ନୂଆଦିଲ୍ଲୀ ୨୦।୧୧: ଏବେ ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଏଣୁ ସୁନା ଓ ରୂପା ଦର ମଧ୍ୟ ବଢିବା ଆରମ୍ଭ ହୋଇଛି। ଗତ କିଛି ଦିନ ହେଲା ସୁନା ଦର ଲଗାତାର ହ୍ରାସ ହେଉଥିଲା। ମଝିରେ ମଝିରେ ସୁନା ଓ ରୂପା ଦର ତଳ ଉପର ବି ହେଉଥିଲା। ତେବେ ୨୦ ନଭେମ୍ବର ବୁଧବାର ସୁନା ଦର ଅଚାନକ ବଢିଛି। ଏଥିରେ ରୂପା ଦର ମଧ୍ୟ ଉପର ମୁହାଁ ହୋଇଛି। ମଙ୍ଗଳବାର ତୁଳନାରେ ବୁଧବାର ପ୍ରତି ୧୦ ଗ୍ରାମ ସୁନା ଦର ୭୦୦ ଟଙ୍କା ମହଙ୍ଗା ହୋଇଛି। ଏହି ସମୟରେ ରୂପା ପ୍ରତି କେଜି ଦର ୯୦ ହଜାର ଟଙ୍କାକୁ ପହଞ୍ଚିଛି।
ଭାରତୀୟ ସ୍ୱର୍ଣ୍ଣାଳଙ୍କର ବଜାରରେ ନଭେମ୍ବର ୨୦ ତାରିଖ ସକାଳୁ ଉଚ୍ଚ ଦରରେ କାରବାର କରୁଛି। ବୁଧବାର ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୭,୨୦୦ ଟଙ୍କାରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ଦର ୭୦,୭୦୦ ଟଙ୍କାରେ ଟ୍ରେଡ କରୁଛି। ଏଥିରେରୂପା କେଜି ପିଛା ଦର ୯୧,୬୦୦ ଟଙ୍କା ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦୀପାବଳି ପରଠାରୁ ସୁନା ଦର ହ୍ରାସ ହେବାରେ ଲାଗିଥିଲା। ଫଳରେ ସୁନା ୧୦ ଗ୍ରାମ ପିଛା ଦରରେ ୩,୫୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଥିଲା।
ଏବେ ଦେଶରେ ବିବାହ ତିଥି ପଛକୁ ପଛ ରହୁଛି। ଏଣୁ ସୁନା ଓ ରୂପା ମହଙ୍ଗା ହୋଇଛି। ଏଥିରେ ସ୍ୱର୍ଣ୍ଣାଳଙ୍କର ବ୍ୟବସାୟରେ ଅଭିଜ୍ଞ ବ୍ୟବସାୟୀ ଡିସେମ୍ବର ମାସରେ ସୁନା ଦର ପୁଣି ଆକାଶ ଛୁଇଁପାରେ ବୋଲି ଅନୁମାନ କରିଛନ୍ତି। ବୁଧବାର ରାଜଧାନୀ ଦିଲ୍ଲୀରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ମୂଲ୍ୟ ୭୭,୨୩୦ ଟଙ୍କା ଦରରେ କାରବାର ହେଉଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୦,୮୧୦ ଟଙ୍କାରେ କାରବାର ହେଉଛି।