କଟକ: ଗତ ବର୍ଷ ନଭେମ୍ବରରେ କଟକ ମଧୁପାଟଣା ଅଞ୍ଚଳରୁ ଜଣେ ବାଂଲାଦେଶୀ ନାବାଳିକାଙ୍କୁ ଉଦ୍ଧାର ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। କାରଣ ଏହି ନାବାଳିକାଙ୍କୁ ବାଂଲାଦେଶରୁ ଓଡ଼ିଶା ଚାଲାଣ କରାଯାଇଥିଲା। ଖାଲିଯେ ଚାଲାଣ କରାଯାଇଥିଲା, ତାଙ୍କୁ ଏଠାରେ ଅନୈତିକ କାମରେ ମଧ୍ୟ ଲଗାଯାଇଥିଲା।
ଘଟଣା ପଦାକୁ ଆସିବା ପରେ ପୋଲିସ ନେଇଥିଲା କଡ଼ା ଆକ୍ସନ। ଆଉ ଏଥିରେ ସଂପୃକ୍ତ ଥିବା ଦଲାଲମାନଙ୍କୁ ଗିରଫ ପରେ ପୋଲିସ ମଙ୍ଗଳବାର ଘଟଣାର ମାଷ୍ଟରମାଇଣ୍ଡ ବା ମୁଖ୍ୟ ଅଭିଯୁକ୍ତ ଗୋପୀକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ୍ । ଗୋପୀର ଘର କୋଲକତା ବୋଲି ଜଣା ପଡ଼ିଥିବାବେଳେ ପୋଲିସର ସ୍ବତନ୍ତ୍ର ଟିମ୍ ଗୋପୀକୁ ଭୁବନେଶ୍ବରରୁ ଗିରଫ କରିଛି।
ପୋଲିସ ଦୀର୍ଘ ଦିନ ହେବ ଗୋପୀକୁ ଗିରଫ କରିବା ପାଇଁ ଭୁବନେଶ୍ବର ସମେତ ବାରିପଦା, ଭଦ୍ରକ, କୋଲକତା ଭଳି ସ୍ଥାନରେ ଘୁରି ବୁଲୁଥିଲା । ଆଉ ଭୁବନେଶ୍ୱରରେ ଥିବା ଖବର ପାଇ ପୋଲିସ ଟିମ୍ ଚଢ଼ାଉ କରି ଗୋପୀକୁ ଗିରଫ କରିବାରେ ସଫଳ ହୋଇଛି।
ସୂଚନାଥାଉକି, ଏହି ନାବାଳିକାଙ୍କୁ ଚାଲାଣ ପଛରେ ଥିଲା ଏକ ରାକେଟ। ଯାହାର ସଦସ୍ୟମାନେ ବାଂଲାଦେଶରୁ ଓଡ଼ିଶା ଭାୟା କୋଲକାତା ଦେଇ ନାବାଳିକାଙ୍କୁ ଚାଲାଣ କରୁଥିଲେ। ଉଦ୍ଧାର ନାବାଳିକାଙ୍କୁ ମଧ୍ୟ ଏହି ରାକେଟ ଚାକିରି ପ୍ରଲୋଭନ ଦେଖାଇ ବାଂଲାଦେଶରୁ ଆଣି ଓଡ଼ିଶାରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲାଗୁଥିବା ପୋଲିସ ତଦନ୍ତରେ ଜାଣିବାକୁ ପାଇଛି।
ଏହି ଘଟଣାରେ ପୂର୍ବରୁ କଟକ ଗୋପାଳପୁରର ଦମ୍ପତି ଜସ୍ମିନ ଚୌଧୁରୀ ଓ ତାଙ୍କ ସ୍ବାମୀ ଓମ୍ ପ୍ରକାଶ ଚୌଧୁରୀଙ୍କ ସମେତ ଭୁବନେଶ୍ୱରର ଅନ୍ୟ ଜଣେ ଅଭିଯୁକ୍ତ ଅବଦୁଲ ରହମାନକୁ ଗିରଫ କରିଥିଲା। ସେହିଭଳି ମୟୂରଭଞ୍ଜରୁ ମଧ୍ୟ ଜଣକୁ ଗିରଫ କରାଯାଇଥିଲା। ଆଉ ଏବେ ମୁଖ୍ୟ ଅଭିଯୁକ୍ତ ଗୋପୀକୁ ମିଶାଇ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ତେବେ ଏହି ରାକେଟରେ ଏହି ଚାରି ଜଣଙ୍କ ଛଡ଼ା ଆଉ କେଉଁମାନେ ଅଛନ୍ତି ? ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଗୋପୀଠାରୁ ବହୁତ୍ ତଥ୍ୟ ମିଳିଥିବା କହିଛନ୍ତି ଡିସିପି ଜଗମୋହନ ମିନା।
ସେପଟେ ଉଦ୍ଧାର ନାବାଳିକା ଏବେ ବି ବସୁନ୍ଧରାରେ ରହୁଥିବାବଳେ ତାଙ୍କୁ ବାଂଲାଦେଶ ପଠାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବାଂଲାଦେଶ ଦୂତାବାସକୁ ଚିଠି ଲେଖାଯାଇଥିଲା, ଯାହାକୁ ନେଇ ଏବେ ନାବାଳିକା ପ୍ରତ୍ୟାବର୍ତ୍ତନ ନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ପୋଲିସ କହିଛି।