କେନ୍ଦୁଝର: ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ଵ୍ରମଙ୍କୁ ମୁକ୍ତି ମିଳିଛି। ତାଙ୍କ ଖଲାସ ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ। ଜେଲ୍ରେ ସଜା କାଟୁଥିବା ବେଳେ ଆଚରଣ, ସ୍ଵଭାବ ଓ ଉତ୍ତମ ବ୍ୟବହାର ପାଇଁ ହେମ୍ବ୍ରମଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୫ ବର୍ଷ ଜେଲ୍ରେ ରହିବା ପରେ ଆଜି ମୁକୁଳିଛନ୍ତି ମହେନ୍ଦ୍ର ହେମ୍ବ୍ରମ। ଏହି କେସ୍ରେ ଅନ୍ୟତମ ଦୋଷୀ ଦାରା ସିଂ ଏବେ ବି ଜେଲ୍ରେ ଅଛନ୍ତି।
ସୂଚନାଯୋଗ୍ୟ, ୧୯୯୯ ମସିହା ଜାନୁଆରୀ ୨୧ ତାରିଖରେ ଦାରା ସିଂହ ଓ ତାଙ୍କ ସହଯୋଗୀ ମହେନ୍ଦ୍ର ହେମ୍ବ୍ରମ କେନ୍ଦୁଝର ଜିଲ୍ଲାର ମନୋହରପୁରଠାରେ ଅଷ୍ଟ୍ରେଲୀୟ ମିସନାରି ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅଙ୍କୁ ଗାଡ଼ି ଭିତରେ ଶୋଇଥିବା ସମୟରେ ଜିଅନ୍ତା ପୋଡ଼ି ହତ୍ୟା କରିଥିଲେ। ଏହି ଘଟଣାରେ ଦାରା ସିଂ ଓ ତାଙ୍କ ସହଯୋଗୀ ମହେନ୍ଦ୍ରଙ୍କୁ ଗିରଫ କରିଥିଲେ ତତ୍କାଳୀନ କେନ୍ଦୁଝର ଏସପି ତଥା ଓଡିଶାର ବର୍ତ୍ତମାନ ପୋଲିସ ମହାନିର୍ଦ୍ଦେଶକ ଓ୍ଵାଇ ବି ଖୁରାନିଆ । ଏହାପରେ ୨୦୦୦ରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ପରେ ୨୦୦୫ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ପରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। ଏହି ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।
ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂ ଜେଲ୍ରୁ ମୁକୁଳିବା ପାଇଁ ୨୦୨୪ ଅଗଷ୍ଟରେ ସୁପ୍ରିମକୋର୍ଟରେ ମର୍ସି ପିଟିସନ ଦାୟର କରିଥିଲେ। ଏଥିସହ ରାଷ୍ଟ୍ରପତିଙ୍କ ନିକଟରେ ଦୟା ଆବେଦନ କରାଯାଇଛି। ଆବେଦନ କରିବା ପରେ ଏନେଇ ପ୍ରାଥମିକ ଶୁଣାଣି କରି କୋର୍ଟ କହିଛନ୍ତି, ଆଜୀବନ କାରାଦଣ୍ଡର ସମୟ ଅବଧି ୧୪ ବର୍ଷ । କିନ୍ତୁ ଦାରା ଓ ମହେନ୍ଦ୍ର ୨୫ ବର୍ଷ ଜେଲରେ କଟାଇ ସାରିଥିବାରୁ ଅବଧି ଠାରୁ ଢେର୍ ଅଧିକ ସମୟ ରହିଲେଣି । ଏହି କ୍ରମରେ ଏପ୍ରିଲ ୧୬ ତାରିଖରେ ମହେନ୍ଦ୍ର ହେମ୍ବ୍ରମ ଜେଲ୍ରୁ ମୁକୁଳିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଦାରା ସିଂଙ୍କୁ ରାଷ୍ଟ୍ରପତି ଦୟା କ୍ଷମା ଦେଉଛନ୍ତି କି ନାହିଂ ଏବଂ ସେ କେବେ ଜେଲ୍ରୁ ମୁକୁଳୁଛନ୍ତି ।