ନୂଆଦିଲ୍ଲୀ ୨୨/୦୭: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କମ୍ୟୁନିଷ୍ଟ ନେତା ଭିଏସ୍ ଅଚ୍ୟୁତାନନ୍ଦନଙ୍କର ୧୦୧ ବର୍ଷ ବୟସରେ ପରଲୋକ ହୋଇଛି । ଥିରୁଅନନ୍ତପୁରମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି ।
ପୂରା ନାମ ବେଲିକକାଥୁ ଶଙ୍କରନ୍ ଅଚ୍ୟୁତାନନ୍ଦନ । ଭିଏସ୍ ନାମରେ ଥିଲେ ବେଶ୍ ଖ୍ୟାତ । ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର ଜଣେ ପ୍ରମୁଖ ନେତା ଥିଲେ ଏବଂ ଦଳର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।
ଅଚ୍ୟୁତାନନ୍ଦନଙ୍କର ଥିଲା ଦୀର୍ଘ ରାଜନୈତିକ ଜୀବନ । ତେବେ କେରଳ ବିଧାନସଭାରେ ୧୫ ବର୍ଷ ଧରି ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ । ଯାହା ବିରଳ ରେକର୍ଡ କହିଲେ ଅତ୍ୟୁକ୍ତି ହେବନି । ତାଙ୍କର ସ୍ପଷ୍ଟବାଦିତା ଓ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା ଥିଲେ । ତାଙ୍କ ଶାସନ କାଳରେ ମୁନ୍ନାରରେ ବେଆଇନ ଜବରଦଖଲ ହଟାଇବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା ।
#CPIM Polit Bureau pays homage to Comrade V S Achuthanandan and dips its red banner in salutehttps://t.co/E9NMxFegYe pic.twitter.com/qZ5n6k0uVu
— CPI (M) (@cpimspeak) July 21, 2025
୧୯୨୩ ମସିହା ଅକ୍ଟୋବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଅଚ୍ୟୁତାନନ୍ଦନ କିଶୋର ବୟସରୁ ରାଜନୀତିରେ ସକ୍ରିୟ ଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ କେରଳ ତଥା ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।