ବୁଲେଟ୍ ସ୍ପିଡ୍‌ରେ ବଢ଼ୁଛି ସୁନା ଦର: ଗୁରୁବାର ପୁଣି ଏକ ନୂଆ ରେକର୍ଡ

Published By : Prameya-News7 Bureau | April 17, 2025 IST

internet

ନୂଆଦିଲ୍ଲୀ: ବୁଲେଟ୍ ଟ୍ରେନ୍‌ ସ୍ପିଡ୍‌ରେ ବଢ଼ୁଛି ସୁନା ଦର। ପ୍ରତିଦିନ ଭାଙ୍ଗୁଛି ନୂଆ ନୂଆ ରେକର୍ଡ। ମାସକରେ ସୁନା ୮ ପ୍ରତିଶତରୁ ଅଧିକ ମହଙ୍ଗା ହୋଇଥିବା ବେଳେ ୩ ମାସରେ ୨୦ ପ୍ରତିଶତରୁ ଅଧିକ ଦରବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ବର୍ଷ ଭରି ରିପୋର୍ଟ ଦେଖିଲେ ସୁନା ଦାମ୍‌ରେ ଏପର୍ଯ୍ୟନ୍ତ ୩୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଲାଣି। 

ହୁ ହୁ ହୋଇ ବଢ଼ୁଥିବା ସୁନା ଦାମ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଛି। ବାହାଘର ସିଜନ ଆସୁଥିବା ବେଳେ ଝିଅ ପୁଅକୁ କେମିତି ସୁନା ଦେଇ ବାହା କରାଇବେ ସେଇ ଚିନ୍ତା ଘାରିଲାଣି। ତେଣୁ କେବେ ସୁନା ମୂଲ୍ୟ ସେହି ଅପେକ୍ଷାରେ ଲୋକେ।

ପଢ଼ନ୍ତୁ- ଗୁରୁବାରରେ ଲକ୍ଷ୍ମୀ ପ୍ରବେଶ: ୧୫୦୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ, ବଢ଼ୁଛି ବିଦେଶୀ ନିବେଶ


ଗୁରୁବାର ସୁନା ଦାମରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି। ଆଜି ଅର୍ଥାତ୍ ୧୭ ଏପ୍ରିଲରେ ସୁନା ମୂଲ୍ୟ ସର୍ବକାଳୀନ ଉଚ୍ଚା ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୩୩୧ ଟଙ୍କା ବୃଦ୍ଧି ପାଇ  ୯୪,୯୧୦ରେ ହୋଇଛି। ତେବେ ଆଜି ସୁନା ଦାମ ୯୫,୨୦୭ରେ ଓପନ ହୋଇଥିଲା। ଏହା ପୂର୍ବରୁ  ବୁଧବାର ୧୦ ଗ୍ରାମ ସୁନାର ମୂଲ୍ୟ  ୯୪,୫୭୯ ଟଙ୍କା ଥିଲା।

ତେବେ ଆଶ୍ୱସ୍ତିର କଥା ହେଲା ରୁପା ଦାମରେ ଆଜି ହ୍ରାସ ଦେଖିବାକୁ ମିଳିଛି। ଆଜି ରୂପା କିଲୋଗ୍ରାମରେ ୧,୪୨୪ ହ୍ରାସ ପାଇ କେଜି ୯୫,୧୫୧ ହୋଇଛି। ଏହାପୂର୍ବରୁ ରୁପା ମୂଲ୍ୟ କେଜି ୯୬,୫୭୫ ଟଙ୍କା ଥିଲା। ୨୮ ମାର୍ଚ୍ଚରେ, ରୂପା ମୂଲ୍ୟ ୧,୦୦,୯୩୪ ର ସର୍ବକାଳୀନ ସର୍ବାଧିକ ମୂଲ୍ୟରେ ପହଞ୍ଚିଥିଲା।

କାହିଁକି ବଢ଼ୁଛି ସୁନା ଦାମ ?

୧. ଆମେରିକାର ଟାରିଫ୍ ନୀତି ଯୋଗୁ ବାଣିଜ୍ୟ ଯୁଦ୍ଧର  ଆଶଙ୍କା ବୃଦ୍ଧି ପାଇଛି। ଏହା ଅର୍ଥନୀତିର ଅଭିବୃଦ୍ଧି ହାରକୁ ମନ୍ଥର କରିପାରେ। ଏଥିପାଇଁ ବିଶ୍ୱ ମାନ୍ଦାବସ୍ଥାର ଭୟ ଦେଖା ଦେଇଛି। ଏପରି ପରିସ୍ଥିତିରେ, ଲୋକମାନେ ସୁନାରେ ନିବେଶ କରିବା ସୁରକ୍ଷିତ ମଣୁଛନ୍ତି। ଏଥିପାଇଁ ସୁନାରେ ନିବେଶ ବୃଦ୍ଧି ପାଉଛି। ଚାହିଦା ବଢ଼ିବାରୁ ଦାମ ବଢ଼ୁଛି। 

୨. ଆଉ ଏକ କାରଣ ହେଲା ଡଲାର ତୁଳନାରେ ଟଙ୍କାର ଦୁର୍ବଳ ହେବା ସୁନା ଦାମ ବଢ଼ାଉଛି। କାରଣ ଟଙ୍କା ଦୁର୍ବଳ ହେବା ଦ୍ୱାରା ବିଦେଶରୁ ସୁନା କିଣିବାକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଚଳିତ ବର୍ଷ ଭରାତୀୟ ମୁଦ୍ରା ଡଲାର ତୁଳନାରେ ୪ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଲାଣି। 

୩. ସେହିପରି ବର୍ତ୍ତମାନ ବିବାହ ସମୟ ପାଖେଇ ଆସୁଥିବାରୁ ସୁନା ଅଳଙ୍କାରର ଚାହିଦା ବୃଦ୍ଧି ପାଉଛି। ତେଣୁ ଆଗକୁ ଦାମ ବଢ଼ିଯିବା ଭୟରେ ଲୋକେ ସୁନା ତର ତର ହୋଇ ସୁନା କିଣି ପକାଉଛନ୍ତି। ଭୁବନେଶ୍ୱରେ, ମୁମ୍ବାଇ, ଦିଲ୍ଲୀ ଏବଂ ଚେନ୍ନାଇ ଭଳି ସହରର ଅଳଙ୍କାର ବ୍ୟବସାୟୀମାନେ କହୁଛନ୍ତି  ଯେ ଲୋକମାନେ ସୁନାକୁ ନିବେଶ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ଦେଖୁଛନ୍ତି। ତେଣୁ ଉଚ୍ଚ ମୂଲ୍ୟ ସତ୍ତ୍ୱେ ବିକ୍ରୟ ଦ୍ରୁତ ଗତିରେ ବଢ଼ୁଛି।

ଭୁବନେଶ୍ୱର ସମେତ ୪ଟି ମେଟ୍ରୋ ସହରରେ ସୁନା ମୂଲ୍ୟ

• ଦିଲ୍ଲୀ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୭,୪୬୦ ଟଙ୍କା।
 • ମୁମ୍ବାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୨୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୭,୩୧୦ ଟଙ୍କା।
 • କୋଲକାତା: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୨୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୭,୩୧୦ ଟଙ୍କା।
 • ଚେନ୍ନାଇ: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୨୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୭,୩୧୦ ଟଙ୍କା।
 • ଭୁବନେଶ୍ୱର: ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୮୯,୨୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୯୭,୩୧୦ ଟଙ୍କା।

ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୮,୭୪୮ ଟଙ୍କା ମହଙ୍ଗା ହେଲାଣି ସୁନା

ଚଳିତ ବର୍ଷ, ଅର୍ଥାତ୍ ଜାନୁଆରୀ ୧ ରୁ ଏପର୍ଯ୍ୟନ୍ତ, ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୭୬,୧୬୨ ଟଙ୍କାରୁ ୧୮,୭୪୮ ଟଙ୍କା ବୃଦ୍ଧି ପାଇ ୯୫,୨୦୭ ଟଙ୍କା ହୋଇଛି। ସେହିପରି ରୁପାର ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୮୬,୦୧୭ ଟଙ୍କାରୁ ୯,୧୩୪ ଟଙ୍କା ବୃଦ୍ଧି ପାଇ ୯୫,୧୫୧ ଟଙ୍କା ହୋଇଛି। ଗତ ବର୍ଷ ଅର୍ଥାତ୍ ୨୦୨୪ର ସମାନ ଅବଧିରେ ସୁନା ୧୨,୮୧୦ ଟଙ୍କା ମହଙ୍ଗା ହୋଇଥିଲା।

ପଢନ୍ତୁ- ମାତ୍ର ୯୯ ପଇସାରେ ଟିସିଏସ୍‌କୁ ୨୧ ଏକରୁ ଅଧିକ ଜମି ଦେଲେ ଆନ୍ଧ୍ର ପ୍ରଦେଶ ସରକାର

ବର୍ଷ ଶେଷ ସୁଦ୍ଧା ସୁନା ମୂଲ୍ୟ  ୧.୧୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ 

ଆମେରିକା ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥାର ଭୟ ଯୋଗୁ, ଚଳିତ ବର୍ଷ ସୁନା ଆଉନ୍ସ ପ୍ରତି ୩,୭୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ। ଯଦି ଆନ୍ତର୍ଜାତୀୟ ହାର ଅନୁସାରେ ଗଣନା କରାଯାଏ, ତେବେ ଭାରତରେ ୧୦ ଗ୍ରାମ ସୁନାର ମୂଲ୍ୟ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ବିଦେଶୀ ନିବେଶ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସାକ୍ସ ଏହି ଆକଳନ କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.