ୟୁଇଏଫଏ ୟୁରୋ ଚାମ୍ପିଅନ୍‌ସିପ୍‌; ଉଦଘାଟନୀ ମ୍ୟାଚରେ ଜର୍ମାନୀର ଚିତ୍ତାକର୍ଷକ ବିଜୟ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ,୧୫/୦୬: ୟୁଇଏଫଏ ୟୁରୋ ଚାମ୍ପିଅନ୍‌ସିପ୍‌ରେ ଆୟୋଜକ ଜର୍ମାନୀ ଚିତ୍ତାକର୍ଷକ ବିଜୟ । ଆଲିଆଞ୍ଜ ଏରେନାରେ ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚକୁ ସହଜରେ ଜିତି ନେଇ ଅଭିଯାନ ଆରମ୍ଭ କରିଛି ଜର୍ମାନୀ । ଏହି ମୁକାବିଲାରେ ଜର୍ମାନୀ ୫-୧ ଗୋଲ୍‌ରେ ସ୍କଟଲାଣ୍ଡକୁ ପରାସ୍ତ କରିଛି । ମ୍ୟାଚ୍‌ ଆରମ୍ଭରୁ ଜର୍ମାନୀ ପ୍ରଭାବ ବିସ୍ତାର କରି ଖେଳିଥିଲା । ଦଶମ ମିନିଟ୍‌ରେ ଯୁବ ବିସ୍ମୟ   ଫ୍ଲୋରିଆନ୍‌ ରିଜ ପ୍ରଥମ ଗୋଲ ସ୍କୋର କରିଥିଲେ । ଗ୍ରୁପ୍‌-ଏ’ର ଏହି ମୁକାବିଲା ଏକତରଫା ରହିଥିଲା ।   

ଭେଟେରାନ ମିଡ୍‌ ଫିଲ୍ଡର ଟୋନି  କ୍ରୁସ୍‌ଙ୍କ ଏକ ଲମ୍ବା  ପାସ୍‌କୁ ଜୋଶୁଆ କିମିଚ ସ୍କଟଲାଣ୍ଡ ବକ୍ସ  ନିକଟକୁ ପଠାଇଥିଲେ । ରିଜ ତୁରନ୍ତ ସେଠାରେ ପହଞ୍ଚି ବଲ୍‌କୁ ସ୍କଟଲାଣ୍ଡ  ଗୋଲ୍‌ ପୋଷ୍ଟରେ ପହଞ୍ଚାଇ ଦେଇଥିଲେ ।  ମ୍ୟାଚ୍‌କୁ ଫେରିବା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଜର୍ମାନୀ ଦ୍ୱିତୀୟ ଗୋଲ୍ ସ୍କୋର   କରିଥିଲା । ଅନ୍ୟତମ ଯୁବ ଖେଳାଳି ଜମାଲ   ମୁସିଆଲ୍‌ ୧୯ତମ ମିନିଟ୍‌ରେ ଏହି ଗୋଲ୍‌   କରି ୨-୦ରେ ଦଳକୁ ଅଗ୍ରଣୀ କରାଇଥିଲେ ।  

୪୪ତମ ମିନିଟ୍‌ରେ ଜର୍ମାନୀ ମିଡ୍‌ ଫିଲ୍ଡର ଇକଲେ ଗୁଣ୍ଡୋଗାନଙ୍କୁ ଫାଉଲ  ମାରି ସ୍କଟଲାଣ୍ଡ ଡିଫେଣ୍ଡର ର‌୍ୟାନ  ପ୍ରିଟୋରିୟସ୍‌ ରେଡ୍‌ କାର୍ଡ ପାଇଥିଲେ  ଓ ଜର୍ମାନୀକୁ ପେନାଲ୍ଟି ମିଳିଥିଲା । କାଇ  ହାଭର୍ଜ ଏହାକୁ ଗୋଲ୍‌ରେ ପରିଣତ  କରିବା ଫଳରେ ସ୍କଟଲାଣ୍ଡର ବିଜୟ ଆଶା ମଉଳି ଯାଇଥିଲା । ବାକି ସମୟ ୧୦ଜଣରେ ଖେଳିବାକୁ ସ୍କଟଲାଣ୍ଡ ବାଧ୍ୟ ହୋଇଥିଲା ।  

ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଜର୍ମାନୀର  ଆଧିପତ୍ୟ ଜାରି ରହିଥିଲା । ମାତ୍ର  ସ୍କଟଲାଣ୍ଡ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ  କରି ଜର୍ମାନୀକୁ ଗୋଲ୍‌ କରିବାକୁ ସୁଯୋଗ  ଦେଇ ନଥିଲା । ୬୩ତମ ମିନିଟ୍‌ରେ  କାଇ ହାଭର୍ଜଙ୍କ ସ୍ଥାନରେ ବଦଳ ଖେଳାଳି  ଭାବେ ଗ୍ରାଉଣ୍ଡକୁ ଓହ୍ଲାଇଥିବା ନିକଲାସ ଫୁଲକ୍ରୁଗ ୬୮ତମ ମିନିଟ୍‌ରେ ଏକ  ଚମତ୍କାର ଗୋଲ କରିବା ଫଳରେ  ଜର୍ମାନୀ ୪-୦ ଗୋଲ୍‌ରେ ଆଗେଇଥିଲା ।  

ଶେଷରେ ୮୭ତମ ମିନିଟ୍‌ରେ  ସ୍କଟଲାଣ୍ଡ ଏକ ଗୋଲ୍‌ ପରିଶୋଧ କରିବାରେ ସଫଳ ହୋଇଥିଲା । ମାତ୍ର ଏହା  ଦଳକୁ ପରାଜୟରୁ ଏଡ଼ାଇବା ପାଇଁ ଯଥେଷ୍ଟ  ନଥିଲା । ୯୦ + ୩ତମ ମିନିଟ୍‌ରେ ଥୋମାସ୍ ମୁଲରଙ୍କ ଠାରୁ ଏକ ପାସ୍‌  ପାଇ ଏମ୍ରେ କାନ୍‌ ଏହି ଗୋଲ କରିଥିଲେ । ଫଳରେ ଜର୍ମାନୀ ୫-୧ରେ ମ୍ୟାଚ ହାତେଇ ନେଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.