ପ୍ରୟାଗରାଜ ୨୧।୧: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ୨୧ ଜାନୁୟାରୀ ମଙ୍ଗଳବାର ମହାକୁମ୍ଭରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ସଙ୍ଗମରେ ପବିତ୍ର ସ୍ନାନ କରିବା ସହ ପ୍ରୟାଗରାଜର ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏହା ପରେ ସେ ତାଙ୍କ ପୁଅ ଜିତ ଆଦାନୀଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି। ସେ କହିଛନ୍ତି ତାଙ୍କ ପୁଅ ବାହାଘର ଫେବୃଆରୀ ୭ ତାରିଖରେ ହେବ। ସେ କହିଛନ୍ତି ଯେ ଆମେ ସାଧାରଣ ଲୋକଙ୍କ ଭଳି ଆମ ପରିବାରରେ ବିବାହ ମଧ୍ୟ ସାଧାରଣ ଓ ପାରମ୍ପରିକ ଉପାୟରେ ହେବ।
ଆଦାନୀ କହିଛନ୍ତି ମୁଁ ଆଜି ପ୍ରୟାଗରାଜ ଆସିଛି। ଏହା ମୋ ପାଇଁ ଏକ ଅଦଭୂତ ଅନୁଭବ। ମୁଁ ଯାହା ଅନୁଭବ କରୁଛି ତାହା ବାକ୍ୟରେ ପ୍ରକାଶ କରି ପାରୁ ନାହିଁ। ଏଠାରେ କୁମ୍ଭ ପାଇଁ କରାଯାଇଥିବା ବ୍ୟବସ୍ଥା ନିମନ୍ତେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୁମ୍ଭ ମେଳା ପରିସରର ସାଫ ସଫେଇ ଓ ସୁରକ୍ଷା ପାଇଁ ସେ ପ୍ରଶାସନ, ପୋଲିସ ଓ ସଫେଇ କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
#WATCH | Uttar Pradesh | Adani Group chairman, Gautam Adani leaves from Prayagraj after attending #MahaKumbh pic.twitter.com/JkhNiM4rNL
— ANI (@ANI) January 21, 2025
ସେ କହିଛନ୍ତି ଯେ ମା ଗଙ୍ଗାଙ୍କ ଆଶିର୍ବାଦ ଠାରୁ ଆଉ କିଛି ବଡ଼ କଥା ନାହିଁ। ଆଦାନୀ ଉତ୍ତରପ୍ରଦେଶରେ ଅପାର ସମ୍ଭାବନା ଥିବାର କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଜନସଂଖ୍ୟା ପାଖାପାଖି ୨୭ କୋଟି, ଆଦାନୀ ଗ୍ରୁପ ୟୁପି ସରକାରରେ ନିଜର ଯୋଗଦାନ ଜାରି ରଖିବ। ଆମେ ରାଜ୍ୟରେ ନିବେଶ କିପରି ଅଧିକରୁ ଅଧିକ କରିବୁ ସେଥି ପ୍ରତି ଗୁରୁତ୍ୱ ଦେବୁ ବୋଲି ଆଦାନୀ କହିଛନ୍ତି।