ଦିନେ ଭାରତରୁ ଚାଲିଯାଇଥିଲା, ଏବେ ପୁଣି ଫେରିଛି: ଚେନ୍ନାଇ ପ୍ଲାଣ୍ଟରେ କାର୍ ପ୍ରଡକ୍ସନ ଆରମ୍ଭ କରିବ ଫୋର୍ଡ

Published By : Prameya-News7 Bureau | September 13, 2024 IST

indiatoday

ନୂଆଦିଲ୍ଲୀବ୍ୟବସାୟରେ ମାନ୍ଦା ପରେ ଦିନେ ଭାରତରୁ ବ୍ୟାଗ ବସ୍ତାନୀ ବାନ୍ଧି ପଳାଇଯାଇଥିଲା ଆମେରିକୀୟ କାର୍ ନିର୍ମାତା କମ୍ପାନୀ ଫୋର୍ଡ। ହେଲେ ୩ ବର୍ଷ ପରେ ସେ ପୁଣିଥରେ ଫେରିଛି। ଚେନ୍ନାଇ ସ୍ଥିତ ପ୍ଲାଣ୍ଟରେ ଫୋର୍ଡ ପୁଣିଥରେ କାର୍ ପ୍ରଡକ୍ସନ ଆରମ୍ଭ କରିବାକୁ ଘୋଷଣା କରିଛି। ଶୁକ୍ରବାର(୧୩,୯,୨୦୨୪) କମ୍ପାନୀ ଏହି ସୂଚନା ଦେଇଛି। 

ସେପ୍ଟେମ୍ବର ୨୦୨୧ରେ ଭାରତରେ ପ୍ରଡକ୍ସନ ବନ୍ଦ କରିଦେଇଥିଲା ଫୋର୍ଡ। ହେଲେ ଏବେ ସେ ତାମିଲନାଡୁର ଚେନ୍ନାଇ ସ୍ଥିତ ପ୍ଲାଣ୍ଟରେ କାର୍ ଉତ୍ପାଦନ କରି କେବଳ ବିଦେଶକୁ ରପ୍ତାନୀ କରିବ ବୋଲି କହିଛି। ତେବେ ଭାରତୀୟ ବିକ୍ରି ମାର୍କେଟ୍‌ରେ ପୁନଃ ପ୍ରବେଶ କରିବ କି ନା ସେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ବର୍ତ୍ତମାନ ଭାରତ ବିଶ୍ୱର ତୃତୀୟ ବଡ଼ କାର ମାର୍କେଟ୍‌ ହୋଇଥିବାରୁ ହୁଏତ ଫୋର୍ଡ ଭାରତୀୟ ସେଲ୍ ମାର୍କେଟ୍ ଖୁବ୍‌ଶୀଘ୍ର ପ୍ରବେଶ କରିପାରେ ବୋଲି କୁହାଯାଉଛି। 

ଭାରତରେ ଫୋର୍ଡର ଇତିହାସ ଦେଖିଲେ ଏଠାରେ କମ୍ପାନୀ ୧୯୯୫ରେ ପ୍ରଥମେ କାରବାର ଆରମ୍ଭ କରିଥିଲା। ତାମିଲନାଡୁର ଚେନ୍ନାଇ ଓ ଗୁଜରାଟର ସାନନ୍ଦରେ କମ୍ପାନୀର ଦୁଇଟି ପ୍ରଡକ୍ସନ ପ୍ଲାଣ୍ଟ ରହିଥିଲା। ଚେନ୍ନାଇ ପ୍ଲାଣ୍ଟରେ ବାର୍ଷିକ ୨୦୦,୦୦୦ ଭେଇକଲ ପ୍ରଡକ୍ସନ ହେଉଥିବା ବେଳେ ଗୁଜରାଟରେ ୨୪୦,୦୦୦ ଭେଇକଲ ଓ ୨୭୦,୦୦୦ ଇଞ୍ଜିନ ପ୍ରଡକ୍ସନ ହେଉଥିଲା। 

ଚେନ୍ନାଇ ପ୍ଲାଣ୍ଟରେ ଫୋର୍ଡ ଇକୋସ୍ପୋର୍ଟ(EcoSport) ଓ ଏଣ୍ଡେଭର(endeavour) ଭଳି ଏସ୍‌ୟୁଭି ନିର୍ମାଣ କରୁଥିଲା। ଅନ୍ୟପଟେ ଗୁଜରାଟର ସାନନ୍ଦ ପ୍ଲାଣ୍ଟରେ ଏସପାୟର ସେଡାନ ଓ ଫିଗୋ ଓ ଫ୍ରିଷ୍ଟାଇଲ୍ ଭଲି ହ୍ୟାଚ୍‌ବ୍ୟାକ୍ ସେଗ୍‌ମେଣ୍ଟର କାର୍ ତିଆରି କରୁଥିଲା। ହେଲେ ଭାରତରେ ମେନୁଫେକ୍ଚର ବନ୍ଦ କରିଦେବା ପରେ ଫୋର୍ଡ ୨୦୨୩ ଜାନୁଆରୀରେ ଟାଟାକୁ ଏହାର ସାନନ୍ଦ ପ୍ଲାଣ୍ଟରେ ଥିବା ଭେଇକଲ ମାନୁଫେକ୍ଚରିଂ ୟୁନିଟକୁ ୭୨୫,୭୦ କୋଟିରେ ବିକ୍ରି କରିଦେଇଥିଲା। ତେବେ କମ୍ପାନୀ ଭାରତରେ ଏବେ ବି ଅପରେସନ ଜାରି ରଖିଛି। ସାନନ୍ଦ ପ୍ଲାଣ୍ଟରେ କମ୍ପାନୀ ଏବେ ବି ଇଞ୍ଜିନ ତିଆରି କରୁଥିବା ବେଳେ ଭାରତରେ ସର୍ଭିସ୍ ଅପରେସନକୁ ମଧ୍ୟ ଜାରି ରଖିଛି।  

ଏବେ ଭାରତକୁ ଫେରିବା ନେଇ କମ୍ପାନୀ ତାମିଲନାଡୁ ସରକାରଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ଙ୍କ ଆମେରିକା ଗସ୍ତ ସମୟରେ କମ୍ପାନୀ ରପ୍ତାନୀ ପାଇଁ ପୁଣିଥରେ ଚେନ୍ନାଇ ପ୍ଲାଣ୍ଟରେ ପ୍ରଡକ୍ସନ ଆରମ୍ଭ କରିବାକୁ ଇଚ୍ଛୁକ ଥିବା ସରକାରଙ୍କୁ ଲିଖିତ ସୂଚନା ଦେଇଛି। ଫୋର୍ଡ ପ୍ଲସ ଯୋଜନାକୁ ଆଗକୁ ନେବା ଉଦ୍ଦେଶ୍ୟରେ କମ୍ପାନୀ ଭାରତରେ ପୁନଃ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଛି। ଚେନ୍ନାଇ ପ୍ଲାଣ୍ଟକୁ ଯୁଦ୍ଧକାଳୀନ ଭିତ୍ତିରେ ସୁଧାରି ଯଥାଶୀଘ୍ର ପ୍ରଡକ୍ସନ ଆରମ୍ଭ କରାଯିବ ବୋଲି ଫୋର୍ଡ କହିଛି। ଏନେଇ ଫୋର୍ଡ ଅନ୍ତର୍ଜାତୀୟ ମାର୍କେଟ ଗ୍ରୁପର ଅଧ୍ୟକ୍ଷ କେ ହାର୍ଟ ତାମିଲନାଡୁ ସରକାରଙ୍କୁ ଧନ୍ୟବାଦ ବି ଦେଇଛନ୍ତି।  

ସୂଚନା ଥାଉକି, ବର୍ତ୍ତମାନ ଫୋର୍ଡ ବିଶ୍ୱ ବ୍ୟବସାୟ କାର୍ଯ୍ୟରେ ତାମିଲନାଡୁରେ ୧୨ ହଜାର ଲୋକଙ୍କୁ ରୋଜଗାର ଦେଇଛି। ହେଲେ ଆସନ୍ତା ୩ ବର୍ଷ ଭିତରେ କମ୍ପାନୀ କର୍ମଚାରୀ ୨,୫୦୦ରୁ ୩ ହଜାରକୁ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି। ସାନନ୍ଦ ପ୍ଲାଣ୍ଟକୁ ମିଶାଇଲେ ଭାରତରେ ଫୋର୍ଡର ଦ୍ୱିତୀୟ ସର୍ବାଧିକ ଦରମାପ୍ରାପ୍ତ ଶ୍ରମବଳ ରହିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.