ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ନେଇ ବଢିଲା ଚର୍ଚ୍ଚା, ହୋଇପାରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ

Published By : Prameya-News7 Bureau | July 22, 2025 IST

ଭୁବନେଶ୍ୱର, ୨୨/୦୭: ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବ କି ? ଏ ଚର୍ଚ୍ଚା ସପ୍ତାହେ ହେବ ଥମିଥିଲା ବେଳେ ସୋମବାର ଘିଅରେ ନିଆଁ ଢାଳିଛି ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ  ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିଲେ ମଧ୍ୟ ଏ ଭେଟଘାଟ ପଛରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଲୋଚନା ସ୍ଥାନ ପାଇଥିବା ଅସମର୍ଥିତ ସୂତ୍ର କହୁଛି ।  

ସୋମବାର ରାଜଭବନ ଯାଇ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରାୟ ଘଣ୍ଟାଏ କାଳ ଦୁହିଁଙ୍କ ମଧ୍ୟରେ ଆଲୋଚନାକୁ  ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା ହେଉଛି । ରାଜ୍ୟରେ ଏବେ ଯେଉଁଭଳି ରାଜନୈତିକ ପରିସ୍ଥିତି ଲାଗି ରହିଛି ସେ  ଦୃଷ୍ଟିରୁ ଏ ସାକ୍ଷାତ ବହୁ ଗୁରୁତ୍ୱ ବହନ କରୁଛି । ରାଜନୈତିକ ମହଲର ଯୁକ୍ତି ଯେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇ ଥାଇପାରେ । 

ବାଲେଶ୍ୱର ଏଫ୍‌ଏମ  କଲେଜ ଛାତ୍ରୀ ଆତ୍ମାହୂତି ଓ ବଳଙ୍ଗା  ଘଟଣାକୁ ନେଇ ରାଜନୀତି ତେଜିଥିଲା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି  ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଅବଗତ କରାଇ ଥାଇପାରନ୍ତି ବୋଲି କୁହାଯାଉଛି । ରାଜ୍ୟ ସରକାର ଏବେ ଆରମ୍ଭ କରିଥିବା ଶକ୍ତିଶ୍ରୀ ଯୋଜନା ଓ କ୍ୟାମ୍ପସ ସୁରକ୍ଷା ପ୍ରସଙ୍ଗରେ  ଆଲୋଚନା ହୋଇଥିବାର ବିଶ୍ୱସ୍ତ  ସୂତ୍ରରୁ ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । ତୁରନ୍ତ  ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାଯିବ  ବୋଲି ବିଜେପି ରାଜ୍ୟ ସଭାପତି ସୂଚନା ଦେଇଥିଲେ । ନିକଟରେ ଉଭୟ  ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି  ଦିଲ୍ଲୀ ଗସ୍ତରେ ଯାଇଥିଲେ । ସେଠାରେ  ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଏ  ପ୍ରସଙ୍ଗରେ ଆଲୋଚନା ହୋଇଥିଲା । 

ଏପରିକି ଜୁଲାଇ ୨୫ ସୁଦ୍ଧା ସଂପ୍ରସାରଣ  ହେବ ବୋଲି ଦିଲ୍ଲୀରେ କାଳେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିଲା । ମାତ୍ର ସାଂପ୍ରତିକ ରାଜନୈତିକ ସ୍ଥିତିରେ ନୂଆ ମନ୍ତ୍ରୀଙ୍କୁ  ନିଯୁକ୍ତି ଦେବେ ନା ଦିନ ଗଡ଼ିବ ତାହା ସ୍ପଷ୍ଟ ହୋଇନି ।  ରାଜ୍ୟରେ ଏବେ ରାଜନୈତିକ ସ୍ଥିତି ବେଶ ତତଲା  ରହିଛି । ରାଜ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ  ଘଟିଲେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ଏକ ସ୍ୱାଭାବିକ ଘଟଣା । 

ଆଗକୁ ବିଧାନସଭାର ମୌସୁମୀ  ଅଧିବେଶନ ରହିଛି । ତା ପୂର୍ବରୁ ହୁଏତ ମନ୍ତ୍ରିମଣ୍ଡଳ  ସମ୍ପ୍ରସାରଣ କରାଯାଇପାରେ । ଏ ସଂପର୍କରେ  ରାଜ୍ୟପାଳଙ୍କ ସହ ମୋହନ ଚର୍ଚ୍ଚା କରି ସମୟ ମାଗି  ଥାଇ ପାରନ୍ତି ବୋଲି କୁହାଯାଉଛି । ମାତ୍ର ସରକାର  କିମ୍ବା ଦଳ ପକ୍ଷରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ  କିଛି ସ୍ପଷ୍ଟ କରାଯାଇନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.