲକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। କମ୍ପାନୀ ଏଥିପାଇଁ ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ନେବ ନାହିଁ ବୋଲି ଘୋଷଣା କରିଛନ୍ତି।