ନୂଆଦିଲ୍ଲୀ ୧୭।୧୧: ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ ଯୋଗୁ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଏନସିଆର କ୍ଷେତ୍ରରେ ରବିବାର ଗ୍ରେଡେଡ ରେସ୍ପନସ ଆକ୍ସନ ପ୍ଲାନ (ଜିଆରଏପି)-୪ ଲାଗୁ କରିଦିଆଯାଇଛି। ଏହି ଅନୁସାରେ କଟକଣା ୧୮ ନଭେମ୍ବର ସୋମବାର ପୂର୍ବାହ୍ନ ସାଢେ ୮ଟାରୁ ଲାଗୁ ହୋଇଯିବ। ଦୈନିକ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ବୁଲେଟିନ ଅନୁସାରେ ରବିବାର ଅପରାହ୍ନ ୪ଟା ବେଳେ ଦିଲ୍ଲୀର ଦୈନିକ ହାରାହାରି ଏକ୍ୟୁଆଇ ୪୪୧ ରେକର୍ଡ କରାଯାଇଛି, ଯାହା ସନ୍ଧ୍ୟା ୭ଟା ବେଳକୁ ଏହା ୪୫୭ ହୋଇଯାଇଥିଲା।
ଦିଲ୍ଲୀ ଏନସିଆରରେ ପାଣିପାଗ ସମ୍ପର୍କିତ ପରିସ୍ଥିତି କାରଣରୁ ବଦଳୁଥିବା ଏକ୍ୟୁଆଇକୁ ନଜରରେ ରଖି ଜିଆରଏପି ର ସଞ୍ଚାଳନ ନିମନ୍ତେ ଗଠିତ ଉପ-କମିଟି ବାୟୁମାନ ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ) ରବିବାର ଏକ ଜରୁରିକାଳୀନ ବୈଠକ ଆହ୍ୱାନ କରିଥିଲା। ଯେଉଁଥିରେ ଉପ କମିଟି କ୍ଷେତ୍ରର ସମଗ୍ର ବାୟୁମାନ ପରିଦୃଶ୍ୟରେ ପାଣିପାଗ ସମ୍ପର୍କିତ ପରିସ୍ଥିତି ଓ ଏକ୍ୟୁଆଇ ପୂର୍ବାନୁମାନର ବ୍ୟାପକ ସମୀକ୍ଷା କରିଛନ୍ତି। ବୈଠକରେ ଆଇଏମଡି ଓ ଆଇଆଇଟିଏମ ଦ୍ୱାରା ଉପଲବ୍ଧ ତଥ୍ୟ ଅନୁସାରେ ରବିବାର ୪ଟା ବେଳ ସୁଧା ଦିଲ୍ଲୀର ଏକ୍ୟୁଆଇ ୪୪୧ ରେକର୍ଡ ହୋଇଥିଲା, ଯାହା ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତବଢି ୪୫୨କୁ ପହଞ୍ଚିଥିଲା।
ଏନସିଆରରେ ଏୟାର କ୍ୱାଲିଟି ଖରାପ ହେଉଥିବାର ପ୍ରବୃତ୍ତିକୁ ଧ୍ୟାନରେ ରଖି କ୍ଷେତ୍ରରେ ବାୟୁର ମାନ ହ୍ରାସ ନିୟନ୍ତ୍ରଣ ନିମନ୍ତେ ଉପ କମିଟି ରବିବାର ସନ୍ଧ୍ୟାରେ ଦିଲ୍ଲୀ ସମେତ ପୁରା ଏନସିଆରରେ ଜିଆରଏପି-୪କଟକଣା ଜାରି ପାଇଁ ଘୋଷଣା କରିଛନ୍ତି। ଜିଆରଏପି-୪ର ସମସ୍ତ କଟକଣା ସୋମବାର ପୂର୍ବାହ୍ନ ସାଢେ ୮ରୁ ଜାତୀୟ ରାଜଧାନୀରେ ଲାଗୁ ହୋଇଯିବ।