ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣାରେ ଚକ୍କର ଖାଇଲା ଚୀନ୍, ପାଗଳ ହୋଇଯାଇଛି ପାକିସ୍ତାନ, ଜାଣନ୍ତୁ କ’ଣ କହୁଛି ଭାରତ?

Published By : Prameya-News7 Bureau | January 21, 2025 IST

ନୂଆଦିଲ୍ଲୀ ୨୧।୧: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥପାଠ କରିବା ପରେ ଚୀନ୍‌ ଓ ପାକିସ୍ତାନକୁ ଚିନ୍ତାରେ ପକାଇଛନ୍ତି। ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ ଚୀନ୍‌ ସହ ସମ୍ପର୍କ ସୁଧାରର ସଂକେତ ଦେଇଥିଲେ। ହେଲେ ଶପଥଗ୍ରହଣ ପରେ ତାଙ୍କର ଏକ ଘୋଷଣା ଚୀନ୍ ଲାଗି ଚିନ୍ତାର କାରଣ ପାଲଟିଛି। ଯାହା ପାକିସ୍ତାନ ଲାଗି ମଧ୍ୟ ଚିନ୍ତାର କାରଣ। ହେଲେ ଭାରତ ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣାରେ ସେତେଟା ଚିନ୍ତିତ ନାହିଁ। ତେବେ ଆସନ୍ତୁ ଜାଣିବା ପୁରା ମାମଲା କ’ଣ?

ଡୋନାଲ୍ଡ ଟ୍ରମ୍ପ ଶପଥ ପାଠ କରିବା ପରେ ମେକ୍ସିକୋ ବର୍ଡରରେ ଏମାର୍ଜେନ୍ସୀ ଜାରି କରିବା ସହ ଯେଉଁ ଦ୍ୱିତୀୟ ବଡ଼ ଘୋଷଣାଟି କରିଛନ୍ତି ତାହା ଚୀନ୍‌ ସମ୍ପର୍କିତ। ଟ୍ରମ୍ପ କହିଛନ୍ତି ଯେ ପାନାମା କେନାଲକୁ ଆମେରିକା ଏବେ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେବ। ଉଲ୍ଲେଖଯୋଗ୍ୟ ଯେ ଏହି କେନାଲର ଅଧୁରା ନିର୍ମାଣକୁ ଆମେରିକା ୧୯୧୪ ମସିହାରେ ପୁରା କରିଥିଲା। ୧୯୭୮ ମସିହା ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଆମେରିକା ନିୟନ୍ତ୍ରଣରେ ଥିଲା। ୧୯୭୯ରୁ ଆମେରିକା  ଓ ପାନାମା କେନାଲର ମିଳିତ ନିୟନ୍ତ୍ରଣ କରିଥିଲେ। ତେବେ ୧୯୯୯ ମସିହାରେ ଆମେରିକା ଏହାର ନିୟନ୍ତ୍ରଣ ପାନାମାକୁ ଦେଇଦେଇଥିଲା। 

କେନାଲ ଉପରେ ପାନାମାର କର୍ତ୍ତୃତ୍ୱ ଆସିବା ପରେ ଚୀନ୍‌ ଏହା ସହିତ ସମ୍ପର୍କ ମଜଭୁତ କରିଥିଲା। ଏହି ସମ୍ପର୍କରେ ଚୀନ୍‌ କେନାଲରେ ୨ଟି ବଡ଼ ବନ୍ଦର ନିର୍ମାଣ କରିଛି। ଫଳରେ ପାନାମା କେନାଲର ନିୟନ୍ତ୍ରଣ ଏବେ ଚୀନ୍‌ ହାତକୁ ଚାଲିଯାଇଛି। ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ସବୁ ଦେଶ ବାଣିଜ୍ୟ ପାଇଁ ପାନାମା କେନାଲ ଉପରେ ନିର୍ଭର କରନ୍ତି। ଆମେରିକା ମଧ୍ୟ ଏହି ଜଳମାର୍ଗକୁ ବ୍ୟବହାର କରେ। ଯଦି ଆମେରିକା ନିୟନ୍ତ୍ରଣରେ ଏହି କେନାଲ ନ ରହିବ ତେବେ ପୂର୍ବରୁ ପଶ୍ଚିମ ଆମେରିକା ଯିବା ପାଇଁ ଜାହାଜଙ୍କୁ ୨୦ କିଲୋମିଟରରୁ ଅଧିକ ଚକ୍କର ଲଗାଇବାକୁ ପଡିବ। ଏଥି ଲାଗି ସପ୍ତାହେ ସମୟ ଓ ଇନ୍ଧନ ମଧ୍ୟ ବ୍ୟୟ ହେବ। 

ଏହି କେନାଲବାଟେ ଗଲେ ଆମେରିକୀୟ ଜାହାଜଙ୍କୁ ୧୦ରୁ ୧୨ ଘଣ୍ଟା ସମୟ ଲାଗିବ । ଏଣୁ ଆମେରିକା ଲାଗି ଏହି କେନାଲ ଅତ୍ୟନ୍ତ ଜରୁରି। ଏଣୁ ପାନାମା ଉପରେ ଆମେରିକା ନଜର ପକାଇବା ଏବେ ସି ଜିନପିଙ୍ଗଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ସେହିପରି ଆମେରିକାରେ ଟ୍ରମ୍ପ ରାଷ୍ଟ୍ରପତି ହେବା ଯୋଗୁ ପାକିସ୍ତାନକୁ ଯେଉଁ ଝଟକା ଲାଗିଛି ତାହା ଆତଙ୍କବାଦ ଲାଗି। ଟ୍ରମ୍ପ ବିଦେଶୀ ଆତଙ୍କବାଦକୁ ସମ୍ପୂର୍ଣ୍ଣ ସମାପ୍ତ କରିବେ ବୋଲି ଘୋଷଣା କରିଛନ୍ତି। 

ଏହା ପୂର୍ବରୁ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନକୁ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଏଫ) ସୂଚୀରେ ପକାଇ ଦେଇଥିଲେ। ଫଳରେ ପାକିସ୍ତାନକୁ ଟେରର ଫଣ୍ଡିଂ ବନ୍ଦ ହୋଇଯାଇଥିଲା। ପାଖାପାଖି ୪ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ଏହି କଟକଣା ଜାରି ଥିଲା। ଫଳରେ ପାକିସ୍ତାନର ଅର୍ଥବ୍ୟବସ୍ଥା ଧୂଳିସାତ ହେବା ସହ ଦେଶ କାଙ୍ଗାଳ ହୋଇଯାଇଛି। ଆତଙ୍କବାଦ ବିରୋଧରେ ଟ୍ରମ୍ପଙ୍କ ଭାଷଣ ଏବେ ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଛି। 

ଟ୍ରମ୍ପଙ୍କ ଶପଥଗ୍ରହଣ ପରେ ଚୀନ୍‌ ଓ ପାକିସ୍ତାନ ଚିନ୍ତାରେ ପଡିଥିବା ବେଳେ ଭାରତ କୂଟନୈତିକ ରୂପେ ବେଶ୍ ମଜଭୁତ ସ୍ଥିତିରେ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଖାସ୍ ଅନ୍ଦାଜରେ ବଧେଇ ଜଣାଇ ଭାରତ-ଆମେରିକା ସମ୍ପର୍କ ଆହୁରି ମଜଭୁତ ହୋଇଥିବା ସଂକେତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ କରିଥିବା ପୋଷ୍ଟରେ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଜଣାଇଥିବା ଶୁଭକାମନା ବେଶ ଫଳପ୍ରସୁ ହେବ ବୋଲି ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.