ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ରାକେଶ ଦାସକୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | February 20, 2025 IST

ସମ୍ବଲପୁର ୨୦/୨: ଏକତରଫା ପ୍ରେମରୁ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ଅଭିଯୁକ୍ତ ରାକେଶ ଦାସକୁ ଗିରଫ କରିବା ସହ ପ୍ରେସ୍‌ମିଟ୍‌ରେ ପୁରା ଘଟଣାର ଖୁଲାସା କରିଛନ୍ତି ଉତ୍ତରାଞ୍ଚଳ ଆଇଜି ଓ ସମ୍ବଲପୁର ଏସ୍‌ପି । ବୁଧବାର ରାସ୍ତାରେ ଠିଆ ହୋଇ ଅନ୍ୟ ଜଣେ ଯୁବକଙ୍କ ସହ କଥା ହେଉଥିଲେ ଛାତ୍ରୀ । ଯାହାକୁ ବିରୋଧ କରିବା ସହ କଥା ହେବାକୁ ମନା କରିଥିଲା ଆକ୍ରମଣକାରୀ ଯୁବକ । ହେଲେ ସେ ଶୁଣିନଥିଲେ । ବାସ୍‌ ଯୁବକର ରାଗ ପଞ୍ଚମକୁ ଉଠିଯାଇଥିଲା । ସାଂଗରେ ଆଣିଥିବା ବିରାଟ ପଥରରେ ଛାତ୍ରୀଙ୍କୁ ଛେଚି ଚାଲିଲା । ରାସ୍ତାରେ ଅସହାୟ ଅବସ୍ଥାରେ ପଡି ବଞ୍ଚାଇବାକୁ ଚିତ୍କାର କରୁଥିଲେ ଛାତ୍ରୀ । ଯାହା ସ୍ଥାନୀୟ ଲୋକଙ୍କ କାନରେ ପଡିଥିଲା । ସେମାନେ ପାଖକୁ ଆସି ପାଟି କରିବାରୁ ଆକ୍ରମଣକାରୀ ଯୁବକ ଖସିଯାଇଥିଲେ । ଛାତ୍ରୀଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । 

। କିଟ୍‌ ବିଶ୍ବବିଦ୍ୟାଳୟ ନେପାଳୀ ଯୁବତୀଙ୍କ ଆତ୍ମହତ୍ୟାକୁ ନେଇ ସବୁଠି ଚହଳ ପଡିଛି । ଏପଟେ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ଆସିଥିଲା ବଡ ଅଘଟଣର ଖବର । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଛାତ୍ରୀଙ୍କୁ ରାସ୍ତାରୁ ଉଦ୍ଧାର କରିଥିଲା ପୋଲିସ । ସେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସରେ ପାଠ ପଢନ୍ତି । 

ବୁଧବାର ବୁର୍ଲା ସହର ମେଟାକାନୀ ମନ୍ଦିର ପଛପଟେ ଥିବା ପଡିଆରେ ଜଣେ ଯୁବକ  ଛାତ୍ରୀଙ୍କୁ ନିର୍ଦ୍ଦୟ ଭାବରେ ମାରି ଚାଲିଥିଲେ । ତେବେ ସ୍ଥାନୀୟ ଲୋକେ ଦେଖି ପାଟି କରିବାକୁ ସେ  ଛାଡି ପଳାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲା । ପରିବାର ଲୋକଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି । ସେପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ପିଙ୍କ ନେତୃତ୍ବରେ ଟିମ୍‌ ଗଠନ କରାଯାଇଥିଲା । ଛାତ୍ରୀଙ୍କୁ ସେକ୍ସୁଆଲ ଆସଲ୍ଟ କରାଯାଇନଥିବା ସ୍ପଷ୍ଟ କରିଥିଲେ ଏସ୍‌ପି । ଆକ୍ରମଣ ପରେ ଯୁବକମାନେ କେଉଁ ଆଡକୁ ଯାଇଛନ୍ତି ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା । ଶେଷରେ ପୋଲିସ ହାତରେ ଧରାପଡିଛି ଅଭିଯୁକ୍ତ । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.