ବଡବିଲ ୨୫/୧୨ : କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ଜଣେ ସାଙ୍ଗ ନେଲା ସାଙ୍ଗର ଜୀବନ । ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ । ଏହି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳର ୬ ନଂ ୱାର୍ଡ଼ ବାଚୁ ହଟିଂ ଅଞ୍ଚଳରେ । ମୃତକ ହେଲେ ଭାଗବତ ବେଶ୍ରା । ଗୁରୁତର ବ୍ୟକ୍ତି ଦଶରଥ କାରୂଆଙ୍କ ମୁଣ୍ଡ ଫାଟିବା ସହ ଦାନ୍ତ ଭାଙ୍ଗିଯାଇଛି । ଗତ ରାତି ପ୍ରାୟ ୮ଟା ସମୟରେ ଏହି ଘଟଣା ଘଟିଛି । ହତ୍ୟାକାରୀ ସାଙ୍ଗ ଦୁର୍ଗା ନାଏକ ଫେରାର ହୋଇଯାଇଛି ।
ସୂଚନା ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭକରିଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ଡକାଯାଇଛି । ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇ ଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହି ଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୂଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।
ସେପଟେ ଆହତ ବ୍ୟକ୍ତି ଦଶରଥ କାରୁଆଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁର୍ଗା ନାଏକ ମଦ ଆଣିବାକୁ ଯାଇଥିବା ବେଳେ ସେ ଏବଂ ଭାଗବତ ବେଶ୍ରା ରୋଷେଇ କରୁଥିଲେ । ପାଖାପାଖି ୮ ଟା ସମୟରେ ଦୁର୍ଗା ନିଶାରେ ଚୁର ହୋଇ ମଦ ନେଇ ଫେରିବା ପରେ ହଠାତ୍ ଏକ ହାତୁଡ଼ି ନେଇ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ଭାଗବତଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ଗା । ତେବେ ସେଠାରୁ ଜୀବନ ନେଇ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ଦଶରଥ । ହତ୍ୟାକାରୀ ଅଭିଯୁକ୍ତ ଦୁର୍ଗା ନାଏକ ଫେରାର ହୋଇଯାଇଛି । ପ୍ରାୟ ୫ ବର୍ଷ ତଳେ ଦୁର୍ଗା ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ ।
ଅନ୍ୟ ପୋଲିସ୍ ଅଧିକାରୀଙ୍କ ସହ ବଡ଼ବିଲ ଆଡ଼ିସନାଲ ଏସ ପି ପ୍ରତ୍ୟୁଷ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ପ୍ରକୃତରେ କାଲି ରାତିରେ କ'ଣ ଘଟିଥିଲା । ହଠାତ୍ କାହିଁକି ଉତକ୍ଷିପ୍ତ ହୋଇ ଉଠିଲା ଦୁର୍ଗା । ଏସବୁକୁ ନେଇ ପୋଲିସ୍ ତଦନ୍ତ ଚଳାଇବା ସହ ଫେରାର ଅଭିଯୁକ୍ତ ସାଙ୍ଗ ଦୁର୍ଗା ନାଏକକୁ ଧରିବା ପାଇଁ ତନାଘନା ଚଳାଇଛି ଯୋଡ଼ା ପୋଲିସ୍।