ନୂଆଦିଲ୍ଲୀ ୧୮।୯: ଗୁଗଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କମ୍ପାନୀ ଖୁବ୍ ଶୀଘ୍ର କିଛି ଜିମେଲ ଆକାଉଣ୍ଟ ବନ୍ଦ କରିବ। ଦୀର୍ଘ ସମୟ ହେଲା ଲୋକଙ୍କୁ ଜିମେଲ ଆକାଉଣ୍ଟକୁ ବ୍ୟବହାର କରିବା ଓ ଏହାକୁ ଆକ୍ଟିଭ ରଖିବାକୁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଉଥିଲା। ହେଲେ ଏବେ ମାତ୍ର ୨ ଦିନରେ କମ୍ପାନୀ ଇନାକ୍ଟିଭ ଜିମେଲ ଆକାଉଣ୍ଟଗୁଡିକୁ ବନ୍ଦ କରିଦେବେ ବୋଲି ଜଣାପଡିଛି। ତେବେ ଏଥିରେ ଆପଣ କିପରି ଆପଣଙ୍କ ଜିମେଲ ଆକାଉଣ୍ଟକୁ ବନ୍ଦ ହେବାରୁ ରକ୍ଷା କରିପାରିବେ ଆସନ୍ତୁ ଜାଣିବା।
ସେପ୍ଟେମ୍ବର ୨୦ରେ ବନ୍ଦ ହେବ ଅନେକ ଜିମେଲ ଆକାଉଣ୍ଟ
ଗୁଗଲଙ୍କ ପକ୍ଷରୁ ୨୦ ସେପ୍ଟେମ୍ବର ୨୦୨୪ରେ ଅନେକ ଜିମେଲ ଆକାଉଣ୍ଟକୁ ବନ୍ଦ କରିଦିଆଯିବ। ଏଣୁ ଗୁଗଲ ଅନେକ ପୂର୍ବରୁ ଆକାଉଣ୍ଟକୁ ଆକ୍ଟିଭ ରଖିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ଯେଉଁମାନଙ୍କ ଆକାଉଣ୍ଟ ଇନାକ୍ଟିଭ ଅଛି ସେଗୁଡିକୁ ହଟାଇ ଦିଆଯିବ। ଏଥିରେ ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଜିମେଲ ଆକାଉଣ୍ଟ ବନ୍ଦ ହୋଇଯିବ ତେବେ ନିମ୍ନ ଉପାୟ ଅବଲମ୍ବନ କରି ଆକାଉଣ୍ଟକୁ ତୁରନ୍ତ ଆକ୍ଟିଭ କରନ୍ତୁ ନଚେତ ବନ୍ଦ ହୋଇଯିବା ନିଶ୍ଚିତ।
ବନ୍ଦ ହେବାରୁ କିପରି ରକ୍ଷା କରିବେ ଆକାଉଣ୍ଟ?
ଆକାଉଣ୍ଟକୁ ଆକ୍ଟିଭ କରିବା ପାଇଁ ଜିମେଲ ଲଗଇନ୍ କରନ୍ତୁ। ଆସିଥିବା ମେଲ ପଢନ୍ତୁ ଅଥବା ମେଲ ସେଣ୍ଡ କରନ୍ତୁ। ଗୁଗଲ ଫଟୋସରେ ଫଟୋ ସେଭ କରିବା ପାଇଁ ସେୟାର କରନ୍ତୁ। ଏଥି ଲାଗି ଜିମେଲ ଆକାଉଣ୍ଟରୁ ଗୁଗଲ ଫଟୋସରେ ସାଇନ ଇନ୍ କରିବାକୁ ହେବ। ଜିମେଲ ଆକାଉଣ୍ଟ ଲଗଇନ କରି ୟୁଟ୍ୟୁବର ବ୍ୟବହାର କରନ୍ତୁ। ଗୁଗଲ ସର୍ଚ୍ଚ ଇଞ୍ଜିନରେ ସର୍ଚ୍ଚ କରି ମଧ୍ୟ ଆପଣ ଆପଣଙ୍କ ଆକାଉଣ୍ଟକୁ ଆକ୍ଟିଭ ଦେଖାଇ ପାରିବେ।
କାହିଁକି ବନ୍ଦ କରାଯାଉଛି ଜିମେଲ ଆକାଉଣ୍ଟ?
ଗୁଗଲ ପକ୍ଷରୁ ସର୍ଭର ସ୍ପେସ୍ ଖାଲି କରିବାକୁ ଏହି ପଦକ୍ଷେପ ନିଆଯାଇଛି। ଏପରି ଲୋକେ ଯେଉଁମାନେ ଗୁଗଲ ଡ୍ରାଇଭ ବା ଜିମେଲ ଭଳି ସୁବିଧାର ବ୍ୟବହାର କରୁ ନାହାନ୍ତି ଓ ଦୀର୍ଘ ସମୟରୁ ଆକ୍ଟିଭ ମଧ୍ୟ ନାହାନ୍ତି ସେହି ୟୁଜରଙ୍କ ଜିମେଲ ଆକାଉଣ୍ଟ ବନ୍ଦ କରାଯାଉଛି। ଗୁଗଲ ଏବେ ସେହିମାନଙ୍କ ଉପରେ ଖାସ ଧ୍ୟାନ ଦେଉଛନ୍ତି ଯେଉଁମାନେ ତାଙ୍କ ସର୍ଭିସର ଉପଯୋଗ କରୁଛନ୍ତି ଓ ନିୟମିତ ରୂପେ ଗୁଗଲ ଆକାଉଣ୍ଟର ବ୍ୟବହାର କରୁଛନ୍ତି।