ଶୁଳ୍କ ବଢ଼ାଇବା ପରେ ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ: ବଢ଼ାଅ ନାହିଁ ଖାଇବା ତେଲର ଦାମ, ଅଛି ଯଥେଷ୍ଟ ଷ୍ଟକ୍

Published By : Prameya-News7 Bureau | September 18, 2024 IST

internet

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ଖାଇବା ତେଲ ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରିଥିଲେ। ଯାହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ତେଲର ଦାମ ବଢ଼ି ଯାଇଛି। ତେଲ ଦାମ ବଢ଼ିବା ପରେ ଖାଉଟି ଅସନ୍ତୋଷ ବୃଦ୍ଧି ପାଇଛି। ଯାହାକୁ ନେଇ କେନ୍ଦ୍ର ସରକାର କମ୍ପାନୀମାନଙ୍କୁ ଦାମ ନ ବଢାଇବାକୁ ଅନୁରୋଧ କରିଛନ୍ତି। 

ଫୁଡ୍ ଅଏଏଲ ପ୍ରୋସେସରଙ୍କୁ ରିଟେଲ ପ୍ରାଇସ ନ ବଢ଼ାଇବାକୁ କୁହାଯାଇଛି। କାରଣ ଶୁଳ୍କ କମ୍ ଥିବା ସମୟରେ ଯଥେଷ୍ଟ ପରିମାଣରେ ଖାଇବା ତେଲ ଆମଦାନୀ ହୋଇଛି। ତେଣୁ ଅଯଥା ମୂଲ୍ୟ ନ ବଢ଼ାଇବାକୁ କୁହାଯାଇଛି।  

ଖାଦ୍ୟ ମନ୍ତ୍ରଣାଳୟ କହିଛି ଯେ ସ୍ୱଳ୍ପ ଟିକସରେ ଆମଦାନୀ ହୋଇଥିବା ଷ୍ଟକ୍ ଖୁବ ସହଜରେ ୪୫-୫୦ ଦିନ ପର୍ଯ୍ୟନ୍ତ ରହିବ। ତେଣୁ ପ୍ରୋସେସର ଗୁଡ଼ିକ ମାକ୍ସ ରିଟେଲ ପ୍ରାଇସ୍ (MRP) ବୃଦ୍ଧି କରିବା ଠାରୁ ଦୂରେଇ ରହିବା ଉଚିତ ବୋଲି ବୋଲି ଖାଦ୍ୟ ମନ୍ତ୍ରଣାଳୟ କହିଛନ୍ତି। 

ଶୁଳ୍କ ବଢ଼ାଇଲେ ସରକାର

ସୂଚନା ଥାଉକି ଗତ ସପ୍ତାହରେ, ଘରୋଇ ତୈଳ ବୀଜ ଚାଷକୁ ପ୍ରୋତ୍ସାହନ କରିବାକୁ କେନ୍ଦ୍ର ସରକାର ବିଦେଶୀରୁ ତେଲ ଆମଦାନୀ ଉପରେ ଟିକସ ଲଗାଇଥିଲେ। ସେପ୍ଟେମ୍ବର ୧୪ ତାରିଖରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହୋଇଥିଲା। ଅଶୋଧିତ ସୋୟାବିନ ତେଲ, ଅଶୋଧିତ ପାମ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ବେସିକ କଷ୍ଟମ ଡ୍ୟୁଟି ଶୂନରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏଥିରେ ଅଶୋଧିତ ତେଲ ଉପରେ ୨୭.୫ ପ୍ରତିଶତ ଶୁଳ୍କ ବୃଦ୍ଧି ହୋଇଛି। ଏଥିସହ ଅଶୋଧିତ  ପାମ ତେଲ, ସୂର୍ଯ୍ୟମୁଖୀ ତେଲ ଏବଂ ସୋୟାବିନ୍ ତେଲ ଉପରେ ବେସିକ କଷ୍ଟମ ଡ୍ୟୁଟି ୧୨.୫ ପ୍ରତିଶତରୁ ବଢା ୩୨.୫ ପ୍ରତିଶତ କରାଯାଇଛି। ଫଳରେ ରିଫାଇନ୍ ତେଲ ଉପରେ ୩୫.୭୫ ପ୍ରତିଶତ ଶୁଳ୍କ ବଢ଼ିଛି।

ଖାଇବା ତେଲର ଯଥେଷ୍ଟ ଷ୍ଟକ୍ ରହିଛି

ମଙ୍ଗଳବାର ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ସଲଭେଣ୍ଟ ଏକ୍ସଟ୍ରାକସନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (SEA), ଇଣ୍ଡିଆନ୍ ଭେଜିଟେବୁଲ୍ ଅଏଲ୍ ପ୍ରଡ୍ୟୁସର ଆସୋସିଏସନ (ଆଇଭିପିଏ) ଏବଂ ସୋୟାବିନ୍ ଅଏଲ ପ୍ରଡ୍ୟସର ସଂଘ (SOPA) ର ପ୍ରତିନିଧୀଙ୍କ ସହ ଏକ ବୈଠକର ଅଧ୍ୟକ୍ଷତା କରି ମୂଲ୍ୟ ରଣନୀତି ଉପରେ ଆଲୋଚନା କରିଛନ୍ତି। ଏନେଇ ଜାରି ହୋଇଥିବା ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ୧୨.୫ ପ୍ରତିଶତ ଶୁଳ୍କ ସୀମାରେ ଆମଦାନୀ ହୋଇଥିବା ତେଲ ଷ୍ଟକ୍ ସରିବା ପର୍ଯ୍ୟନ୍ତ ତେଲ ଦର ନ ବଢ଼ାଇବାକୁ ବୈଠକର ସଚେତନ କରାଯାଇଥିଲା।  ବ୍ୟବସାୟ ସଂଘକୁ ଏନେଇ ତୁରନ୍ତ ସତର୍କ କରାଯାଉ ବୋଲି ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ।

୪୫-୫୦ ଦିନ ପର୍ଯ୍ୟନ୍ତ ଚାଲିବ ପୁରୁଣା ଷ୍ଟକ୍

କମ୍ ଶୁଳ୍କ ଥିବା ବେଳେ ଆମଦାନୀ ହୋଇଥିବା ଖାଇବା ତେଲର ଷ୍ଟକ୍ ୩୦ ଲକ୍ଷ ଟନ୍ ରହିଛି।  ଯାହା ଘରୋଇ ଉପଯୋଗର ୪୫ରୁ ୫୦ ଦିନ ପାଇଁ ଯଥେଷ୍ଟ।ଘରୋଇ ଚାହିଦା ପୂରଣ ପାଇଁ ଭାରତ ବହୁ ପରିମାଣରେ ଖାଇବା ତେଲ ଆମଦାନୀ କରେ। ଆମଦାନୀ ଉପରେ ନିର୍ଭରଶୀଳତା ମୋଟ ଆବଶ୍ୟକତାର ୫୦ ପ୍ରତିଶତରୁ ଅଧିକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.